Unknown

 

 

 

 

 

 

 

 

 

 

 

ହୋମର୍‍ କାହାଣୀ

ଅଧ୍ୟାପକ ଶ୍ରୀଧର ଦାସ

 

ଟ୍ରୟ ଯୁଦ୍ଧ

 

ଇଉରୋପ ମହାଦେଶରେ ଗ୍ରୀସ୍‌ ବୋଲି ଗୋଟିଏ ଦେଶ ଅଛି । ସେହି ଦେଶର ସ୍ପର୍ଟାନାମକ ଏକ ନଗରରେ ହଜାର ହଜାର ବର୍ଷ ପୂର୍ବେ ଜଣେ ରାଜା ରାଜତ୍ୱ କରୁଥିଲା । ତାଙ୍କର ନାମ ଥିଲା ଟିଣ୍ଡାରିଅସ ଓ ତାଙ୍କ ରାଣୀଙ୍କର ନାମ ଲେଡ଼ା । ରାଜା ଓ ରାଣୀ ଖୁବ୍‌ ସୁଖରେ ଥିଲେ । ତାଙ୍କର ଦୁଇଟି ପୁଅ ଓ ଦୁଇଟି ଝିଅ । ପୁଅ ଦୁଇଟିଙ୍କର ନାମ ଥିଲା କାଷ୍ଟର ଓ ପଲିଡ଼ିଉସେସ । ଝିଅ ଦୁଇଟିଙ୍କର ନାମ ଥିଲା କ୍ଲାଇଟେପେଷ୍ଟ୍ରା ଓ ହେଲେନ ।

 

ଝିଅ ଦିଓଟିଙ୍କର ବିବାହ ବୟସ ହେବାରୁ ରାଜା ଟିଣ୍ଡାରିଅସ ବଡ଼ ଝିଅ କ୍ଳାଇଟେନେଷ୍ଟ୍ରାଙ୍କୁ ମାଇସେନ ପ୍ରଦେଶର ରାଜାଙ୍କ ପୁଅ ଆଗାମେନନଙ୍କ ସହିତ ବିବାହ କରାଇଦେଲେ । କିନ୍ତୁ ସାନ ଝିଅ ହେଲେନଙ୍କ ବିବାହ ସହଜରେ ହୋଇ ପାରିଲା ନାହିଁ । ଏଥିରେ ଏକ କାରଣ ଥିଲା । ସେ କାଳରେ ହେଲେନଙ୍କ ଭଳି ସୁନ୍ଦରୀ ଜଗତରେ କେହି ନଥିଲେ । ତେଣୁ ଶହ ଶହ ରାଜା ତାଙ୍କୁ ବିବାହ କରିବାକୁ ଇଚ୍ଛା କରୁଥିଲେ। ପ୍ରତ୍ୟେକ ରାଜା ମନେ କରୁଥିଲେ–ଯଦି ହେଲେନ ମୋତେ ବିବାହ ନ କରି ଅନ୍ୟ କାହାରିକୁ ବିବାହ କରେ, ତେବେ ତାକୁ, ତାର ସ୍ୱାମୀକୁ ଓ ତାର ବନ୍ଧୁ ବାନ୍ଧବଙ୍କୁ ବିନାଶ କରିବି ।

 

ଟିଣ୍ଡାରିଅସ କଅଣ କରିବେ ସ୍ଥିର କରି ପାରିଲେ ନାହିଁ । ସ୍ପାର୍ଟାରେ ଶତ ଶତ ରାଜା ଓ ରାଜପୁତ୍ର ହେଲେନଙ୍କୁ ବିବାହ କରିବାକୁ ଉପସ୍ଥିତ । ଏପରି ସ୍ଥଳେ ସେ କାହା ହାତରେ ଝିଅକୁ ଦେବେ ? ପୁଣି ଝିଅ କାହାରିକୁ ବିବାହ କଲେ ସୁଦ୍ଧା ସେ ଓ ତାର ସ୍ୱାମୀ ଶାନ୍ତିରେ ରହିବେ କିପରି-? ଶେଷରେ ସେ ଗୋଟିଏ କୌଶଳ କଲେ । ଉପସ୍ଥିତ ରାଜା ଓ ରାଜପୁତ୍ରମାନଙ୍କୁ ସେ କହିଲେ, ‘‘ଆପଣମାନେ ସମସ୍ତେ ହେଲେନକୁ ବିବାହ କରିବାକୁ ଇଚ୍ଛୁକ । କିନ୍ତୁ ସେ ଜଣକୁ ମାତ୍ର ବିବାହ କରିବ । ତେଣୁ ସେ କାହାକୁ ବିବାହ କରିବ, ସେକଥା ସେ ନିଜେ ସ୍ଥିର କରୁ । ଆପଣମାନଙ୍କୁ ମୋର ଏତିକି ଅନୁରୋଧ, ସେ ଯାହାକୁ ସ୍ୱାମୀରୂନେ ବରଣ କରିବ, ତା ସଙ୍ଗେ କେହି ଶତ୍ରୁତା କରିବେ ନାହିଁ ଓ ଯଦି କେହି ହେଲେନକୁ ତା ସ୍ୱାମୀଠାରୁ ଛଡ଼ାଇ ନେବାକୁ ଉଦ୍ୟମ କରେ ତେବେ ସମସ୍ତେ ମିଳି ହେଲେନକୁ ଉଦ୍ଧାର କରି ତାର ସ୍ୱାମୀଙ୍କୁ ଫେରାଇଦେବେ ।’’

 

ଟିଣ୍ଡାରିଅସଙ୍କର ଏହି ପ୍ରସ୍ତାବରେ ସମସ୍ତେ ସ୍ୱୀକୃତ ହୋଇ ପ୍ରତିଜ୍ଞା କଲେ–ହେଲେନ ତାର ଇଚ୍ଛା ଅନୁସାରେ ନିଜର ସ୍ୱାମୀ ସ୍ଥିର କରିବ ଓ ଯଦି କେବେ କେହି ହେଲେନକୁ ତାର ସ୍ୱାମୀଠାରୁ ଛଡ଼ାଇ ନେବାକୁ ବସେ ତେବେ ସେମାନେ ସମସ୍ତେ ମିଳି ହେଲେନ ଓ ତାର ସ୍ୱାମୀଙ୍କୁ ସାହାଯ୍ୟ କରିବେ ।

 

ଆଗାମେନନଙ୍କର ମେନେଲସ୍‌ ବୋଲି ଜଣେ ଭାଇ ଥିଲେ । ହେଲେନ ତାଙ୍କୁହିଁ ନିଜର ପତିରୂପେ ବରଣ କଲେ । ଯଥାବିଧି ବିବାହ ଉତ୍ସବ ଅନୁଷ୍ଠିତ ହୋଇଗଲା । ଏଥିରେ କୌଣସି ରାଜା ଆପତ୍ତି କଲେ ନାହିଁ । ସମସ୍ତେ ଆନନ୍ଦରେ ବିବାହ ଉତ୍ସବରେ ଯୋଗ ଦେଲେ ।

 

ଟିଣ୍ଡାରିସ ବୃଦ୍ଧ ହୋଇ ଯାଇଥିଲେ । ସେ ରାଜପଦ ତ୍ୟାଗ କରି ଜାମାତା ମେନେଲସ୍‌ଙ୍କୁ ସିଂହାସନରେ ବସାଇଲେ । ମେନେଲେସ୍‌ ଓ ହେଲେନ୍‌ ସ୍ପାର୍ଟାରେ ରାଜା ଓ ରାଣୀ ହୋଇ ସୁଖରେ ରାଜ୍ୟ ଶାସନ କରିବାକୁ ଲାଗିଲେ ।

 

ସ୍ପାର୍ଟାଠାରୁ ବହୁଦୂରରେ ସମୁଦ୍ରର ପର ପରରେ ଟ୍ରୟ ବୋଲି ଏକ ନଗର ଥିଲା । ସେଠାରେ ପ୍ରାଏମ ନାମରେ ଜଣେ ପ୍ରତାପଶାଳୀ ରାଜା ରାଜତ୍ୱ କରୁଥିଲେ । ତାଙ୍କ ରାଣୀଙ୍କର ନାମ ହେକୁବା । ପ୍ରାଏମଙ୍କର ହେକ୍ଟର ବୋଲି ଗୋଟିଏ ପୁଅ ଥିଲେ । କିଛି କାଳ ପରେ ରାଣୀଙ୍କର ପୁନରାୟ ଗର୍ଭ ହେଲା । ଦିନେ ହେକୁବା ସ୍ୱପ୍ନରେ ଦେଖିଲେ ଯେ ସେ ଯେଉଁ ସନ୍ତାନଟିକୁ ଜନ୍ମ ଦେବାକୁ ଯାଉଛନ୍ତି, ତାହା ଯୋଗେ ଟ୍ରୟ ନଗର ଧ୍ୱଂସ ହେବ । ଯଥା ସମୟରେ ରାଣୀଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମିଲା । ସମସ୍ତଙ୍କର ବିଶ୍ୱାସ, ଏହାରି ଯୋଗେ ଟ୍ରୟର ଭୀଷଣ ବିପଦ ଘଟିବ । ତେଣୁ ତାକୁ ମାରିଦେବାକୁ ସ୍ଥିର କରାଗଲା । କିନ୍ତୁ ପିଲାଟିକୁ ଦେଖି ତାକୁ ପ୍ରାଣରେ ମାରିଦେବାକୁ କାହାରି ହାତ ଗଲା ନାହିଁ । ଶେଷରେ ରାଜା ପ୍ରାଏମ ପିଲାଟିକୁ ନେଇ ଇଡ଼ା ପର୍ବତ ଉପରେ ରଖିଦେଇ ଚାଲି ଆସିଲେ ।

 

ପ୍ରାଏମ ଭାବିଥିଲେ ଯେ, ପର୍ବତ ଉପରେ ପିଲାଟିକୁ ହିଂସ୍ର ଜନ୍ତୁମାନେ ଖାଇଯିବେ; ନଚେତ୍‌ ଖାଇବାକୁ ନ ପାଇ ଦିନେ ଦୁଇ ଦିନରେ ସେ ଆପେ ମରିଯିବ । କିନ୍ତୁ ଦୈବର ବିଧାନ ଅନ୍ୟ ପ୍ରକାର । ପିଲାଟିକୁ ପର୍ବତ ଉପରେ ରଖିଦେଇ ପ୍ରାଏମ ଚାଲି ଆସିବା ପରେ ଜଣେ ମେଷପାଳକ ତାକୁ ଦେଖିପାରିଲା । ଏଡ଼େ ସୁନ୍ଦର ପିଲାଟିଏ କାହୁଁ ପର୍ବତ ଉପରକୁ ଆସିଲା ? ସେ ଆଶ୍ଚର୍ଯ୍ୟ ହୋଇ ତାକୁ ନିଜ ଘରକୁ ନେଇ ସ୍ତ୍ରୀକୁ ଦେଲା । ମେଷପାଳକ ଓ ତାର ସ୍ତ୍ରୀ ପିଲାଟିକୁ ନିଜର ପୁଅ ଭଳି ଅତି ଯତ୍ନରେ ପାଳିବାକୁ ଲାଗିଲେ । ସେମାନେ ଏହାର ନାମ ଦେଲେ ପାରିସ୍‍ । ଏହିପରି ଟ୍ରୟର ରାଜା ପ୍ରାଏମଙ୍କର ପୁଅ ହେଲେ ହେଁ ପିଲାଟି ପାରିସ୍‍ ନାମରେ ମେଷପାଳକର ପୁଅରୂପେ ପରିଚିତ ହେଲା ।

 

ପାରିସ୍‍ ଶୁକ୍ଳ ପକ୍ଷର ଚନ୍ଦ୍ରକଳା ପରି ବଢ଼ିବାକୁ ଲାଗିଲା । କ୍ରମେ ସେ ଯୌବନରେ ପଦାର୍ପଣ କଲା । ତା ଭଳି ରୂପବନ୍ତ ଯୁବକ ବିରଳ ଥିଲେ ।

 

ଗ୍ରୀସ ଦେଶରେ ଅଲିମ୍ପସ ବୋଲି ଗୋଟିଏ ପାହାଡ଼ ଅଛି । ସେଥିରେ ଦେବଦେବୀମାନେ ବାସ କରୁଥିଲେ । ଏକ ସମୟରେ ରାଜା ପେଲିଅସଙ୍କର ଥେଟିସଙ୍କ ସହିତ ବିବାହ ହେଲା । ଥେଟିସ ହେଉଛନ୍ତି ସମୁଦ୍ରର ଜଣେ ଦେବକନ୍ୟା । ଏହି ବିବାହକୁ ଦେବଦେବୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା; ଅଲିମ୍ପସର ସବୁ ଦେବଦେବୀ ନିମନ୍ତ୍ରିତ ହୋଇ ବିବାହରେ ଯୋଗ ଦେଲେ; କେବଳ ଯୁଦ୍ଧର ଦେବୀ ଏରିସଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା । ଦେବତାମାନଙ୍କର ପିତା ଜିଅସ୍‌, ତାଙ୍କର ପତ୍ନୀ ହେରା, ଜ୍ଞାନର ଦେବୀ ଏଥିନି, ପ୍ରେମ ଓ ସୌନ୍ଦର୍ଯ୍ୟର ଦେବୀ ଆଫ୍ରୋଡାଇଟ ପ୍ରଭୃତି ନିମନ୍ତ୍ରଣ ପାଇ ବିବାହ ଉତ୍ସବରେ ଉପସ୍ଥିତ ହେଲେ । ଏରିସଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ସେ କ୍ରୋଧରେ ଜର୍ଜର ହୋଇଗଲେ ।

 

ଅତିଥିମାନେ ଟେବୁଲ ଚାରିପାଖେ ଖାଇବାକୁ ବସିଛନ୍ତି, ଏହି ସମୟରେ ଏରିସ୍‌ ହଠାତ୍‌ ଆସି ଟେବୁଲ ଉପରେ ଗୋଟିଏ ସୁନାର ଆତ ପକାଇଦେଲେ । ତା ଉପରେ ଲେଖା ଥିଲା, ‘‘ଯେ ସବୁଠାରୁ ସୁନ୍ଦରୀ, ଏଇଟି ତାର ପ୍ରାପ୍ୟ ।’’ ହେରା, ଏଥିନ ଓ ଅଫ୍ରୋଡ଼ାଇଟ ପ୍ରତ୍ୟେକେ ଏହି ଆତଟିର ଅଧିକାରୀ ବୋଲି ଦାବି କଲେ । ଫଳରେ ଏମାନଙ୍କ ମଧ୍ୟରେ ଭୟଙ୍କର କଳହ ଲାଗିଗଲା । ପ୍ରତ୍ୟେକେ କହିଲେ–‘ମୁଁ ସବୁଠାରୁ ସୁନ୍ଦରୀ, ତେଣୁ ଏ ଆତଟି ମୋର ।’

 

ଜିଅସ୍‌ ଦେଖିଲେ, ଅବସ୍ଥା ବିଷମ ହେବାକୁ ଯାଉଛି । ଗୋଟାଏ ମୀମାଂସା କରିବା ପାଇଁ ସେ କହିଲେ, ‘‘କଳି କରିବାରେ କିଛି ଲାଭ ନାହିଁ । ଇଡ଼ା ପର୍ବତରେ ପାରିସ୍‍ ବୋଲି ଯେଉଁ ଯୁବକ ଅଛନ୍ତି, ସେ ଖୁବ୍‌ ବୁଦ୍ଧିମାନ୍‌। ସମସ୍ତଙ୍କ ଭିତରେ କିଏ ବେଶି ସୁନ୍ଦରୀ ତାହା ପାରିସ୍‍ ସ୍ଥିର କରିଦେବେ । ତେଣୁ ସୁନାର ଆତଟିକୁ ତାଙ୍କ ପାଖକୁ ପଠାଯାଉ । ସେ ଯାହାକୁ ଦେବେ, ଆତଟି ତାଙ୍କରି ହେବ ।’’ ଏହା କହି ସେ ଦେବଦୂତ ଆଇରିସ୍‌ଙ୍କ ହାତରେ ଆତଟିକୁ ପାରିସ୍‍ଙ୍କ ପାଖକୁ ପଠାଇଦେଲେ ।

 

ସଙ୍ଗେ ସଙ୍ଗେ ତିନି ଦେବୀଯାକ ଯାଇ ପାରିସ୍‍ଙ୍କ ନିକଟରେ ଉପସ୍ଥିତ । ହେରା କହିଲେ, ‘‘ହେ ଯୁବକ, ତୁମେ ଏ ପର୍ବତ ଉପରେ ରହି ମେଷ ଚରାଉଛ ସତ; କିନ୍ତୁ ତୁମେ ପ୍ରକୃତରେ ହେଉଛ ଟ୍ରୟର ରାଜା ପ୍ରାଏମଙ୍କ ପୁତ୍ର । ମୋତେ ଆତଟି ଦେଲେ, ମୁଁ ତୁମକୁ ପୃଥିବୀର ସବୁଠାରୁ କ୍ଷମତାଶାଳୀ ରାଜା କରିଦେବି ।’’

 

ଏଥିନି କହିଲେ, ‘‘ମୁଁ ହେଉଛି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ । ତୁମେ ମୋତେ ସବୁଠାରୁ ସୁନ୍ଦରୀ ବୋଲି କହିଲେ ମୁଁ ତୁମକୁ ସବୁ ବିଦ୍ୟା ଦେବି; ପୃଥିବୀରେ ତୁମେ ଖ୍ୟାତିଲାଭ କରିବ ।’’

 

ଶେଷରେ ଆଫ୍ରୋଡାଇଟ କହିଲେ, ‘‘ହେ ପାରିସ୍‍ , ମୁଁ ହେଉଛି ପ୍ରେମ ଓ ସୌନ୍ଦର୍ଯ୍ୟର ଦେବୀ । ମୁଁ ଇଚ୍ଛା କଲେ ଜଗତର ଶ୍ରେଷ୍ଠ ସୁନ୍ଦରୀକୁ ତୁମେ ପତ୍ନୀରୂପେ ପାଇପାରିବ । ମୋତେ ସୁନାର ଆତଟି ଦିଅ ।’’

 

ପାରିସ୍‍ ତିନି ଦେବୀଙ୍କର କଥା ଶୁଣିସାରି ଆତଟିକୁ ଆଫ୍ରୋଡାଇଟଙ୍କୁ ପ୍ରଦାନ କଲେ ।

 

ସେହି ଦିନଠାରୁ ପାରିସଙ୍କ ମନ ଅସ୍ଥିର ହେଲା । ଇଡ଼ା ପର୍ବତ ଉପରେ ରହି ମେଷପଲ ଜଗିବାରେ ତାଙ୍କୁ ଆଉ ଶାନ୍ତି ମିଳିଲା ନାହିଁ । ହେରାଙ୍କଠାରୁ ସେ ଶୁଣିଥିଲେ ଯେ, ସେ ପ୍ରକୃତରେ ହେଉଛନ୍ତି ପ୍ରାଏମଙ୍କର ପୁଅ । ତେଣୁ ସେ ଟ୍ରୟକୁ ଯାଇ ରାଜା ପ୍ରାଏମ ଓ ରାଣୀ ହେକୁବାଙ୍କ ନିକଟରେ ନିଜର ପରିଚୟ ପ୍ରକାଶ କଲେ । ସେମାନଙ୍କର ଧାରଣା ଥିଲା, ପିଲାଟି ଅନେକ ଦିନୁ ମରିଯାଇଛି । ଏବେ ସେ ଫେରିଆସିଥିବାର ଦେଖି ସେମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ସମଗ୍ର ଟ୍ରୟ ସହରରେ ଆନନ୍ଦ ଉତ୍ସବ ହେଲା ।

 

ଏବେ ପାରିସ୍‍ଙ୍କ ମନରେ ଗୋଟିଏ ଚିନ୍ତା ଉପସ୍ଥିତ । ଆଫ୍ରୋଡାଇଟ କହିଛନ୍ତି, ପୃଥିବୀର ଶ୍ରେଷ୍ଠ ସୁନ୍ଦରୀ ତାଙ୍କର ପତ୍ନୀ ହେବ । ତେଣୁ ଦେଶ ଦେଶାନ୍ତର ବୁଲି ସେହି ସୁନ୍ଦରୀଙ୍କୁ ବାହାର କରିବାକୁ ହେବ । ପାରିସ୍‍ଙ୍କର ଭାଇମାନେ ତାଙ୍କୁ ସାହାଯ୍ୟ କରିବାକୁ ବାହାରିଲେ । ଇଡ଼ା ପର୍ବତରୁ ବଡ଼ ବଡ଼ ଗଛମାନ କାଟି ସେଥିରେ ଅନେକ ଜାହାଜ ତିଆରି କରାଗଲା । ସମୁଦ୍ର ପାର ହୋଇ ଜଗତର ଶ୍ରେଷ୍ଠ ସୁନ୍ଦରୀଙ୍କୁ ଖୋଜିବା ପାଇଁ ପାରିସ୍‍ ବାହାରିଲେ । କିନ୍ତୁ ତାଙ୍କର କାସାଣ୍ଡ୍ରା ବୋଲି ଗୋଟିଏ ଭଉଣୀ ତାଙ୍କୁ ବାରଣ କରି କହିଲା, ‘‘ଭାଇ, ତୁମେ ଏପରି ଗୋଟାଏ ଭବିଷ୍ୟଦ୍‌ବାଣୀରେ ବିଶ୍ୱାସ କରି ବିଦେଶକୁ ଯାଅ ନାହିଁ । ଏହା ଫଳରେ ଟ୍ରୟର କେବଳ ବିପଦ ଘଟିବ ।’’ କିନ୍ତୁ ପାରିସ୍‍ ଭଉଣୀର ଏହି କଥାକୁ ହସରେ ଉଡ଼ାଇଦେଲେ ।

 

ସେ ଅନେକ ଦିନଯାଏ ସମୁଦ୍ର ପଥରେ ଯାଇ ଶେଷରେ ସ୍ପାର୍ଟା ନଗରରେ ପହଞ୍ଚିଲେ । ସ୍ପାର୍ଟାର ରାଜା ମେନେଲସ ଶୁଣିପାରିଲେ ଯେ, ଟ୍ରୟର ଯୁବରାଜ ପାରିସ୍‍ ତାଙ୍କ ରାଜ୍ୟରେ ପହଞ୍ଚିଅଛନ୍ତି । ସେ ନିଜେ ଆସି ତାଙ୍କୁ ଅଭ୍ୟର୍ଥନା କରି ନଅରକୁ ନେଇଗଲେ । ଜାହାଜଗୁଡ଼ିକ ସମୁଦ୍ର କୂଳରେ ଲଙ୍ଗର ପକାଇ ରହିଲା । ପାରିସ୍‍ ମେନେଲସଙ୍କର ଅତିଥିରୂପେ ତାଙ୍କ ପ୍ରାସାଦରେ ବାସ କରିବାକୁ ଲାଗିଲେ ।

 

ଏହି ଅବସରରେ ପାରିସ୍‍ ମେନେଲସଙ୍କର ପତ୍ନୀ ହେଲେନଙ୍କୁ ଦେଖିପାରିଲେ । ହେଲେନଙ୍କର ଅପରୂପ ସୌନ୍ଦର୍ଯ୍ୟରେ ପାରିସ୍‍ ଏକାବାରେ ମୁଗ୍‌ଧ ହୋଇଗଲା । ତାଙ୍କର ମନେ ହେଲା, ଦେବୀମାନେ ହେଲେନଙ୍କ ରୂପ ପାଖରେ ହାରିଯିବେ । ସେ ନିଶ୍ଚୟ ସଂସାର ମଧ୍ୟରେ ଶ୍ରେଷ୍ଠ ସୁନ୍ଦରୀ । ଆଫ୍ରୋଡାଇଟ ତାଙ୍କୁ କହିଥିଲେ, ଜଗତର ଶ୍ରେଷ୍ଠ ରୂପସୀ ରମଣୀ ତାଙ୍କର ପତ୍ନୀ ହେବ । ଏହି ରମଣୀ ହେଲେନଙ୍କ ଛଡ଼ା ଆଉ କେହି ହୋଇ ନ ପାରନ୍ତି ।

 

ଏଥି ମଧ୍ୟରେ ମେନେଲସ କାର୍ଯ୍ୟ ଉପଲକ୍ଷରେ କ୍ରୀଟକୁ ଚାଲି ଗଲେ । ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ପାରିସ୍‍ ତାଙ୍କ ପତ୍ନୀ ହେଲେନଙ୍କୁ ପ୍ରେମ ନିବେଦନ କଲେ । ତାଙ୍କ ପରୋଚନାରେ ହେଲେନ ମେନେଲସଙ୍କ ପ୍ରାସାଦର ବହୁମୂଲ୍ୟ ରତ୍ନ ପ୍ରଭୃତି ନେଇ ଜାହାଜରେ ବସି ପାରିସ୍‍ଙ୍କ ସହିତ ଟ୍ରୟକୁ ଚାଲିଗଲେ ।

 

ଦୁଇ

 

ପାରିସ୍‍ ହେରା ଓ ଏଥିନିଙ୍କୁ ସୁନାର ଆତ ନ ଦେଇ ଆଫ୍ରୋଡାଇଟଙ୍କୁ ଦେଇଥିବାରୁ ସେ ଦୁହେଁ ତାଙ୍କର ଅନିଷ୍ଟ ପାଞ୍ଚୁଥିଲେ । ସେମାନେ ଦେବତାମାନଙ୍କର ଦୂତ ଆଇରିସ୍‌ଙ୍କୁ କହିଲେ, ‘‘ତୁମେ ଅତି ଶୀଘ୍ର କ୍ରୀଟକୁ ଯାଇ ସେଠାରେ ମେନେଲସଙ୍କୁ ସମ୍ବାଦ ଦିଅ ଯେ, ସ୍ପାର୍ଟାରେ ସେ ଅନୁପସ୍ଥିତ ଥିବା ଅବସରରେ ଟ୍ରୟର ଯୁବରାଜ ପାରିସ୍‍ ତାଙ୍କର ପତ୍ନୀ ହେଲେନଙ୍କୁ ଅପହରଣ କରି ନିଜ ରାଜ୍ୟକୁ ପଳାଇ ଯାଇଅଛି । ମେନେଲସ ଏହି ସମ୍ବାଦ ପାଇଲା ମାତ୍ରେ ଜାହାଜରେ ବସି ସ୍ପାର୍ଟାକୁ ଫେରି ଆସିଲେ । ତାଙ୍କ ପ୍ରସାଦର ଧନରତ୍ନ ସହିତ ହେଲେନ ଅପହୃତ ହୋଇଥିବାର ଦେଖି ସେ ଯେ କିପରି ଦୁଃଖିତ ହେଲେ ତାହା ବର୍ଣ୍ଣନା କରାଯାଇ ନ ପାରେ । ସେ ହେଲେନଙ୍କୁ ନିଜ ପ୍ରାଣଠାରୁ ବଳି ଭଲ ପାଉଥିଲେ ଓ ତାଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ଥିଲା । ସେହି ହେଲେନଙ୍କ ବିନା ସେ କିପରି ଜୀବନ ଧରି ରହିବେ ଭାବି ପାରିଲେ ନାହିଁ । ସେ ମନେ ମନେ ସ୍ଥିର କଲେ–ଯେ କୌଣସିମତେ ହେଲେନଙ୍କୁ ପାରିସ୍‍ ପାଖରୁ ଉଦ୍ଧାର କରିବି । ତାହା କରି ନ ପାରିଲେ ଜୀବନ ହରାଇଦେବି ।

 

ପୁଣି ସେ ଚିନ୍ତା କଲେ, ‘‘ହେଲେନଙ୍କ ଭଳି ଅନିନ୍ଦ୍ୟ ସୁନ୍ଦରୀଙ୍କୁ ପାରିସ୍‍ ଯେ ସହଜରେ ଛାଡ଼ି ଦେବେ, ତାହା ନୁହେଁ । ତାଙ୍କୁ ଫେରି ପାଇବାର ଏକମାତ୍ର ଉପାୟ ହେଉଛି, ବଳ ପ୍ରୟୋଗ କରି ପାରିସ୍‍ଙ୍କ ଠାରୁ ତାଙ୍କୁ ଛଡ଼ାଇ ଆଣିବା । କିନ୍ତୁ ଏହା କିପରି କରାଯାଇ ପାରିବ । ଟ୍ରୟ ଗୋଟିଏ ପରାକ୍ରମଶାଳୀ ରାଜ୍ୟ । ଏହାର ରାଜା ପ୍ରାଏମଙ୍କର ବିଭବ ଓ ଶକ୍ତି ସର୍ବତ୍ର ଖ୍ୟାତି ଲାଭ କରିଛି । ପୁଣି ସ୍ପାର୍ଟାଠାରୁ ଟ୍ରୟର ଦୂରତା କମ୍‌ ନୁହେଁ । ଦୁହିଙ୍କ ମଧ୍ୟରେ ସହସ୍ର ସହସ୍ର ମାଇଲ ସମୁଦ୍ରର ବ୍ୟବଧାନ । ସେଠାକୁ ଯାଇ ଯୁଦ୍ଧରେ ପ୍ରାଏମଙ୍କୁ ହରାଇ ହେଲେନଙ୍କୁ ଉଦ୍ଧାର କରିବା ସହଜ ବ୍ୟାପାର ନୁହେ ।

 

ପରିଶେଷରେ ସେ ତାଙ୍କ ଭାଇ ଆଗାମେନନଙ୍କ ପାଖରୁ ପରାମର୍ଶ ମାଗିବା ସ୍ଥିର କଲେ । ଆଗାମେନନ ହେଉଛନ୍ତି ମାଇସେନ ରାଜ୍ୟର ରାଜାଙ୍କ ପୁଅ । ତେଣୁ ମେନେଲସ ଯାଇ ମାଇସେନରେ ଉପସ୍ଥିତ ହେଲେ । ମେନେଲସ ମାଇସେନରେ ପହଞ୍ଚିଲା ବେଳକୁ ଆଗାମେନନ ପାଇଲସର ରାଜା ନେଷ୍ଟରଙ୍କ ସଙ୍ଗେ କଥାବାର୍ତ୍ତା ହେଉଥିଲେ । ନେଷ୍ଟର ଜଣେ ବୃଦ୍ଧ ଲୋକ ଓ ଜ୍ଞାନୀ ବୋଲି ତାଙ୍କର ସୁନାମ ଥିଲା । ସେ ଆଗରୁ ହେଲେନଙ୍କୁ ଉତ୍ତମରୂପେ ଜାଣିଥିଲେ। ଏବେ ପାରିସ୍‍ ତାଙ୍କୁ ହରଣ କରି ନେଇଥିବା କଥା ଶୁଣି ସେ ନିତାନ୍ତ ଦୁଃଖିତ ହେଲେ । ସେ କହିଲେ, ‘‘ହେଲେନଙ୍କ ବିବାହ ବେଳେ ଅନେକ ରାଜା ପ୍ରତିଜ୍ଞା କରିଥିଲେ ଯେ, ଯଦି କେହି ତାଙ୍କୁ ନିଜ ସ୍ୱାମୀଠାରୁ ହରଣ କରିନିଏ ତେବେ ସେମାନେ ତାଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିବେ । ମୁଁ ଯାଉଛି, ସେମାନଙ୍କୁ ଏହି ପ୍ରତିଜ୍ଞା କଥା ସ୍ମରଣ କରାଇ ଦେଇ ସାହାଯ୍ୟ ମାଗିବି ।’’

 

ହେରା ଓ ଏଥିନି ସହଜେ ପାରିସ୍‍ଙ୍କ ଉପରେ ବିରକ୍ତ ଥିଲେ ଓ ତାଙ୍କର ଅନିଷ୍ଟ ଚିନ୍ତା କରୁଥିଲେ । ସେ ଦୁହେଁ ମଧ୍ୟ ଅନ୍ୟାନ୍ୟ ରାଜାମାନଙ୍କୁ ଉତ୍ତେଜିତ କରିବାକୁ ଲାଗିଲେ । ତେଣୁ ଅନେକ ରାଜା ହେଲେନଙ୍କୁ ଉଦ୍ଧାର କରିବାରେ ମେନେଲସଙ୍କକୁ ସାହାଯ୍ୟ କରିବାକୁ ବାହାରିଲେ । ସେମାନେ ପାରିସ୍‍ଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ହେଲେନଙ୍କୁ ଉଦ୍ଧାର କରିବା ନିମନ୍ତେ ନିଜ ନିଜର ସୈନ୍ୟସାମନ୍ତ ଓ ଯୁଦ୍ଧଜାହାଜମାନ ଦେବାକୁ ପ୍ରସ୍ତୁତ ହେଲେ ।

 

ଏହି ରାଜାମାନଙ୍କର ସୈନ୍ୟମାନେ ଆସି ସମୁଦ୍ର ତୀରବର୍ତ୍ତୀ ଅଲିସ ନାମକ ଏକ ସ୍ଥାନେ ରୁଣ୍ଡ ହେଲେ । ଜାହାଜଗୁଡ଼ିକ କୂଳଠାରୁ ଅଳ୍ପ ଦୂରରେ ସମୁଦ୍ରରେ ରହିଲା । ଏପରି ଏକ ପ୍ରକାଣ୍ଡ ସେନାଦଳ ଏଥିପୂର୍ବରୁ ଦେଖା ନଥିଲେ । ଏହାକୁ ଚାହିଁ ଆଗାମେନନଙ୍କର ଅନ୍ତର ଆନନ୍ଦରେ ଓ ଗର୍ବରେ ଫୁଲି ଉଠିଲା । ଏହି ସୈନ୍ୟମାନଙ୍କ ସହିତ ବହୁ ରାଜା ଓ ରାଜପୁତ୍ର ମଧ୍ୟ ଯୋଗ ଦେଇଥିଲେ । ବୃଦ୍ଧ ନେଷ୍ଟର, ତାଙ୍କର ଦୁଇ ଯୁବକ ପୁତ୍ର, ମିରମିଡ଼ନ ମାନଙ୍କର ରାଜା ଆଚିଲେସ ପ୍ରଭୃତି ଅନେକ ବୀର ଏମାନଙ୍କ ମଧ୍ୟରେ ଥିଲେ । ଆଚିଲେସ ଥିଲେ ପେଲିଅସଙ୍କର ପୁତ୍ର ଓ ସେ ସମୁଦ୍ରର ଅଧିଷ୍ଠାତ୍ରୀ ଦେବୀ ଥେଟିସଙ୍କ ଗର୍ଭରୁ ଜନ୍ମ ହୋଇଥିଲେ । ସେ ଯେ ଏମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ବୀର ଥିଲେ ଏ ବିଷୟରେ କାହାର ସନ୍ଦେହ ନଥିଲା । ତାଙ୍କ ବିଷୟରେ ନାନା ବିଚିତ୍ର କଥା ଶୁଣାଯାଏ । ଥେଟିସ ଦେବୀ ଭବିଷ୍ୟତ ଜାଣି ପାରୁଥିଲେ। ଯୌବନ ଅବସ୍ଥାରେ ଯୁଦ୍ଧକ୍ଷେତ୍ରରେ ଆଚିଲେସଙ୍କର ମୃତ୍ୟୁ ହେବ ବୋଲି ସେ ପୂର୍ବରୁ ଜାଣିଥିଲେ। ତେଣୁ ସେ ଶିଶୁ ଆଚିଲେସଙ୍କୁ ନେଇ ପାତାଳପୁରର ଷ୍ଟିକ୍‌ସ ନଦୀରେ ସ୍ନାନ କରାଇ ଦେଇଥିଲେ । ଏହା ଫଳରେ ସେ ଅମର ହୋଇଥିଲେ । କୌଣସି ଅସ୍ତ୍ର ତାଙ୍କୁ ବଧ କରି ପାରୁ ନଥିଲା । କେବଳ ଥେଟିସ ତାଙ୍କ ପାଦର ଯେଉଁ ଅଂଶକୁ ଧରି ସ୍ନାନ କରାଇଥିଲେ ସେଠାରେ ଷ୍ଟିକ୍‌ସ ନଦୀର ଜଳ ବାଜି ପାରି ନଥିଲା-। ତେଣୁ ଏହି ସ୍ଥାନରେ ଯଦି ଅସ୍ତ୍ରାଘାତ ହୁଏ, ତେବେ ତାଙ୍କର ମୃତ୍ୟ ହେବ ବୋଲି ଥେଟିସ ଜାଣିପାରିଥିଲେ ।

 

ଇଥାକାର ସୈନ୍ୟମାନଙ୍କର ନେତା ଥିଲେ ସେମାନଙ୍କର ରାଜା ଓଡ଼ିସିଅସ । ସେତେବେଳକୁ ଓଡ଼ିସିଅସ ନୂଆ ହୋଇ ବିବାହ କରିଥାନ୍ତି । ତାଙ୍କ ରାଣୀଙ୍କର ନାମ ପେନିଲୋପ । ପେନିଲୋପ ଖୁବ୍‌ସୁନ୍ଦରୀ ଓ ଗୁଣବତୀ ଥିଲେ । ଓଡ଼ିସିଅସ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ । ତେଣୁ ସେ ପେନିଲୋପକୁ ଛାଡ଼ି ଯୁଦ୍ଧକୁ ଯିବାକୁ ଇଚ୍ଛା କରୁ ନଥିଲେ । ସେ ଭାବିଲେ, ‘‘କାହିଁ ଇଥାକା, ଆଉ କାହିଁ ସମୁଦ୍ର ଆର ପାରିରେ କେତେ ଦୂରରେ ଟ୍ରୟ । କେତେଦିନ ସମୁଦ୍ରରେ ଯିବାକୁ ହେବ ! ଯୁଦ୍ଧ ଯେ କେତେକାଳ ଲାଗିବ, ତାହା କିଏ କହିପାରେ ? ଏତେଦିନଯାଏ ପେନିଲୋପକୁ ଛାଡ଼ି ରହିବି କିପରି ?’’ ଏହିପରି ଭାବି ସେ ପାଗଳ ହୋଇଯାଇଥିବାର ଛଳନା କଲେ । ଲଙ୍ଗଳରେ ଯୋଡ଼ିଏ ବଳଦ ଯୋଚି ସେ ସମୁଦ୍ରକୂଳ ବାଲିକୁ ହଳ କରିବାରେ ଲାଗିଲେ । ତାଙ୍କର ଏହି ବିଚିତ୍ର କାଣ୍ଡ ଦେଖି ଲୋକେ ତାଙ୍କୁ ପାଗଳ ବୋଲି ମନେ କଲେ । କିନ୍ତୁ ଜଣେ ରାଜା ବୁଝିପାରିଲେ ଯେ, ଓଡ଼ିସିଅସ ପ୍ରକୃତରେ ପାଗଳ ହୋଇନାହାନ୍ତି; କେବଳ ନିଜ ରାଜ୍ୟ ଛାଡ଼ି ଯୁଦ୍ଧରେ ନ ଯିବାପାଇଁ ଗୋଟାଏ ଫନ୍ଦି କରୁଛନ୍ତି । ସେ ଗୋଟାଏ କୌଶଳ କଲେ । ଓଡ଼ିସିଅସଙ୍କର ଗୋଟିଏ ପୁଅ ହୋଇଥିଲା । ତାର ନାମ ଟେଲିମେକସ । ସେ ପିଲାଟିକୁ ନେଇ ଓଡ଼ିସିଅସଙ୍କ ଲଙ୍ଗଳ ଗାର ଆଗରେ ଥୋଇ ଦେଲେ । ନିଜର ପୁଅକୁ କିପରି ଲଙ୍ଗଳରେ ଭୂଷି ମାରିଦେବେ ? ତେଣୁ ଓଡ଼ିସିଅସ ହଳ ବନ୍ଦ କରି ଠିଆ ହୋଇଗଲେ । ଏବେ ସଫା ଜଣାପଡ଼ିଗଲା ଯେ, ଓଡ଼ିସିଅସ ପାଗଳ ନୁହନ୍ତି । ସବୁ ରାଜା ତାଙ୍କୁ ଯୁଦ୍ଧରେ ଯୋଗ ଦେବାପାଇ; ଅଲିସକୁ ଯିବାପାଇଁ ବାଧ୍ୟ କରି କହିଲେ, ‘‘ଆମେ ସମସ୍ତେ ପ୍ରତିଜ୍ଞା କରିଥାଏଁ, କେହି ହେଲେନଙ୍କୁ ହରଣ କରିନେଲେ ଯୁଦ୍ଧ କରି ତାଙ୍କୁ ଉଦ୍ଧାର କରିବା । ତୁମକୁ ନିଶ୍ଚୟ ଯୁଦ୍ଧକୁ ଯିବାକୁ ହେବ ।’’ ଆଗତ୍ୟା ଓଡ଼ିସିଅସ ନିଜର ସୈନ୍ୟସାମନ୍ତ ଘେନି ଅଲିସରେ ଉପସ୍ଥିତ ହେଲେ ।

 

ସବୁ ରାଜା ଓ ସେମାନଙ୍କ ସୈନ୍ୟମାନେ ଜାହାଜମାନଙ୍କରେ ବସି ଟ୍ରୟ ଅଭିମୁଖରେ ଜାହାଜଗୁଡ଼ିକ ଚଳାଇଲେ । କିଛି ଦିନ ଯିବା ପରେ ସେମାନେ ଟେନିଡ଼ସ ବୋଲି ଗୋଟିଲ ଦ୍ୱୀପରେ ପହଞ୍ଚିଲେ । ସେଠାରେ ସେମାନେ ବିଚାର କରି ସ୍ଥିର କଲେ–ଟ୍ରୟ ନଗର ଆକ୍ରମଣ କରିବା ପୂର୍ବରୁ ମେନେଲସ ଆଗ ଥରେ ଯାଇ ହେଲେନଙ୍କୁ ଫେରାଇଦେବା ପାଇଁ ପାରିସକୁ କହନ୍ତୁ-। ଯଦି ସେ ତାହା କରନ୍ତି, ତେବେ ଯୁଦ୍ଧ କରିବା ଦରକାର ପଡ଼ିବ ନାହିଁ । କିନ୍ତୁ ଯେବେ ସେ ହେଲେନଙ୍କୁ ଫେରାଇ ନ ଦିଅନ୍ତି ତେବେ ଯୁଦ୍ଧ କରିବାକୁ ହେବ । ମେନେଲସ ସଙ୍ଗରେ ଓଡ଼ିସିଅସଙ୍କୁ ନେଇ ଟ୍ରୟରେ ଉପସ୍ଥିତ ହେଲେ ।

 

ଟ୍ରୟରେ ଆଣ୍ଟିନର ବୋଲି ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ । ସେ ଦୁହିଙ୍କୁ ଆଦର ଅଭ୍ୟର୍ଥନା କଲେ । ମେନେଲସ୍‌ ସେମାନଙ୍କ ଆଗମନର ଅଭିପ୍ରାୟ ଜଣାଇବାରୁ ଆଣ୍ଟିନର କହିଲେ, ‘‘ଆମେ ବୁଝିପାରୁଛୁ ଯେ, ଅନ୍ୟର ବିବାହିତ ପତ୍ନୀକୁ ବଳପୂର୍ବକ ଅପହରଣ କରି ଆଣିବା ଏକ ଅନ୍ୟାୟ କାର୍ଯ୍ୟ । ମୁଁ ଏବଂ ରାଜା ପ୍ରାଏମ ଏକଥା ପାରିସ୍‍ଙ୍କୁ କହିଛୁ ଓ ହେଲେନଙ୍କୁ ଫେରାଇ ଦେବାପାଇଁ ବାରମ୍ବାର ଅନୁରୋଧ କରିଛୁ । କିନ୍ତୁ ସେ ଆମମାନଙ୍କର କଥା ଶୁଣୁନାହାନ୍ତି ।’’ ମେନେଲସ ଓ ଓଡ଼ିସିଅସ ନାନା ଯୁକ୍ତି ଦେଖାଇ, ଅନୁନୟ ବିନୟ କରି ପ୍ରାର୍ଥନା କଲେ, ‘‘ହେଲେନଙ୍କୁ ଫେରାଇ ଦେଲେ ଆମେମାନେ ଶାନ୍ତିରେ ଫେରିଯିବୁ । ଯୁଦ୍ଧ କରି ବୃଥା ଜନକ୍ଷୟ କରିବା ଦରକାର ନାହିଁ ।’’

 

ସେମାନଙ୍କର ସବୁ ଚେଷ୍ଟା ବିଫଳ ହେଲା । ପାରିସ୍‍ ଓ ତାଙ୍କର ବନ୍ଧୁମାନେ ଏ ଦୁହିଙ୍କୁ ପ୍ରାଣରେ ମାରିଦେବାକୁ ବସିଥିଲେ କିନ୍ତୁ ଟ୍ରୟର କେତେକ ପ୍ରସିଦ୍ଧ ଲୋକ ସେମାନଙ୍କୁ ଏହି କୁକାର୍ଯ୍ୟରୁ ନିବୃତ୍ତ କଲେ । ମେନେଲସ ଓ ଓଡ଼ିସିଅସ ହତାଶ ହୋଇ ଟେନିଡ଼ସ ଦ୍ୱୀପକୁ ଫେରିଗଲେ ଓ ସେଠାରେ ଥିବା ବନ୍ଧୁମାନଙ୍କୁ ସମସ୍ତ ଘଟନା ଜଣାଇଲେ ।

 

ଟେନିଡସରେ ସମସ୍ତେ ବସି ପୁଣି ବିଚାର କଲେ । ସ୍ଥିର ହେଲା, ଟ୍ରୟ ନଗରକୁ ଜୟ ନ କଲେ ହେଲେନଙ୍କୁ ଫେରି ପାଇବା ସମ୍ଭବ ନୁହେ ।

 

ଟ୍ରୟର ଲୋକେ ଯେ ଚୁପ୍‌ହୋଇ ବସି ରହିଥିଲେ, ତାହା ନୁହେ । ସେମାନେ ସମ୍ବାଦ ପାଇଥିଲେ ଯେ ଗୋଟାଏ ପ୍ରକାଣ୍ଡ ସେନାବାହିନୀ ଜାହାଜରେ ପସି ଟ୍ରୟ ଆକ୍ରମଣ କରିବାକୁ ଆସୁଛନ୍ତି । ତେଣୁ ସେମାନେ ଆଖପାଖର ରାଜାମାନଙ୍କର ସାହାଯ୍ୟ ମାଗିଲେ । ସାହାଯ୍ୟର ଅଭାବ ହେଲା ନାହିଁ । ସ୍ପାର୍ଟାର ସୈନ୍ୟମାନଙ୍କୁ ଧ୍ୱସ୍ତ ବିଧ୍ୱସ୍ତ କରିଦେବାକୁ ସେମାନେ ପ୍ରସ୍ତୁତହୋଇ ରହିଲେ । ପ୍ରାଏମଙ୍କର ବଡ଼ ପୁଅ ହେକ୍ଟର ଓ ଏନିଅସ ବୋଲି ତାଙ୍କର ଜଣେ କୁଟୁମ୍ବୀ ଭାଇ ଟ୍ରୟ ପକ୍ଷରୁ ଯୁଦ୍ଧ କରିବାକୁ ବାହାରିଲେ । ଏହି ଏନିଅସ ଥିଲେ ଆଞ୍ଚାଇସେସଙ୍କ ପୁଅ ଓ ତାଙ୍କର ମାଆ ଥିଲେ ସ୍ୱୟଂ ଆଫ୍ରୋଡାଇଟ ଦେବୀ । ସିକ୍‌ନସ ନାମରେ ଆଉ ଜଣେ ଟ୍ରୟ ପକ୍ଷରେ ଯୋଗ ଦେଇଥିଲେ । ଏହି ସିକ୍‌ନସ ସାଧାରଣ ମନୁଷ୍ୟ ନଥିଲେ । ସେ ଥିଲେ ଏକ ଦେବତାଙ୍କ ପୁତ୍ର । ଏମାନଙ୍କ ମଧ୍ୟରୁ କେତେକ ଉତ୍ତରର ଥ୍ରେସପ୍ରଦେଶରୁ ଓ ଆଉ କେତେକ ଦକ୍ଷିଣର ଲିସିଆ ପ୍ରଦେଶରୁ ଆସିଥିଲେ । ଲିସିଆର ସୈନ୍ୟମାନଙ୍କର ନେତୃତ୍ୱ ନେଇଥିଲେ ଲିସିଆର ରାଜା ସାର୍‌ପେଡ଼ନ । ସେ ଥିଲେ ଦେବରାଜ କିଅସ୍‌ଙ୍କର ପୁତ୍ର । ଟ୍ରୟର ଲୋକେ ଦୂର ଦେଶରୁ ମଧ୍ୟ ସାହାଯ୍ୟ ମଗାଇଥିଲେ । ଇଥିଓପିଆ (ଆବିସିନିଆ)ର ରାଜା ମେମନଙ୍କୁ ସାହାଯ୍ୟ ମଗାଯାଇଥିଲା, କିନ୍ତୁ ଏତେଦୂରରୁ ସେ ସୈନ୍ୟ ଘେନି ଆସିବାର ଆଶା ଅଳ୍ପ ଥିଲା ।

 

ଗ୍ରୀସର ବୀରମାନେ ଜାହାଜରୁ ଓହ୍ଲାଇ ଦେଖିଲେ, ଟ୍ରୟର ସୈନ୍ୟମାନେ ଯୁଦ୍ଧ କରିବା ପାଇଁ ଶ୍ରେଣୀବଦ୍ଧ ଭାବରେ ସଜ୍ଜିତ ହୋଇ ରହିଅଛନ୍ତି । ତେଣୁ ଯୁଦ୍ଧ ଆରମ୍ଭ ହେବାପାଇଁ ବିଳମ୍ବ ଘଟିଲା ନାହିଁ । ଟ୍ରୟର ଦୁଇଜଣ ପ୍ରସିଦ୍ଧ ବୀର ହେକ୍ଟର ଓ ସିକ୍‌ନସ ଗ୍ରୀକ୍‌ ସୈନ୍ୟମାନଙ୍କ ଭିତରେ ପଶି ସେମାନଙ୍କୁ ଅସ୍ତବ୍ୟସ୍ତ କରିଦେଲେ। ବହୁ ଗ୍ରୀକ୍‌ସୈନ୍ୟ ସେ ଦୁହିଙ୍କ ହସ୍ତରେ ନିହତ ହେଲେ । ଗ୍ରୀକ୍‌ପକ୍ଷରେ ଆଚିଲେସ ଏହି ଅବସ୍ଥା ଦେଖି ସମ୍ଭାଳି ହୋଇ ରହି ପାରିଲେ ନାହିଁ । ସେ ରଥରେ ବସି ଟ୍ରୟର ସୈନ୍ୟମାନଙ୍କ ଭିତରକୁ ପଶିଗଲେ । ସିକନସ୍‌ଙ୍କୁ ଦେଖିପାରି ସେ ତାଙ୍କ ଉପରେ ଆକ୍ରମଣ ଚଳାଇଲେ । ସେ ସିକ୍‌ନସଙ୍କୁ ତାଙ୍କ ବର୍ଚ୍ଛାଦ୍ୱାରା ଆଘାତ କଲେ । କିନ୍ତୁ ଏହାଦ୍ୱାରା ତାଙ୍କର ଲବମାତ୍ର କ୍ଷତି ହେଲା ନାହିଁ । ଏଥିରେ କାରଣ ଏହି ଯେ, ସିକ୍‌ନସ ସାଧାରଣ ମନୁଷ୍ୟ ନଥିଲେ । ସେ ଥିଲେ ଏକ ଦେବତାଙ୍କର ପୁତ୍ର, ତେଣୁ ମନୁଷ୍ୟର କୌଣସି ଅସ୍ତ୍ର ତାଙ୍କୁ ଶରୀରରେ ଭେଦିବାର ସମ୍ଭାବନା ନଥିଲା । ଆଚିଲେସ ବର୍ଚ୍ଛାରେ ବାରମ୍ବାର ଆଘାତ କଲେ ସୁଦ୍ଧା ସିକ୍‌ନସଙ୍କ ଶରୀରରୁ ବିନ୍ଦୁଏ ସୁଦ୍ଧା ରକ୍ତ ବାହାରିଲା ନାହିଁ । ଏଥିରେ ଆଚିଲେସ ନିତାନ୍ତ କ୍ରୁଦ୍ଧ ହୋଇଗଲେ । ସେ ଅସ୍ତ୍ରଶସ୍ତ୍ର ତଳେ ଫିଙ୍ଗି ଦେଇ ଖାଲି ହାତ ଗୋଡ଼ରେ ତାଙ୍କୁ ମାଡ଼ି ବସି ଆଘାତ କରିବାକୁ ଲାଗିଲେ । ଶେଷରେ ଆଚିଲେସ ଦୁଇ ହାତରେ ସିକ୍‌ନସଙ୍କ ଗଳାକୁ ଚିପି ତାଙ୍କୁ ବଧ କଲେ ।

 

ସିକ୍‌ନସଙ୍କର ପିତା ସମୁଦ୍ରର ଦେବତା ପସେଉଡ଼ନ ଦୂରରେ ରହି ସିକ୍‌ନସ ଓ ଆଚିଲେସ୍‌ଙ୍କର ଯୁଦ୍ଧ ଦେଖୁଥିଲେ । ସିକ୍‌ନସଙ୍କର ମୃତ୍ୟୁ ହେବାମାତ୍ରେ ସେ ତାଙ୍କୁ ଏକ ରାଜହଂସରୂପେ ସ୍ୱର୍ଗକୁ ନେଇଗଲେ । ଆଚିଲେସ ଶତ୍ରୁର ମୃତ ଦେହକୁ ରଥରେ ରଖି ନିଜ ଶିବିରକୁ ଆଣିବାକୁ ଇଚ୍ଛା କରିଥିଲେ । କିନ୍ତୁ ସେ ଦେଖିଲେ, ସିକ୍‌ନସଙ୍କର କେବଳ ସାଞ୍ଜୁ ପ୍ରଭୃତି ପଡ଼ିଛି, ତାଙ୍କର ମୃତ ଦେହ କୁଆଡ଼େ ଚାଲିଯାଇଛି । ଏହି ସମୟରେ ଆକାଶରେ ଗୋଟିଏ ରାଜହଂସ ଉଡ଼ିଯାଉଥିଲା । ଗ୍ରୀସ୍‌ର ଲୋକଙ୍କର ବିଶ୍ୱାସ, ଏହି ରାଜହଂସଟି ସେହି ସିକ୍‌ନସଙ୍କ ଛଡ଼ା ଅନ୍ୟ କେହି ନୁହେ ।

 

ତିନି

 

ଯୁଦ୍ଧ–କ୍ଷେତ୍ରରେ ଆଚିଲେସ ଯେପରି ବୀରତ୍ୱ ପ୍ରକାଶ କରି ମହାବୀର ସିକନସ୍‌ଙ୍କୁ ବଧ କଲେ ସେଥିରେ ଟ୍ରୟର ସୈନ୍ୟମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । ନଗର ପ୍ରାଚୀର ପାଖରୁ ଦୂରକୁ ଯାଇ ଉନ୍ମୁକ୍ତ ପ୍ରାନ୍ତରରେ ଶତ୍ରୁର ସମ୍ମୁଖୀନ ହେବାପାଇଁ ସେମାନଙ୍କର ଆଉ ସାହସ ଆସିଲା ନାହିଁ । ଓଡ଼ିସିଅସଙ୍କ ପରାମର୍ଶରେ ଗ୍ରୀକ୍‌ମାନେ ସେମାନଙ୍କ ଚାରିପାଖେ ଗୋଟିଏ ଖାତ ଖୋଳିଦେଲେ ଓ ତା ଧାରେ ଧାରେ ଗୋଟିଏ ପାଚିରୀ ତିଆରି କରିଦେଲେ । ଏହି ପ୍ରାଚିରୀରେ ପାଞ୍ଚଟି ଦ୍ୱାର ରହିଲା । ଗ୍ରୀକ୍‌ମାନେ ଏଥିମଧ୍ୟରେ ଟ୍ରୟ ରାଜ୍ୟର ଅନ୍ୟାନ୍ୟ ସହର ଉପରେ ଆକ୍ରମଣ ଚଳାଇଲେ । ଆଚିଲେସ ଲିର୍ଣ୍ଣେସସ ସହର ଅଧିକାର କରି ଗୋଟିଏ ସୁନ୍ଦରୀ ଯୁବତୀଙ୍କୁ ନେଇ ଆସିଲେ । ଏହାଙ୍କର ନାମ ଥିଲା ବ୍ରିସେଇସ । ଆଚିଲେସ ଏହାଙ୍କୁ ବିବାହ କଲେ । ସେହିପରି ଆଗାମେନନ କ୍ରିସେଇସ ନାମରେ ଏକ ଯୁବତୀଙ୍କୁ ନେଇ ଆସିଲେ । କ୍ରି ସେଇସଙ୍କ ପିତା ଥିଲେ ଆପୋଲୋ (ସୂର୍ଯ୍ୟ) ଦେବଙ୍କର ଜଣେ ପୁରୋହିତଙ୍କ କନ୍ୟା । ପୁରୋହିତ ଏହି ଘଟନା ଜାଣି ପାରି ଗଭୀର ଦୁଃଖରେ ଆଗାମେନନଙ୍କ ପାଖକୁ ଆସି କହିଲେ, ‘‘ହେ ମହାଭାଗ, ମୋର କନ୍ୟାଟିକୁ ଫେରାଇ ଦିଅନ୍ତୁ । ମୋର ଯାହା କିଛି ଧନ ରତ୍ନ ଅଛି, ସେ ସବୁ ମୁଁ ଆପଣଙ୍କୁ ଦେବି । ତା ବଦଳରେ ମୋର କନ୍ୟାକୁ ଫେରାଇ ଦିଅନ୍ତୁ ।’’ କିନ୍ତୁ ଆଗାମେନନ ପୁରୋହିତଙ୍କ ଅନୁରୋଧ ନ ଶୁଣି କ୍ରୋଧରେ ତାଙ୍କୁ ଭର୍ତ୍ସନା କରି ଗ୍ରୀକ୍‌ ଶିବିରରୁ ତଡ଼ିଦେଲେ । ପୁରୋହିତ ଦୁଃଖିତ ମନରେ ଗ୍ରୀକ୍‌ ଶିବିର ତ୍ୟାଗ କରି ବାହାରିଲେ ଓ ଆପୋଲୋ ଦେବଙ୍କକୁ ସ୍ତୁତି କରି କହିଲେ, ‘‘ହେ ଧର୍ମଦେବତା, ମୁଁ ଚିରଦିନ ଆପଣଙ୍କର ସେବା ପୂଜା କରି ଆସିଅଛି । ମୋର ଏ ବିପଦରେ ସହାୟ ହୁଅ । ମୋର କନ୍ୟାଟିକୁ ଫେରି ନ ପାଇଲେ ମୋର ଜୀବନରେ ଶାନ୍ତି ଆସିବ ନାହିଁ।’’

 

ଆପୋଲୋ ଦେବ ଭକ୍ତର ଡାକ ଶୁଣିଲେ । ଗ୍ରୀକ୍‌ ଶିବିରରେ ରୋଗର ବୀଜ ବୁଣିଦେଲେ। ଗ୍ରୀକ୍‌ମାନଙ୍କର ଶତ ଶତ ଅଶ୍ୱ ଓ ଗୋମେଷାଦି ରୋଗରେ ମରିବାକୁ ଲାଗିଲେ । ଏହିପରି ଦଶ ଦିନ ଚାଲିଗଲା । ଗ୍ରୀକ୍‌ ସୈନ୍ୟମାନେ ହତୋତ୍ସାହ ହୋଇ ପଡ଼ିଲେ । ଆଚିଲେସ ସୈନ୍ୟମାନଙ୍କୁ ଏକତ୍ର କରାଇ ସେମାନଙ୍କର ପରାମର୍ଶ ଲୋଡ଼ିଲେ । ସେମାନଙ୍କ ମଧ୍ୟରୁ କାଲ୍‌ଚସ ବୋଲି ଜଣେ କହିଲେ, ‘‘ଆଚିଲେସ, ଏ ରୋଗର କାରଣ ଅଛି । ଆପୋଲ ଦେବତା କ୍ରୋଧ କରି ଏହି ରୋଗ ପଠାଇ ଅଛନ୍ତି । ଆପୋଲୋ କାହିଁକି କ୍ରୁଦ୍ଧ ହୋଇଅଛନ୍ତି ତାହାର କାରଣ ମଧ୍ୟ ମୁଁ ଜାଣେ । କିନ୍ତୁ ମୁଁ ସେହି କାରଣ ପ୍ରକାଶ କରିଦେଲେ ଆମର ଜଣେ ପ୍ରଧାନ ବୀର ମୋ ଉପରେ ବିରକ୍ତ ହେବାର ଆଶଙ୍କା ଅଛି । ତେଣୁ ଆପଣ ମୋତେ ରକ୍ଷାକରିବେ ବୋଲି ପ୍ରତିଜ୍ଞା କଲେ ମୁଁ ସମସ୍ତ ଘଟଣା ପ୍ରକାଶ କରିଦେବି ।’’

 

ଆଚିଲେସ କହିଲେ, ‘‘ତୁମେ ପ୍ରକୃତ ଘଟନା ପ୍ରକାଶ କର । କେହି ସେଥିପାଇଁ ତୁମର ଲବମାତ୍ର କ୍ଷତି କରି ପାରିବେ ନାହିଁ । ଏ ବିଷୟରେ ମୁଁ ପ୍ରତିଶ୍ରୁତି ଦେଉଛି ।’’

 

ତହୁଁ କାଲ୍‌ଚସ କହିଲେ, ‘‘ଆମେ ପକ୍ଷର ବୀର ଆଗାମେନନ ଯେଉଁ କ୍ରୀସେଇସ ବୋଲି ଯୁବତୀଙ୍କୁ ନେଇ ଆସିଛନ୍ତି, ସେ ହେଉଛନ୍ତି ଆପୋଲୋ ଦେବଙ୍କର ଜଣେ ପୁରୋହିତଙ୍କର କନ୍ୟା । ତେଣୁ ପୁରୋହିତଙ୍କ ପ୍ରାର୍ଥନାରେ ଆପୋଲୋଦେବ ଆମମାନଙ୍କୁ ଏ ଦଣ୍ଡ ଦେଉଛନ୍ତି । ଦେବତାଙ୍କ କ୍ରୋଧରୁ ରକ୍ଷା ପାଇବାକୁ ହେଲେ ତ୍ରିସେଇସଙ୍କୁ ତାଙ୍କ ପାଖକୁ ପଠାଇ ଦେବାକୁ ହେବ ଓ ଆପୋଲୋ ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶହେଟି ବଳଦ ବଳି ଦେବାକୁ ହେବ ।

 

ଏହା ଶୁଣିଲାକ୍ଷଣି ଆଗାମେନନ ରାଗରେ ଉଠି ପଡ଼ି କହିଲେ, ‘‘ତୁମମାନଙ୍କର ମତ ହେଉଛି, ମୁଁ କ୍ରିସେଇସଙ୍କୁ ଫେରାଇ ଦେବି । ଯଦି ମୋତେ ତାହା କରିବାକୁ ବାଧ୍ୟ କରୁଛ, ତେବେ ତାଙ୍କ ପରିବର୍ତ୍ତରେ ମୋତେ ଅନ୍ୟ ଗୋଟିଏ ସୁନ୍ଦରୀ ଯୁବତୀ ଦେବାକୁ ହେବ । ଅନ୍ୟାନ ଗ୍ରୀକ୍‌ବୀରମାନେ ନିଜ ନିଜର ଲୁଣ୍ଠିତ ଦ୍ରବ୍ୟ ରଖିବା ସ୍ଥଳେ ମୋତେ ସେଥିରୁ ବଞ୍ଚିତ କରିବାକୁ ଯିବା ତୁମମାନଙ୍କ ପକ୍ଷରେ ଘୋର ଅନ୍ୟାୟ ।’’

 

ଆଚିଲେସ ବିରକ୍ତ ହୋଇ କହିଲେ, ‘‘ହେ ଆଗାମେନନ, ତୁମେ ଜଣେ ରାଜା ହେଲେହେଁ ଏପରି ଲୋଭୀ ହୋଇଥିବାର ଦେଖି ମୁଁ ଦୁଃଖିତ । ଆଚ୍ଛା, ତୁମେ ତ୍ରିସେଇସ ପରିବର୍ତ୍ତରେ ଆଉ ଜଣେ ଯୁବତୀ ଚାହୁଁଛ । ତୁମପାଇଁ ଆମେ ଆଉ ଗୋଟିଏ ସୁନ୍ଦରୀ ସ୍ତ୍ରୀ କାହୁଁ ପାଇବୁ ? ବିଭିନ୍ନ ସହର ଆକ୍ରମଣ କରି ଆମେମାନେ ଯାହା ପାଇଥିଲେ ତାକୁ ଆମେମାନେ ବଣ୍ଟନ କରି ନେଇଥାଏଁ । ସେମାନଙ୍କୁ ସେସବୁ ଫେରାଇଦେବାକୁ କୁହାଯାଇ ନପାରେ । ମୋର ଅନୁରୋଧ, ତୁମେ ବିଚଳିତ ହୁଅନାହିଁ । ଈଶ୍ୱରଙ୍କଠାରେ ବିଶ୍ୱାସ ରଖ । ତାଙ୍କ କୃପାରୁ ଆମେ ଦିନେ ଟ୍ରୟ ନଗର ଅଧିକାର କରିବା । ସେତେବେଳେ ତୁମେ ମନଇଚ୍ଛା ଯାହା କିଛି ପାଇ ପାରିବ-।’’

 

କିନ୍ତୁ ଆଗାମେନନ ଏଥିରେ ଶାନ୍ତ ନ ହୋଇ ଆହୁରି ରାଗରେ କହିଲେ, ‘‘ଆଚିଲେସ, ଦେଖ, ତୁମେ ନିଜେ ନିଜେ ସବୁ କଥା ନିଷ୍ପତ୍ତି କରିଦେବା ସୁନ୍ଦର ହେଉନାହିଁ । ତୁମେ ମନେ କରନାହିଁ ଯେ, ସମସ୍ତେ ଯେ ଯାହା ଆଣିଛନ୍ତି, ତାହା ରଖିବେ, ଖାଲି ମୁଁ ଯାହା ଆଣିଛି, ତାହା ଫେରାଇ ଦେବି । କ୍ରିସେଇସର ବଦଳରେ ଗ୍ରୀକ୍‌ମାନେ ଆଉ ଗୋଟିଏ ସୁନ୍ଦରୀ ଆଣିଦେବେ ତ ଭଲ କଥା; ଯଦି ନ ଦିଅନ୍ତି ତେବେ ଜାଣିରଖ, ମୁଁ ନିଜେ ଯାଇ ତୁମର ସ୍ତ୍ରୀକୁ କିମ୍ବା ଅନ୍ୟ କାହାର ସ୍ତ୍ରୀକୁ ବଳପୂର୍ବକ ନେଇ ଆସିବି ।’’

 

ଆଚିଲେସ ଏଥିରେ ବିରକ୍ତ ହେବାର କଥା । ସେ କ୍ରୁଦ୍ଧ ହୋଇ କହିଲେ, ‘‘ଆଗମେନନ, ଏପରି କଥା କହିବାକୁ ତୁମକୁ ଲଜ୍ଜା ହେଉନାହିଁ ? ତୁମଭଳି ଜଣେ ଲୋକକୁ ଗ୍ରୀକ୍‌ମାନେ ନେତାରୂପେ ମାନିବେ ବୋଲି ତୁମେ କିପରି ଆଶା କରୁଛ ? ମୁଁ ନିଜେ ଯୁଦ୍ଧ କରିବାକୁ ଆସିଛି କାହିଁକି ? ଟ୍ରୟବାସୀମାନେ ମୋର ଶତ୍ରୁ ନୁହନ୍ତି; ସେମାନେ ମୋର କିଛି କ୍ଷତି କରିନାହହାନ୍ତି । ସେମାନେ ମୋର ଧନରତ୍ନ ନେଇ ଆସିନାହାନ୍ତି । ତୁମରି ପାଇଁ, ତୁମ ଭାଇ ମେନେଲସ ପାଇଁ ମୁଁ ଯୁଦ୍ଧ କରିବାକୁ ଆସିଛି । ଏକଥା ଭୁଲିଯାଉଛ କିପରି ? ମୁଁ ଏତେ ଯୁଦ୍ଧ କରି ଯେଉଁ ସ୍ତ୍ରୀଟିକୁ ଆଣିଛି, ତାକୁ ବଳପୂର୍ବକ ନେଇଯିବ ବୋଲି କହୁଛ କିପରି ? ଟ୍ରୟ ରାଜ୍ୟର ଯେକୌଣସି ସହା ଆକ୍ରମଣ କଲାବେଳକୁ ମୁଁ ସୈନ୍ୟମାନଙ୍କୁ ଚାଳନା କରୁଛି; ଆଗରେ ରହି ଯୁଦ୍ଧ କରୁଛି । କିନ୍ତୁ ଲୁଣ୍ଠିତ ଦ୍ରବ୍ୟ ନେଲାବେଳକୁ ତୁମ ଭାଗରେ ସବୁଠାରୁ ବେଶି ପଡ଼ୁଛି । ମୁଁ ଦେଖୁଛି, ଏଠାରେ ମୋର ସ୍ଥାନ ନାହିଁ । ମୁଁ ଜାହାଜରେ ବସି ନିଜ ରାଜ୍ୟକୁ ଚାଲିଯାଏଁ । ତେଣିକି ତୁମେ ଯେତେ ଇଚ୍ଛା ବିଜୟ ଲାଭ କରୁଥାଅ ।’’

 

ଆଗାମେନନ ରାଗରେ କହିଲେ, ‘‘ଘରକୁ ଚାଲିଯିବ ? ବେଶ ଯାଅ । ମୁଁ ତୁମକୁ ରହିବା ପାଇଁ ଅନୁରୋଧ କରିବି ନାହିଁ । ମୁଁ ଜାଣେ, ତୁମେ କ୍ଷମତାଶାଳୀ । କୌଣସି ଅସ୍ତ୍ର ତୁମ ଶରୀରକୁ ଭେଦ କରିପାରିବ ନାହିଁ । ଦେବତାମାନେ ତୁମକୁ ଏସବୁ ଶକ୍ତି ଦେଇଅଛନ୍ତି । ତୁମେ ମୋ ଉପରେ ରାଗ କରୁଛ, ସେଥିପାଇଁ ମୋର ଚିନ୍ତା ନାହିଁ । ଆପୋଲୋ ଦେବ ଇଚ୍ଛା କଲେ ମୁଁ କ୍ରିସେଇସଙ୍କୁ ତାଙ୍କ ଘରକୁ ପଠାଇ ଦେବି; କିନ୍ତୁ ମୁଁ ତୁମର ସ୍ତ୍ରୀ ବ୍ରିସେଇସଙ୍କୁ ନ ନେଇ ଛାଡ଼ିବି ନାହିଁ-। ତାହାହେଲେ ତୁମେ ଜାଣିପାରିବ ଯେ ମୋର ଶକ୍ତି ମଧ୍ୟ ତୁମଠାରୁ କମ୍‌ ନୁହେ ।’’

 

ଆଚିଲେସଙ୍କର ଧୈର୍ଯ୍ୟଚ୍ୟୁତ ଘଟି ଆସିଥିଲା । ଆଗାମେନନଙ୍କୁ ଉଚିତ ଶିକ୍ଷା ଦେବାପାଇଁ ସେ ଖୋଳରୁ ତରବାରୀ ବାହାର କରିବାକୁ ଗଲାବେଳକୁ ଏଥିନି ଦେବୀ ହଠାତ୍‌ ଆସି ତାଙ୍କ ପଛରେ ଛିଡ଼ା ହୋଇଗଲେ ଓ ତାଙ୍କ ମୁଣ୍ଡ ଉପରେ ହାତ ରଖିଦେଲେ । ଆଚିଲେସ ବୁଲିପଡ଼ି ଏଥିନିଙ୍କୁ ଦେଖି ବିସ୍ମୟରେ କହିଲେ, ‘‘ଦେବି, ତୁମେ ଏ ସମୟରେ ଏଠାରେ କାହିଁକି ?’’

 

ଏଥିନି ଉତ୍ତର କଲେ, ‘‘ତୁମେ କ୍ରୋଧାନ୍ଧ ହୋଇଥିବାର ଦେଖି ମୁଁ ଆସିବାକୁ ବାଧ୍ୟ ହୋଇଅଛି । ହେରା ଦେବୀ ମୋତେ ପଠାଇ କହିଛନ୍ତି–ଆଚିଲେସ ଓ ଆଗାମେନନ ଉଭୟେ ମୋର ପ୍ରିୟ । ଏ ଦୁହିଁଙ୍କ ମଧ୍ୟରେ ଅପ୍ରୀତି ଘଟିବା ମୋର ଇଚ୍ଛା ନୁହେଁ । ତୁମେ ମୋର କଥା ମାନିବ ବୋଲି ହେରା ଆଶା କରି ମୋତେ ପଠାଇଅଛନ୍ତି । ମୋର ଅନୁରୋଧ, ତୁମର ତରବାରୀ ରଖିଦିଅ । ଆଗାମେନନଙ୍କ ସହିତ ଆଉ କଳହ କରନାହିଁ । ତୁମେ ଆମର କଥା ମାନିଲେ ଆଗାମେନନ ନିଜର କୁକାର୍ଯ୍ୟ ପାଇଁ ଯଥାସମୟରେ ଦଣ୍ଡ ଭୋଗିବେ ।’’

 

ଆଚିଲେସ ତରବାରୀଟିକୁ ଖୋଳ ମଧ୍ୟରେ ରଖିଦେଇ କହିଲେ, ‘‘ଦେବଦେବୀଙ୍କ ଆଦେଶର ବିରୋଧୀ କାର୍ଯ୍ୟ ମୁଁ କଦାପି କରିବି ନାହିଁ ।’’ ଏଥିନି ସନ୍ତୁଷ୍ଟ ହୋଇ ଅଲିମ୍ପସ ପର୍ବତକୁ ଫେରିଗଲେ ।

 

ଆଚିଲେସ ଶାନ୍ତଭାବରେ କହିଲେ, ‘‘ଆଗାମେନନ, ବ୍ରିସେଇସ ମୋର ପତ୍ନୀ; ଯୁଦ୍ଧପରେ ତୁମେ ହିଁ ତାଙ୍କୁ ଆଣି ମୋତେ ଦେଇଥିଲ । ତେଣୁ ହୁଏତ ତୁମେ ବ୍ରିସେଇସଙ୍କୁ ଫେରାଇ ନେଇପାର । କିନ୍ତୁ ଏହାଛଡ଼ା ଯଦି ତୁମେ ମୋର ଅନ୍ୟ କୌଣସି ଜିନିଷ ନେବାକୁ ଚେଷ୍ଟା କର, ତେବେ ତୁମକୁ ମୁଁ ଅବଶ୍ୟ ବଧକରିବି । ମୁଁ ଅଭିଶାପ ଦେଇ କହୁଛି, ମୋ ପରି ସାହସୀ ବୀର ସୈନିକର ଅପମାନ କରିଥିବାରୁ ଅଦୂର ଭବିଷ୍ୟତରେ କେବଳ ତୁମେ ନୁହେଁ, ସମଗ୍ର ଗ୍ରୀକ୍‌ସୈନ୍ୟବାହିନୀ ଅନୁତାପ କରିବେ ।’’

 

ଆଗାମେନନ ପୁରୋହିତଙ୍କ କନ୍ୟା ବ୍ରିସେଇସଙ୍କୁ ତାଙ୍କ ପିତାଙ୍କ ପାଖକୁ ପଠାଇଦେଲେ-। ଆପୋଲୋଙ୍କ ଉଦ୍ଦେଶ୍ୟରେ ବଳି ଦେବାପାଇଁ ଏକ ଶହ ବଳଦ ମଧ୍ୟ ପଠାଗଲା-। ଆଚିଲେସ ନବ-ବିବାହିତ ବ୍ରିସେଇସଙ୍କୁ ଆଗାମେନନଙ୍କ ଶିବିରକୁ ପଠାଇଦେଲେ ସତ; କିନ୍ତୁ ତାଙ୍କ ମନରେ ଗଭୀର ଦୁଃଖ ଜାତ ହେଲା । ସେ ସମୁଦ୍ରତଟରେ ବସି ଲୁହ ଗଡ଼ାଇବାକୁ ଲାଗିଲେ-। ସେ ମନେ ମନେ ସ୍ଥିର କଲେ–ଏଣିକି ଏ ଆଗାମେନନ ସକାଶେ ଯୁଦ୍ଧ କରିବି ନାହିଁ-। ମୋର ଅନୁଗତ ମିରମିଡ଼ନମାନେ ମଧ୍ୟ ଆଉ ଯୁଦ୍ଧରେ ଯୋଗ ଦେବେ ନାହିଁ । ସେ ଘୋର ଚିନ୍ତାକୁଳ ହେଲେ-

 

ସମୁଦ୍ରତୀରରେ ବସି ଅଚିଲେସ ଏହିପରି ଚିନ୍ତା କରୁକରୁ ନିଜ ମାଆ ସାଗରଦେବୀ ଥେଟିସଙ୍କ କଥା ତାଙ୍କର ମନେ ପଡ଼ିଲା । ସେ ବ୍ୟାକୁଳ ହୋଇ ଡାକି କହିଲେ, ‘‘ମାଆ, ମାଆ, ମୋର ଦୁଃଖ ଅସହ୍ୟ ହେଲାଣି । ମୁଁ ଜାଣେ, ମୁଁ ଯୁବକ ଅବସ୍ଥାରେ ମରିବି । କିନ୍ତୁ ମୁଁ ଆଶା କରିଥିଲି, ଏହି ସ୍ୱଳ୍ପ ଜୀବନକାଳ ମଧ୍ୟରେ ଏପରି କାର୍ଯ୍ୟ କରିଯିବି ଯେ, ମୋର ଯଶ ଚିରଦିନ ପାଇଁ ରହିଯିବ । କିନ୍ତୁ ଏବେ ମୁଁ ଆଗାମେନନ ଦ୍ୱାରା ଅପମାନିତ । ମୋର ପତ୍ନୀ ତାର ହସ୍ତଗତ ।’’

 

ଥେଟିସ ଦେବୀ ସାଗରଗର୍ଭରେ ନିଜ ପ୍ରାସାଦରେ ରହି ଆଚିଲେସଙ୍କର କଥା ଶୁଶିପାରିଲେ । ସେ ସମୁଦ୍ରତୀରକୁ ଆସି ପୁତ୍ରକୁ ପ୍ରବୋଧ ଦେଇ କହିଲେ, ‘‘ବତ୍ସ, ତୁ ଚିନ୍ତା କରନା-। ତୋର ଇଚ୍ଛା ପୂରଣ ହେବ । ଗ୍ରୀକ୍‌ମାନେ ମୋର ପୁଅକୁ ଯେଉଁ ଅପମାନ ଦେଇଛନ୍ତି, ସେଥିପାଇଁ ସେମାନେ ଦଣ୍ଡ ନ ଭୋଗିବାଯାଏ ଟ୍ରୟର ଜୟ ହେଉଥିବ । ମୁଁ ନିଜେ ଯାଇ ଦେବରାଜ ଜିଅସ୍‌ଙ୍କୁ ଏହା ହିଁ ଅନୁରୋଧ କରିବି ।

 

ଆଚିଲେସ ଶାନ୍ତି ଲାଭ କରି ନିଜ ଜାହାଜକୁ ଫେରିଗଲେ ।

 

ଚାରି

 

ସାଗରଦେବୀ ଥେଟିସ ଯାଇ ଜିଅସ୍‌ଙ୍କ ନିକଟରେ ନିଜର ଅଭିପ୍ରାୟ ପ୍ରକାଶ କଲେ । ଜିଅସ ତାଙ୍କର ଅଭିଳାଷ ପୂରଣ କରିବାର ଆଶା ଦେଲେ । ଜିଅସଙ୍କ କୌଶଳକ୍ରମେ ଆଗାମେନନ ଗୋଟିଏ ସ୍ୱପ୍ନ ଦେଖିଲେ । ସ୍ୱପ୍ନରେ ତାଙ୍କୁ ଆଦେଶ ହେଲା–ତୁମେ ଗ୍ରୀକ୍‌ ସୈନ୍ୟମାନଙ୍କୁ ନେଇ ଟ୍ରୟ ନଗର ଆକ୍ରମଣ କର ।

 

ପର ଦିନ ସକାଳେ ସେ ଗ୍ରୀସ୍‌ର ରାଜାମାନଙ୍କୁ ଡକାଇ ଗୋଟିଏ ସଭା କଲେ । ସଭାରେ ସେ ସ୍ୱପ୍ନ ବୃତ୍ତାନ୍ତ ବର୍ଣ୍ଣନା କରି ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେବା ପାଇଁ କହିଲେ । ମାତ୍ର ସେତେବେଳକୁ ଅଧିକାଂଶ ରାଜାଙ୍କର ଆଉ ଯୁଦ୍ଧ ଚଳାଇବା ପାଇଁ ଇଚ୍ଛା ନଥାଏ । ସେମାନଙ୍କ ଭିତରୁ ଥର୍‌ସାଇଟସ ବୋଲି ଜଣେ ରାଜା କହିଉଠିଲେ, ‘‘ଆଗାମେନନ, ମୁଁ ଦେଖୁଛି ତୁମର ଲୋଭ ଅତି ବେଶି । ଆମେ ଏଥି ମଧ୍ୟରେ ଯେତିକି ଜୟଲାଭ କରିଛୁ, ତାହା ଫଳରେ ତୁମେ ହିଁ ସବୁଠାରୁ ଅଧିକ ଲାଭବାନ୍‌ ହୋଇଛ । ଲୁଣ୍ଠିତ ଧନରତ୍ନର ଅଧିକାଂଶ ତୁମେହିଁ ନେଇଛ । କେତେ ସୁନ୍ଦରୀ ରମଣୀଙ୍କୁ ଆଣି ତୁମ ଶିବିରରେ ଦାସୀ କରି ରଖିଛ । ଟ୍ରୟର ଶତ ଶତ ଯୁବକ ତୁମର ସେବାରେ ଲାଗିଛନ୍ତି । ଏହାଠାରୁ ଆଉ ଅଧିକ କଅଣ ଚାହଁ ? ଭାଇମାନେ ! ଚାଲ, ଆମେମାନେ ନିଜ ନିଜ ଜାହାଜରେ ବସି ସ୍ୱଦେଶକୁ ଫେରିଯିବା । ଆଗାମେନନ ଏଠାରେ ରହି ଯାହା ଇଚ୍ଛା ତାହା କରୁଥାନ୍ତୁ । ଦେଖୁଛ, ସେ କିପରି ଆମର ବୀରଶ୍ରେଷ୍ଠ ଆଚିଲେସଙ୍କୁ ଅପମାନ ଦେଇଛନ୍ତି, ତାହା ସମସ୍ତଙ୍କୁ ଜଣା । ସେ ଯୁଦ୍ଧ କରିବେ ତ କରୁଥାନ୍ତୁ ।’’

 

ସଙ୍ଗେ ସଙ୍ଗେ ଓଡ଼ିସିଅସ୍‌ ଉଠି କହିଲେ, ‘‘ହେ ନିର୍ବୋଧ ଥର୍‍ସାଇଟସ, ତୁମେ ଚୁପ୍‌ କରି ରହ । ରାଜା ଆଗାମେନନ ଆମର ନେତା; ତାଙ୍କ ବିଷୟରେ ଏପରି କଥା କହିବାର ଅଧିକାର ତୁମକୁ କିଏ ଦେଲା ? ଏପରି ଅନଧିକାର ଚର୍ଚ୍ଚାର ପରିଣାମ କଅଣ ତୁମେ ଜାଣ ନାହିଁ ।’’ ଏହା କହି ସେ ଥର୍‍ସାଇଟସ୍‌ଙ୍କ ବେକରେ ଏପରି ଏକ ବିଧା ମାରିଲେ ଯେ ସେ ତଳେ ବସି ପଡ଼ିଲେ । ତାଙ୍କ ଆଖିରୁ ଲୁହ ବୋହିଗଲା । ଥର୍‌ସାଇଟସ ଦେଖିବାକୁ କଦାକାର ଥିଲେ । ସେ ବିଧାଖାଇ ତଳେ ବସି ପଡ଼ି କାନ୍ଦିବାର ଦୃଶ୍ୟ ଦେଖି ଅନ୍ୟମାନେ ତାଙ୍କୁ ଉପହାସ କରିବାକୁ ଲାଗିଲେ ।

 

ଥର୍‍ସାଇଟସଙ୍କୁ ଏହିପରି ଅପଦସ୍ଥ କରି ଓଡ଼ିସିଅସ ପୁଣି କହିଲେ, ‘‘ଭାଇମାନେ, ସ୍ପାର୍ଟାରେ ଟିଣ୍ଡାରିଅସଙ୍କ ପାଖେ ଆମେମାନେ ଯେଉଁ ପ୍ରତିଜ୍ଞା କରିଥାଇଁ, ତାହା କଅଣ ଭୁଲିଯିବା ? ହେଲେନଙ୍କର ଉଦ୍ଧାର କରିବା କଅଣ ଆମର କର୍ତ୍ତବ୍ୟ ନୁହେଁ ? ମୁଁ ସ୍ୱୀକାର କରୁଛି, ଆମେ ଦୀର୍ଘକାଳ ହେଲା ମାତୃଭୂମି ଛାଡ଼ି ବିଦେଶରେ ରହିଥାଏଁ । ଏପରି ଜୀବନଯାପନ କଷ୍ଟକର । କିନ୍ତୁ ହେଲେନଙ୍କୁ ଉଦ୍ଧାର ନ କରି ଶୂନ୍ୟହାତରେ ଫେରିଯିବା ଯେ ତହିଁରୁ ବଳି କଷ୍ଟକର ଏଥିରେ ସନ୍ଦେହ ନାହିଁ । ଆଉ କିଛିଦିନ ଧୈର୍ଯ୍ୟ ଧରି ପଡ଼ିବାକୁ ହେବ । ଦିନେ ପ୍ରାଏମଙ୍କର ଏହି ଟ୍ରୟ ନଗର ଆମେ ଜୟ କରିବା । ଗ୍ରୀକ୍‌ ଜାତିର ମାନସମ୍ମାନ ରଖିବା।’’

 

ଓଡ଼ିସିଅସଙ୍କର ଏହି ବକ୍ତୃତା ଶୁଣି ସମସ୍ତେ କରତାଳିଦ୍ୱାରା ସମର୍ଥନ ଜଣାଇଲେ ଓ ତାଙ୍କର ବିଶେଷ ପ୍ରଶଂସା କଲେ। ସେହିଦିନ ହିଁ ଟ୍ରୟବାସୀଙ୍କ ସହିତ ଯୁଦ୍ଧ କରିବାର ସ୍ଥିର ହେଲା । ଗ୍ରୀକ୍‌ବୀରମାନେ ନିଜ ନିଜର ସାଞ୍ଜୁ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମାଜି ଚକ୍‌ ଚକ୍‌ କରି ଦେଲେ ।

 

ଗ୍ରୀକ୍‌ ରାଜାମାନେ ସୈନ୍ୟବାହିନୀ ସହିତ ଟ୍ରୟ ନଗର ଆଡ଼କୁ ଅଗ୍ରସର ହେଲେ । ସେତିକି ବେଳକୁ ଟ୍ରୟର ରାଜା ବୃଦ୍ଧ ପ୍ରାଏମ ନଗର ତୋରଣର ନିକଟବର୍ତ୍ତୀ ଏକ ଗମ୍ବୁଜ ଉପରେ ବସି ଚାହିଁଥିଲେ । ଗ୍ରୀକ୍‌ମାନେ ନଗର ଆଡ଼କୁ ଆସୁଥିବାର ସେ ଦେଖିପାରିଲେ । ଏହି ସମୟରେ ହେଲେନ ପ୍ରାଚୀର ମୂଳରେ ଯାଉଥିବାର ଦେଖି ସେ ତାଙ୍କୁ ପାଖକୁ ଡାକିଲେ । ପ୍ରାଏମଙ୍କ ପାଖରେ ଆଉ କେତେ ଜଣ ବୃଦ୍ଧ ବିଶିଷ୍ଟ ବ୍ୟକ୍ତି ବସିଥିଲେ । ସେମାନଙ୍କ ଦୃଷ୍ଟି ହେଲେନଙ୍କ ଉପରେ ପଡ଼ିଲା-। ହେଲେନଙ୍କୁ ଦେଖି ସେମାନେ ପରସ୍ପର କଥାବାର୍ତ୍ତା ହେଲେ, ‘‘ଏପରି ଜଣେ ସୁନ୍ଦରୀ ମହିଳା ଲାଗି ଆଜି ଯେ ଗ୍ରୀକ ଓ ଟ୍ରୟବାସୀଙ୍କ ମଧ୍ୟରେ ଯୁଦ୍ଧ ଲାଗିଛି ସେଥିରେ ବିସ୍ମୟର କିଛି କାରଣ ନାହିଁ । ଏଭଳି ଯୁଦ୍ଧରେ ଯିଏ ହାରିବ, ତାର ମଧ୍ୟ ଲଜ୍ଜିତ ହେବାର କଥା ନୁହେଁ । ଏ ହେଲେନଙ୍କୁ ଦେଖିଲା ମାତ୍ରେ ଯେ କେହି ଏକ ଦେବୀ ବୋଲି ମନେ କରିବ । ତଥାପି ତାଙ୍କ ଯୋଗେ ଏତେବଡ଼ ଯୁଦ୍ଧ ଲାଗିଛି, ତାହା ଦୁଃଖର କଥା । ସେ ନିଜ ଦେଶ ଗ୍ରୀସକୁ ଚାଲିଗଲେ ଟ୍ରୟ ଶାନ୍ତିର ନିଃଶ୍ୱାସ ପକାନ୍ତା ।’’

 

ପ୍ରାଏମ ସ୍ନେହରେ ହେଲେନଙ୍କୁ ପାଖରେ ବସାଇ କହିଲେ, ‘‘ଝିଅ, ତୁ ହେଉଛୁ ଏ ଯୁଦ୍ଧର କାରଣ; ସେଥିପାଇଁ କେହି ହୁଏତ ତୋତେ ଦୋଷ ଦେଉଥିବ; କିନ୍ତୁ ମୁଁ ତୋ ଉପରେ ଆଦୌ ଦୋଷ ଦେଉନାହିଁ । ଆମେ ଛାର ମନୁଷ୍ୟ କଅଣ କରିପାରିବା ? ଦେବତାମାନେ ଆମପାଇଁ ଯାହା ସ୍ଥିର କରିଥାନ୍ତି, ଆମେ ତାହା ହିଁ କରୁଁ । ତେଣୁ ତୁ ଏଠାକୁ ଆସିବା ଦୈବନିର୍ଦ୍ଦିଷ୍ଟ । ଏ ଯୁଦ୍ଧ ମଧ୍ୟ ଦୈବନିର୍ଦ୍ଦିଷ୍ଟ । ଆଚ୍ଛା ଝିଅ, ସେକଥା ଥାଉ । ଏଇ ଦେଖ, ଗ୍ରୀକ୍‌ ସୈନ୍ୟମାନେ ଆମ ନଗର ପ୍ରାଚୀର ଆଡ଼କୁ ଆସୁଛନ୍ତି । ତୁ ସେମାନଙ୍କୁ ମୋତେ ଚିହ୍ନାଇ ଦେ ।’’

 

ହେଲେନ ଆଖି ଛଳଛଳ କରି କହିଲେ, ‘‘ମୁଁ ଆପଣଙ୍କ ପୁତ୍ରଙ୍କ ସଙ୍ଗେ ଆସି ତାଙ୍କୁ ପତିରୂପେ ଗ୍ରହଣ କରିଅଛି, ତେଣୁ ଆପଣ ମୋର ପିତୃତୁଲ୍ୟ । ମୁଁ ଏଠାରେ ରହିଥିବାରୁ ଲଜ୍ଜା ଅନୁଭବ କରୁଅଛି । ଏଠାକୁ ଆସିବା ପୂର୍ବରୁ ମୋର ମୃତ୍ୟୁ ଘଟିଥିଲେ ଭଲ ହୋଇଥାନ୍ତା । ମୁଁ ମୋର ସ୍ୱାମୀ, ମୋର ଶିଶୁ କନ୍ୟା ଓ ସାଙ୍ଗସାଥିମାନଙ୍କୁ ଛାଡ଼ି ଘୋର ବ୍ୟଥା ଅନୁଭବ କରୁଅଛି । ଆପଣ ଯାହା କହିଲେ, ସବୁ ଦୈବର ଅଧୀନ–ତାହା ମୁଁ ମାନୁଛି। ମୋର ଏଠାକୁ ଆସିବା ଦୈବର ଇଚ୍ଛା ବୋଲି ମୁଁ ଧରି ନେଇଛି । ତେଣୁ ମୁଁ ଦୁଃଖରେ ଭାଙ୍ଗି ପଡ଼ିନାହିଁ । ଆପଣ ଗ୍ରୀକ୍‌ବୀରମାନଙ୍କୁ ଚିହ୍ନିବାକୁ ଚାହାନ୍ତି । ଆପଣ ଅଙ୍ଗୁଳି ନିର୍ଦ୍ଦେଶ କରି ଯାହାଙ୍କୁ ଦେଖାଇବେ ମୁଁ ଯଥାସମ୍ଭବ ତାଙ୍କର ପରିଚୟ ଜଣାଇବାକୁ ପ୍ରସ୍ତୁତ ଅଛି !

 

ପ୍ରାଏମ ଅଙ୍ଗୁଳି ନିର୍ଦ୍ଦେଶ କରି ଜଣ ଜଣଙ୍କୁ ଦେଖାଇଲେ ଓ ହେଲେନ ତାଙ୍କର ପରିଚୟ ଦେଇଗଲେ ।

 

‘‘ପ୍ରଥମେ ଆପଣ ଯାହାଙ୍କୁ ଦେଖାଇଲେ ସେ ହେଉଛନ୍ତି ଆଗାମେନନ । ସେ ଯେ କେବଳ ଗ୍ରୀସର ଜଣେ ପ୍ରସିଦ୍ଧ ରାଜା, ତାହା ନୁହେ, ସେ ମଧ୍ୟ ଜଣେ ପ୍ରବଳପରାକ୍ରାନ୍ତ ବୀର । ମୋର ବଡ଼ ଭଉଣୀ ତାଙ୍କୁ ବିବାହ କରିଥିଲେ । ତେଣୁ ସେ ମୋର ଦେଢ଼ଶୂର ହୋଇଥିଲେ ।’’

 

ପ୍ରାଏମ ଅନ୍ୟ ଜଣକୁ ଅଙ୍ଗୁଳି ଦେଖାଇ କହିଲେ, ‘ଏ ଲୋକଟି ଉଚ୍ଚତାରେ ଆଗାମେନନଙ୍କଠାରୁ ଟିକିଏ ଊଣା ହେବେ । କିନ୍ତୁ ତାଙ୍କର ପେଶଳ ବହୁ ଓ ଉନ୍ନତ ବକ୍ଷ ଦେଖିଲେ ମନେହୁଏ, ସେ ଜଣେ ପରାକ୍ରାନ୍ତ ବୀର ହୋଇଥିବେ । ଏବେ ସୁଦ୍ଧେ ସେ ବର୍ମ ପରିଧାନ କରି ନାହାନ୍ତି । ଲୋକମାନଙ୍କୁ ସେ ଉତ୍ସାହିତ କରିବାରେ ଲାଗିଛନ୍ତି । ତାଙ୍କୁ ତୁ ଚିହ୍ନୁ କି ?’’

 

ହେଲେନ କହିଲେ, ‘‘ହଁ, ତାଙ୍କୁ ଉତ୍ତମରୂପେ ଜାଣେ । ତାଙ୍କର ନାମ ହେଉଛି ଓଡ଼ିସିଅସ୍‌। ସେ ଇଥାକାର ରାଜା ଅଟନ୍ତି । ଯେଉଁମାନେ ଗ୍ରୀସରୁ ଏଠାକୁ ଯୁଦ୍ଧ କରିବାକୁ ଆସିଅଛନ୍ତି, ସେମାନଙ୍କ ମଧ୍ୟରେ ସେ ବିଶେଷ ବିଜ୍ଞ ବୋଲି ପରିଚିତ ।’’

 

ଏହା କହୁ କହୁ ତାଙ୍କ ଚକ୍ଷୁର ଲୋତକ ଧାର ବହି ଆସିଲା । ଗ୍ରୀସ୍‌ ଓ ଟ୍ରୟ ଏ ଦୁଇ ରାଜ୍ୟର ଲୋକେ ତାଙ୍କରି ଲାଗି ଏତେ ଦୁଃଖ ଭୋଗୁଅଛନ୍ତି ବୋଲି ତାଙ୍କର ମନରେ କଷ୍ଟ ହେଉଥିଲା ।

 

ପ୍ରାଚୀର ସମକ୍ଷରେ ଥିବା ସମତଳ କ୍ଷେତ୍ରରରେ ଦୁଇ ପକ୍ଷର ସୈନ୍ୟ ପରସ୍ପରର ସମ୍ମୁଖୀନ ହେଲେ । ଟ୍ରୟର ସୈନ୍ୟମାନେ ଆନନ୍ଦରେ କୋଳାହଳ କରୁଥିଲେ । କିନ୍ତୁ ଗ୍ରୀକ୍‌ ସୈନ୍ୟମାନେ ନୀରବରେ ଅଗ୍ରସର ହେଉଥିଲେ । ପାରିସ୍‍ ଉଜ୍ଜ୍ୱଳ ବର୍ମ ପରିଧାନ କରି ଟ୍ରୟର ସୈନ୍ୟମାନଙ୍କୁ ଚାଳନା କରୁଥିଲେ । ତାଙ୍କ ସ୍କନ୍ଧରେ ଧନୁ ଓ କଟିଦେଶରେ ତରବାରୀ ଶୋଭା ପାଉଥିଲା । ଗ୍ରୀସ ପକ୍ଷର ମେନେଲସ ପାରିସଙ୍କୁ ଦେଖିଲା ମାତ୍ରେ ଏକ ଭୀଷଣ ଆନନ୍ଦ ଅନୁଭବ କଲେ । ଯେଉଁ ପାରିସ୍‍ ତାଙ୍କର ପ୍ରିୟତମା ହେଲେନଙ୍କୁ ଅପହରଣ କରି ଆଣିଛି, ତାକୁ ଯୁଦ୍ଧରେ ନିହତ କରି ପ୍ରତିଶୋଧ ନେବା ଆଶାରେ ତାଙ୍କର ଏହି ଆନନ୍ଦ ଜନ୍ମିଥିଲା । ସେ ରଥରୁ ଡେଇଁପଡ଼ି ପାରିସ୍‍ଙ୍କ ଆଡ଼କୁ ଦୌଡ଼ିଗଲେ । କିନ୍ତୁ ପାରିସ୍‍ ମେନେଲସଙ୍କୁ ଦେଖିଲା ମାତ୍ରେ ଭୟରେ କାତର ହୋଇ ପଡ଼ିଲେ । ସେ ନିଜର ସଙ୍ଗୀମାନଙ୍କ ପଛରେ ଲୁଚିଯିବାକୁ ଚେଷ୍ଟାକଲେ । ତାଙ୍କ ଭାଇ ହେକ୍ଟର ଏହା ଦେଖିପାରି କହିଲେ, ‘‘ତୁ କେଡ଼େ ହତଭାଗ୍ୟ ! ତୋତେ ଲଜ୍ଜା ନାହିଁ । ତୁ ଜନ୍ମିତ ନଥିଲେ ବରଂ ଭଲ ହୋଇଥାନ୍ତା । ତୁ ଆମମାନଙ୍କର ଲଜ୍ଜା ଓ ଅପମାନର କାରଣ । ତୋର କାପୁରୁଷତା ଦେଖିଲେ ଗ୍ରୀକ୍‌ମାନେ ଆମକୁ ଉପହାସ କରିବେ । ତୁ ଯେ କିପରି ଏତେ ଗୁଡ଼ିଏ ବୀର ପୁରୁଷଙ୍କୁ ସଙ୍ଗରେ ନେଇ ସମୁଦ୍ର ପାର ହୋଇ ଅନ୍ୟ ଜଣଙ୍କର ପତ୍ନୀକୁ ଭୁଲାଇ ଆଣିଲୁ ତାହା ହିଁ ମୋତେ ଆଶ୍ଚର୍ଯ୍ୟ ବୋଧ ହେଇଅଛି । ତୋର ବୃଦ୍ଧ ପିତା ପ୍ରାଏମ ତୋ ଲାଗି ବିପଦର ସମ୍ମୁଖୀନ; ବନ୍ଧୁମାନେ ଚିନ୍ତିତ ଓ ଆମର ପ୍ରିୟ ଟ୍ରୟ ନଗରୀ ବିପନ୍ନ । ଏବେ ତୋର ଏ କାପୁରୁଷୋଚିତ ଆଚରଣରେ ଶତ୍ରୁମାନେ ହସୁଛନ୍ତି, ଆମେମାନେ ଲଜ୍ଜିତ ।’’

 

ଏହା ଶୁଣି ପାରିସ୍‍ ନିତାନ୍ତ ଲଜ୍ଜିତ ହୋଇଗଲେ । ସେ କହିଲେ, ‘‘ହେକ୍ଟର, ତୁମେ ଯାହା କହିଲ ତାହା ଯଥାର୍ଥ । ମୁଁ ସର୍ବଦା ତୁମପରି ବୀରତ୍ୱ ପ୍ରକାଶ କରିବାକୁ ଅକ୍ଷମ, ଏକଥା ସ୍ୱୀକାର କରୁଛି; କିନ୍ତୁ ମୁଁ ଭୀରୁ କାପୁରୁଷ ନୁହେଁ । ତାର ପ୍ରମାଣ ଦେବାକୁ ମୁଁ ପ୍ରସ୍ତୁତ । ତୁମେ ଉଭୟ ପକ୍ଷର ସୈନ୍ୟମାନଙ୍କୁ ଏହି ସମତଳ ପ୍ରାନ୍ତରରେ ବସିବାକୁ କହ । ମୁଁ ମେନେଲସଙ୍କ ସହିତ ଏକାକୀ ଯୁଦ୍ଧ କରିବି । ଏହି ଦ୍ୱନ୍ଦଯୁଦ୍ଧରେ ଯିଏ ବିଜୟୀ ହେବ, ହେଲେନଙ୍କୁ ସେ ପାଇବ । ଏହା କରାଗଲେ ଟ୍ରୟ ଶାନ୍ତି ଲାଭ କରିବ ଓ ଗ୍ରୀକ୍‌ମାନେ ସ୍ୱଦେଶକୁ ବାହୁଡ଼ିଯିବେ ।’’

 

ଏହି ପ୍ରସ୍ତାବରେ ହେକ୍ଟର ଅତ୍ୟନ୍ତ ଆନନ୍ଦିତ ହେଲେ । ସେ ଉଭୟ ପକ୍ଷର ସୈନ୍ୟମାନଙ୍କୁ ଏହି ପ୍ରସ୍ତାବ ଜଣାଇବାରୁ ସମସ୍ତେ ଯୁଦ୍ଧବିରତିରେ ସ୍ୱୀକୃତ ହେଲେ । ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ ଯେଉଁ ଉନ୍ମୁକ୍ତ ବ୍ୟବଧାନ ଥିଲା ସେହିଠାରେ ଦ୍ୱନ୍ଦ୍ୱଯୁଦ୍ଧ ହେବ ବୋଲି ସ୍ଥିର ହେଲା । ଏହାର ନିୟମାବଳୀ ସ୍ଥିର କରିବାର ଭାର ରହିଲା ପ୍ରାଏମ ଓ ଆଗାମେନନଙ୍କ ଉପରେ । ପ୍ରଥମେ ପ୍ରାଏମ ଦୁଇଟି ମେଷ ଶାବକ ବଳି ଉଦ୍ଦେଶ୍ୟରେ ଅର୍ପଣ କଲେ । ଆଗା ମେନନ କୋଷରୁ ତରବାରୀ ବାହାର କରି କହିଲେ, ‘‘ଏହି ଦ୍ୱନ୍ଦ୍ୱଯୁଦ୍ଧରେ ଯଦି ପାରିସ୍‍ ମେନେଲସଙ୍କୁ ବଧ କରନ୍ତି, ତେବେ ସେ ହେଲେନଙ୍କୁ ରଖିବେ ଓ ଗ୍ରୀକ୍‌ମାନେ ନିଜ ଦେଶକୁ ଫେରିଯିବେ । ସେମାନଙ୍କ ଉପରେ କେହି କିଛି ଅତ୍ୟାଚାର କରିବେ ନାହିଁ । କିନ୍ତୁ ଯଦି ଯୁଦ୍ଧରେ ପାରିସ୍‍ଙ୍କର ମୃତ୍ୟୁ ହୁଏ, ତାହାହେଲେ ମେନେଲସ ଟ୍ରୟରୁ ହେଲେନଙ୍କୁ ନେଇଯିବେ । ଯଦି ଟ୍ରୟବାସୀ ଏଥିରେ କିଛି ବାଧା ଦିଅନ୍ତି, ତାହାହେଲେ ଗ୍ରୀକ୍‌ମାନେ ଈଶ୍ୱରଙ୍କ ଆଶୀର୍ବାଦରୁ ଯୁଦ୍ଧ କରି ପ୍ରତ୍ୟେକ ଟ୍ରୟବାସୀକୁ ହତ୍ୟା କରିବେ ଓ ଟ୍ରୟ ନଗର ଧ୍ୱଂସ ପାଇବ ।’’

 

ଏହାପରେ ଆଗାମେନନ ମେଷଶାବକ ଦୁଇଟିକୁ ବଧ କରି ବଳି ପକାଇଲେ ଏବଂ ଦେବରାଜ ଜିଅସ୍‌ଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କଲେ । ଉଭୟ ପକ୍ଷର ସୈନ୍ୟ ନୀରବରେ ଏହି ପ୍ରାର୍ଥନା ଶୁଣିଲେ । ଦ୍ୱନ୍ଦଯୁଦ୍ଧର ବ୍ୟବସ୍ଥା ହୋଇଯିବାରୁ ପ୍ରାଏମ ନିଜ ରଥରେ ବସି ନଅରକୁ ଚାଲିଗଲେ; କାରଣ ଏହି ଦ୍ୱନ୍ଦ୍ୱଯୁଦ୍ଧର ତାଙ୍କର ପୁଅ ପାରିସ୍‍ ଏକ ପକ୍ଷରୁ ଯୁଦ୍ଧ କରିବାର କଥା । ଦ୍ୱନ୍ଦ୍ୱଯୁଦ୍ଧର ପରିମାଣ କଅଣ ହେବ ତାହା କିଏ ଜାଣେ ?

 

ପାରିସ୍‍ ଓ ମେନେଲସ ଯୁଦ୍ଧ ନିମନ୍ତେ ବର୍ମ, ଶିରସ୍ତ୍ରାଣ ପ୍ରଭୃତି ପରିଧାନ କଲେ । ହେକ୍ଟର ଓ ଓଡ଼ିସିଅସ ପ୍ରାନ୍ତରର ଗୋଟିଏ ଅଂଶ ଚିହ୍ନିତ କରିଦେଲେ । ଏହି ସୀମା ମଧ୍ୟରେ ରହି ଯୁଦ୍ଧ କରିବାର କଥା ହେଲା ।

 

ଯୁଦ୍ଧ ପରିଚ୍ଛଦ ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପାରିସ୍‍ ଓ ମେନେଲସ ରଣାଙ୍ଗନରେ ପ୍ରବେଶ କଲେ । ପ୍ରଥମେ ପାରିସ୍‍ ବର୍ଚ୍ଛା ନିକ୍ଷେପ କଲେ । ତାଲାଦ୍ୱାରା ମେନେଲସ ଏହାକୁ ପ୍ରତିହତ କରିବାରୁ ଏହା ଲକ୍ଷ୍ୟଭ୍ରଷ୍ଟ ହୋଇ ତାଙ୍କ ଶରୀରକୁ ସ୍ପର୍ଶ ସୁଦ୍ଧା କରି ପାରିଲା ନାହିଁ । ତତ୍ପରେ ମେନେଲସ ଜିଅସ୍‌ଙ୍କୁ ପ୍ରାର୍ଥନା କରି ତାଙ୍କର ବର୍ଚ୍ଛା ପାରିସଙ୍କ ଲକ୍ଷ୍ୟରେ ନିକ୍ଷେପ କଲେ । ଏହା ପାରିସ୍‍ଙ୍କର ଢାଲକୁ ଭେଦ କରି ତାଙ୍କ ଶରୀରକୁ ସ୍ପର୍ଶ କଲା, ମାତ୍ର କୌଣସି ଆଘାତ କରିପାରିଲା ନାହିଁ ।

 

ଏହାପରେ ମେନେଲସ କୋଷରୁ ତରବାରୀ ବାହାର କରି ପାରିସଙ୍କ ଶିରସ୍ତ୍ରାଣ ଉପରେ ଆଘାତ କଲେ । ଏହା ଫଳରେ ତରବାରୀଟି ଭାଙ୍ଗିଗଲା । ତହୁଁ ମେନେଲସ ପାରିସ୍‍ଙ୍କ ଶିରସ୍ତ୍ରାଣ ଉପରେ ଥିବା ଚୁଳକୁ ଧରି ତାଙ୍କୁ ଟାଣି ଟାଣି ଗ୍ରୀକ୍‌ମାନଙ୍କ ପାଖକୁ ନେଇ ଆସିଲେ । ଶିରସ୍ତ୍ରାଣର ଫିତାଟି ପାରିସ୍‍ଙ୍କର ଓଠତଳେ ବନ୍ଧା ହୋଇଥିଲା । ପାରିସଙ୍କୁ ଟାଣିନେବାବେଳେ ଫିତାରେ ତାଙ୍କ ଗଳା ଚିପି ହୋଇ ଯାଇଥାନ୍ତା ଓ ସେ ପ୍ରାଣ ହରାଇଥାନ୍ତେ । ତାହାହେଲେ ଏତିକିରେ ଯୁଦ୍ଧ ବନ୍ଦ ହୋଇଯାଇଥାନ୍ତା ଓ ମେନେଲସ ବିଜୟୀ ହୋଇଥାନ୍ତେ । କିନ୍ତୁ ଆଫ୍ରୋଡାଇଟଙ୍କ ଦୈବୀ ପ୍ରଭାବରେ ଫିତାଟି ଛିଣ୍ଡିଗଲା ଓ ପାରିସ୍‍ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଗଲେ । ଆଫ୍ରୋଡାଇଟ ମେଘମାଳା ପଛରେ ଥାଇ ପାରିସ୍‍ଙ୍କୁ ଯୁଦ୍ଧଭୂମିରୁ ହରଣ କରି ଟ୍ରୟର ରାଜନବରକୁ ନେଇଗଲେ । ସେ ହେଲେନଙ୍କ କୋମଳ ବାହୁ ମଧ୍ୟରେ ନିଜ ପରାଜୟର ଗ୍ଳାନି ଭୁଲିଯିବାକୁ ଚେଷ୍ଟା କଲେ।

 

ମେନେଲସ ସୈନ୍ୟମାନଙ୍କ ମଧ୍ୟରେ ପାରିସ୍‍ଙ୍କୁ ଖୋଜି ବୁଲିଲେ; କିନ୍ତୁ ତାଙ୍କର ଦେଖା ମିଳିଲା ନାହିଁ । ଟ୍ରୟର ସୈନ୍ୟମାନେ ପାରିସ୍‍ଙ୍କୁ ଘୃଣା କରୁଥିଲେ; ତେଣୁ ସେମାନେ ତାଙ୍କୁ ଲୁଚାଇ ରଖି ନ ଥାନ୍ତେ । ସହଜେ ସେ ସେମାନଙ୍କ ମଧ୍ୟରେ ନଥିଲେ । ତେଣୁ ମେନେଲସ ତାଙ୍କୁ ପାଆନ୍ତେ କିପରି ?

 

ଆଗାମେନନ ଟ୍ରୟର ସୈନ୍ୟମାନଙ୍କୁ ଲକ୍ଷ୍ୟ କରି କହିଲେ, ‘‘ବର୍ତ୍ତମାନ ମେନେଲସ ବିଜୟୀ ହେଲେ । ତେଣୁ ହେଲେନ ଓ ଅପହୃତ ଧନରତ୍ନ ଫେରାଇ ଦିଅ ।’’ ଗ୍ରୀକ୍‌ମାନେ ଆନନ୍ଦଧ୍ୱନି କରି ଆଗାମେନନଙ୍କ କଥାକୁ ସମର୍ଥନ କଲେ ।

 

କିନ୍ତୁ ଏତିକିରେ ସମସ୍ୟାର ସମାଧାନ ହୋଇପାରିଲା ନାହିଁ ।

 

ପାଞ୍ଚ

 

ଏଥିନି ଦେବୀ ବୁଦ୍ଧିର ଅଧିଷ୍ଠାତ୍ରୀ ହୋଇଥିବାରୁ ସେ ଆହୁରି ଦ୍ୱନ୍ଦ୍ୱ ସୃଷ୍ଟି କରିବାର କୌଶଳ କଲେ । କିପରି ଟ୍ରୟର ସୈନ୍ୟମାନେ ଯୁଦ୍ଧ ବିରତିର ସର୍ତ୍ତ ଭଙ୍ଗ କରିବେ, ସେଥିପାଇଁ ସେ ଆଣ୍ଟେନର ପୁଅ ଲାଓଡ଼ୋକସଙ୍କ ରୂପ ଧରି ଜଣେ ଧନୁର୍ଦ୍ଧର ବୀର ପାଖକୁ ଯାଇ କହିଲେ, ‘‘ତୁମର ଲକ୍ଷ୍ୟ ଅବ୍ୟର୍ଥ ବୋଲି ଅନେକ କହନ୍ତି । ଯେବେ ତୁମେ ଗୋଟିଏ ଶର ମାରି ମେନେଲସଙ୍କୁ ବଧ କରିପାରନ୍ତି, ତେବେ ତୁମର ଯଶ ଚତୁର୍ଦ୍ଦିଗରେ ବ୍ୟାପିଯାଆନ୍ତା ଓ ପାରିସ୍‍ ତୁମକୁ ପ୍ରଚୁର ଅର୍ଥ ଦିଅନ୍ତେ ।’’

 

ସେହି ନିର୍ବୋଧ ଲୋକଟି ଏହା ଶୁଣି ତାର ଧନୁରେ ଗୋଟିଏ ଶର ବସାଇ ମେନେଲସଙ୍କୁ ଲକ୍ଷ୍ୟ କରି ମାଇଲା । ଶରଟି ତାଙ୍କର ପାର୍ଶ୍ୱଦେଶକୁ ଭେଦ କରିବାରୁ ରକ୍ତ ବାହାରିବାକୁ ଲାଗିଲା । ଅବଶ୍ୟ ଆଘାତ ଗୁରୁତର ନ ଥିଲା । କିନ୍ତୁ ତାଙ୍କ ଦେହରୁ ରକ୍ତ ବହୁଥିବାର ଦେଖି ଆଗାମେନନ ଭୀଷଣ କ୍ରୁଦ୍ଧ ହୋଇ କହିଲେ, ‘‘ଟ୍ରୟବାସୀ ଯୁଦ୍ଧ ବିରତିର ସର୍ତ୍ତ ଲଙ୍ଘନ କରିଅଛନ୍ତି । ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଭୋଗିବାକୁ ପଡ଼ିବ ।’’

 

ଏହା କହି ସେ ଗ୍ରୀକ ବୀରମାନଙ୍କୁ ଆଦେଶ ଦେଲେ–ଚାଲ, ପୁଣି ଯୁଦ୍ଧ କରିବା ।

 

ସମୁଦ୍ର ଲହରୀ ପରି ଗ୍ରୀକ୍‌ ସୈନ୍ୟମାନେ ଟ୍ରୟର ସୈନ୍ୟମାନଙ୍କ ଉପରକୁ ମାଡ଼ି ପଡ଼ିଲେ । ସୈନିକମାନଙ୍କର କୁହାଟ ଓ ଆହତମାନଙ୍କର ବିଳାପଧ୍ୱନିରେ ଆକାଶ ବିଦୀର୍ଣ୍ଣ ହେଲାପରି ଜଣାଗଲା । ଟ୍ରୟର ସମତଳ ପ୍ରାନ୍ତରରେ ରକ୍ତର ସ୍ରୋତ ବହିଗଲା ।

 

ଅଲିମ୍ପସର ଦେବତାମାନେ ଦେଖିଲେ, ଯଥେଷ୍ଟ ରକ୍ତପାତ ହେଲାଣି । ଆହୁରି ରକ୍ତପାତ ହେବା ସେମାନଙ୍କର ଇଚ୍ଛା ନଥିଲା । ସେମାନେ ହେକ୍ଟରଙ୍କୁ ଉପଦେଶ ଦେଲେ—ଆଉ ଥରେ ଯୁଦ୍ଧବିରତି କରାଇ ଜଣେ କୌଣସି ଗ୍ରୀକ୍‌ ବୀରତ୍ୱ ଦ୍ୱନ୍ଦ୍ୱ ଯୁଦ୍ଧ ପାଇଁ ଆହ୍ୱାନ କର ।

 

ପୁଣି ଥରେ ଗ୍ରୀକ୍‌ ସୈନ୍ୟ ଓ ଟ୍ରୟର ସୈନ୍ୟ ପ୍ରାନ୍ତରରେ ବସିଲେ । ହେକ୍ଟର କହିଲେ, ‘‘ଉଭୟ ପକ୍ଷର ସୈନ୍ୟଗଣ ମୋର ନିବେଦନ ଶୁଣନ୍ତୁ । ଦେବତାଙ୍କ ଇଚ୍ଛାରେ ଆମେ ଯେଉଁ ଯୁଦ୍ଧବିରତି କରାଇଥିଲେ ତାହା ରକ୍ଷା କରି ପାରି ନଥାଏଁ । ବର୍ତ୍ତମାନ ଗ୍ରୀକ୍‌ ନେତାମାନେ ଏଠାରେ ଉପସ୍ଥିତ । ମୁଁ ସେମାନଙ୍କୁ ଅନୁରୋଧ କରୁଛି, ସେମାନେ ନିଜ ମଧ୍ୟରୁ ଜଣକୁ ସ୍ଥିର କରନ୍ତୁ, ଯେ କି ମୋ ସଙ୍ଗେ ଦ୍ୱନ୍ଦ୍ୱ ଯୁଦ୍ଧ କରିବ ।

 

ହେକ୍ଟରଙ୍କ ବଳପରାକ୍ରମ ବିଷୟ ଗ୍ରୀକ୍‌ମାନଙ୍କୁ ଅବିଦିତ ନଥିଲା । ଯୁଦ୍ଧକ୍ଷେତ୍ରରେ ସେ ନିର୍ମମ । ତାଙ୍କର ବିରାଟ ବପୁ ଦେଖିଲେ ଶତ୍ରୁର ଅନ୍ତରରେ ଭୟ ଆସିବ । କିଛି କ୍ଷଣ ପର୍ଯ୍ୟନ୍ତ ଗ୍ରୀକ୍‌ ଦଳ ନୀରବ ରହିଗଲେ । ମେନେଲସ୍‌ ଆହତ ହୋଇଥିଲେହେଁ ଯୁଦ୍ଧ କରିଥାନ୍ତେ, କିନ୍ତୁ ତାଙ୍କ ଭାଇ ଆଗାମେନନ ତାଙ୍କୁ ନିବୃତ୍ତ କଲେ ।

 

ଗ୍ରୀକ୍‌ମାନଙ୍କ ମଧ୍ୟରେ ଆଜାକ୍‌ସ ଆକାରରେ, ବଳରେ, ବପୁରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ପାରିଥିଲେ । ଶେଷରେ ସେ ହେକ୍ଟରଙ୍କର ପ୍ରତିପକ୍ଷ ହେବାକୁ ବାହାରି ପଡ଼ିଲେ । ତାଙ୍କୁ ଟ୍ରୋଜାନମାନେ ଭୟ କରିଗଲେ; ଏପରିକି ସ୍ୱୟଂ ହେକ୍ଟରଙ୍କର ମଧ୍ୟ ଭୟ ହୋଇଗଲା । କିନ୍ତୁ ସେ ପ୍ରଥମେ ଯୁଦ୍ଧର ଆହ୍ୱାନ ଦେଇଥିବାରୁ ତାଙ୍କ ପକ୍ଷରେ ଓହରିଯିବାର ଉପାୟ ନଥିଲା । ଆଜାକ୍‌ସ କହିଲେ, ‘‘ହେକ୍ଟର, ତୁମେ ମନେକରିଛ ଯେ ଆମ ଭିତରେ ଆଉ କେହି ବୀର ପୁରୁଷ ନାହାନ୍ତି । ତାହା ହୋଇ ନଥିଲେ ତୁମେ ଏପରି ଦୁଃସାହସ କରି ନଥାନ୍ତ । ଦେଖିବ, ଆଚିଲେସ ଆମ ପକ୍ଷରୁ ଚାଲି ଯାଇଥିଲେ ମଧ୍ୟ ତୁମକୁ ଶିକ୍ଷା ଦେବା ଭଳି ଗ୍ରୀକ୍‌ ବୀର ଆହୁରି ଅଛନ୍ତି ।’’

 

ହେକ୍ଟର ଦମ୍ଭ ପ୍ରକାଶ କରି କହିଲେ, ‘‘ମୋତେ ଭୟ ଦେଖାଇବା ବୃଥା; ମୁଁ ଶିଶୁ ବା ନାରୀ ନୁହେ । ଯୁଦ୍ଧ ବିଦ୍ୟାରେ ମୋର ପ୍ରବେଶ ଅଛି ବୋଲି ପ୍ରମାଣ ଦେଇପାରିବି । ପ୍ରକାଶ୍ୟ ଯୁଦ୍ଧରେ ମୁଁ ତୁମକୁ ବଧ କରିବି ।’’

 

ଏହା କହି ସେ ବର୍ଚ୍ଛା ନିକ୍ଷେପ କଲେ । କିନ୍ତୁ ତାହା ଆଜାକ୍‌ସଙ୍କ ତରବାରୀରେ ବାଜିଲେହେଁ ତାଙ୍କର କିଛି କ୍ଷତି କରି ପାରିଲା ନାହିଁ । ତତ୍ପରେ ଆଜାକ୍‌ସ ହେକ୍ଟରଙ୍କୁ ଲକ୍ଷ୍ୟ କରି ସେହିପରି ବର୍ଚ୍ଛା ନିକ୍ଷେପ କଲେ । ବର୍ଚ୍ଛାଟି ତାଙ୍କ ଢାଲକୁ ଭେଦ କରି ଗଲା; କିନ୍ତୁ ତାଙ୍କ ଶରୀରରେ ଭେଦ କଲା ନାହିଁ । ଏହିପରି ସେ ଦୁହେଁ ବର୍ଚ୍ଛା ଓ ତରବାରୀଦ୍ୱାରା ବହୁ ଦମୟ ପର୍ଯ୍ୟନ୍ତ ଯୁଦ୍ଧ କଲେ-। ଶେଷରେ ଦୁହେଁଯାକ ଅସ୍ତ୍ର ଫିଙ୍ଗିଦେଇ ହସ୍ତାହସ୍ତି ଯୁଦ୍ଧରେ ମାତିଲେ । କେହି କାହାକୁ ପରାସ୍ତ କରି ପାରିଲେ ନାହିଁ । ସନ୍ଧ୍ୟାର ଅନ୍ଧକାର ମାଡ଼ି ଆସିବାରୁ ହେକ୍ଟର କହିଲେ, ‘‘ଆଜାକାସ, ତୁମେ ଗ୍ରୀକ୍‌ମାନଙ୍କ ମଧ୍ୟରେ ଜଣେ ବଡ଼ ବୀର ବୋଲି ସ୍ୱୀକାର କରୁଛି । ଏବେ ଅନ୍ଧକାର ଉପସ୍ଥିତ-। ଆଜି ଏତିକିରେ ଯୁଦ୍ଧ ବନ୍ଦ ରହୁ । ତୁମେ ଗ୍ରୀକ୍‌ ଶିବିରକୁ ଯାଅ । ମୁଁ ମଧ୍ୟ ଟ୍ରୟ ନଗରକୁ ଯାଉଛି-। ଆଉ ଦିନେ ଆମେ ଦୁହେଁ ପୁଣି ଯୁଦ୍ଧ କରିବା । ସେ ଦିନ କିଏ ବିଜୟୀ ହେବ ଦେଖାଯିବ-। ବର୍ତ୍ତମାନ ପାଇଁ ଆମେ ଦୁହେଁ ବନ୍ଧୁପରି ପରସ୍ପରକୁ ଉପହାର ଦେଇ ବିଦାୟ ନେବା-। ଆମର ଏପରି ଆଚରଣ ଦେଖି ସମସ୍ତେ ଆମର ପ୍ରଶଂସା କରିବେ ।’’

 

ଏହା କହି ହେକ୍ଟର ଆଜାକ୍‌ସଙ୍କୁ ଗୋଟିଏ ତରବାରୀ ଉପହାର ଦେଲେ। ଆଜାକ୍‌ସ ମଧ୍ୟ ହେକ୍ଟରଙ୍କୁ ଗୋଟିଏ ରୌପ୍ୟ ନିର୍ମିତ କଟିବନ୍ଧ ଉପହାର ଦେଲେ । ଦୁହେଁ ବନ୍ଧୁଭଳି ପରସ୍ପରଠାରୁ ବିଦାୟ ନେଲେ ।

 

ସେଦିନ ରାତିରେ ଆଜାକ୍‌ସଙ୍କ ସମ୍ବର୍ଦ୍ଧନା ପାଇଁ ଆଗାମେନନ ତାଙ୍କ ଶିବିରରେ ଏକ ଭୋଜିର ଆୟୋଜନ କଲେ । ଭୋଜି ସଭାରେ ଆଜାକ୍‌ସଙ୍କ ବୀରତ୍ୱର ପ୍ରଶଂସା କରାଗଲା । ଏହାର ପରଦିନ ଯୁଦ୍ଧ ବନ୍ଦ ରହିଲା । ଉଭୟ ପକ୍ଷ ଯୁଦ୍ଧ ଭୂମିରୁ ନିଜ ନିଜ ମୃତ ସୈନ୍ୟମାନଙ୍କୁ ବୋହି ନେଇ ସତ୍କାର କରିବାରେ ଲାଗିଲେ ।

 

ଛଅ

 

ଏହାପରେ ଦୁଇପକ୍ଷ ମଧ୍ୟରେ ଯେଉଁ ଯୁଦ୍ଧ ହେଲା, ସେଥିରେ ଗ୍ରୀକ୍‌ବୀର ଆଗାମେନନ ବିଶେଷ କୃତିତ୍ୱ ପ୍ରଦର୍ଶନ କରିଥିଲେ । ପ୍ରଭାତରୁ ଯୁଦ୍ଧ ଆରମ୍ଭ ହୋଇଗଲା । ଆଗାମେନନ ଗ୍ରୀକ୍‌ ସୈନ୍ୟମାନଙ୍କୁ ନେଇ ଟ୍ରୋଜାନମାନଙ୍କୁ ଆକ୍ରମଣ କଲେ । ସେମାନେ ମଧ୍ୟ ପ୍ରସ୍ତୁତ ରହିଥିଲେ । ପ୍ରବଳ ଯୁଦ୍ଧ ହେଲା । ଆଗାମେନନ ଏକାକୀ ଶତ ଶତ ଶତ୍ରୁ ସୈନ୍ୟ ବଧ କଲେ ଓ ଟ୍ରୋଜାନ ସୈନ୍ୟମାନଙ୍କୁ ପଛକୁ ହଟାଇ ଦେଲେ । ପ୍ରାୟ ଦ୍ୱିପ୍ରହର ବେଳକୁ ଶତ୍ରୁ ପକ୍ଷର ଏକ ବର୍ଚ୍ଛା ଦ୍ୱାରା ଆଗାମେନନଙ୍କ ଦକ୍ଷିଣ ହସ୍ତ ବିଦ୍ଧ ହେଲା । ଆହତ ହେଲେ ହେଁ ସେ ଯୁଦ୍ଧ କରିବାକୁ ଲାଗିଲେ । କିଛି ସମୟ ପରେ ତାଙ୍କ ବାହୁର କ୍ଷତ ଅଧିକ ଯନ୍ତ୍ରଣା ଦେବାରୁ ସେ ବାଧ୍ୟ ହୋଇ ଶିବିରକୁ ଚାଲିଗଲେ । ଏହି ସୁଯୋଗରେ ଟ୍ରୋଜାନ ବୀର ହେକ୍ଟର ଅଗ୍ରସର ହେଲେ ।

 

ହେକ୍ଟରଙ୍କର ଅଗ୍ରଗତି ପ୍ରତିହତ କରିବା ପାଇଁ ଦୁଇଜଣ ଗ୍ରୀକ୍‌ ବୀର ଉଦ୍ୟତ ହେଲେ । ସେ ଦୁହେଁ ହେଉଛନ୍ତି ଓଡ଼ିସିଅସ ଓ ଡାଇଓମେଡ଼ିସ । ଡାଇଓମେଡ଼ିସ ହେକ୍ଟରଙ୍କ ଶିରସ୍ତ୍ରାଣ ଉପରେ ଏକ ପ୍ରଚଣ୍ଡ ଆଘାତ କଲେ । ତାଙ୍କର ମଥା ଘୂରିଗଲା ଓ କିଛି ସମୟ ପାଇଁ ସେ ପଛକୁ ହଟିଗଲେ । ପାରିସ୍‍ ଏହା ଦେଖିପାରି ଡାଇଓମେଡ଼ିସଙ୍କୁ ଏକ ଶର ମାରିଲେ । ତାହା ତାଙ୍କର ପାଦ ଗଣ୍ଠିରେ ପ୍ରବେଶ କଲା । ତହୁ ସେ ମଧ୍ୟ ଯୁଦ୍ଧକ୍ଷେତ୍ର ତ୍ୟାଗ କରି ଶିବିରକୁ ଚାଲିଗଲେ । ଏବେ ଗ୍ରୀକ୍‌ମାନଙ୍କ ପକ୍ଷରୁ ଏକମାତ୍ର ଓଡ଼ିସିଅସଙ୍କୁ ଯୁଦ୍ଧ ଚାଳନା କରିବାକୁ ପଡ଼ିଲା । ଟ୍ରୋଜାନମାନେ ତାଙ୍କୁ ଚତୁର୍ଦ୍ଦିଗରୁ ଆକ୍ରମଣ କଲେ । ସେ ବୀରତ୍ୱ ସହକାରେ ଯୁଦ୍ଧ କଲେ ହେଁ ଶେଷରେ ଆହତ ହେଲେ । ସେ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ଆଜାକ୍‌ସ ଓ ମେନେଲସ ତାଙ୍କ ପାଖକୁ ଧାଇଁ ଆସି ତାଙ୍କୁ ଶତ୍ରୁବ୍ୟୂହ ମଧ୍ୟରୁ ଉଦ୍ଧାର କଲେ । ତାହା ହୋଇ ନଥିଲେ ସେଦିନ ତାଙ୍କର ପ୍ରାଣ ରହି ନଥାନ୍ତା ।

 

ଏହି ଯୁଦ୍ଧରେ ଗ୍ରୀକ୍‌ପକ୍ଷରେ ବହୁ ନେତା ଆହତ ହେବାରୁ ସେମାନେ ହତାଶ ହୋଇ ଯୁଦ୍ଧଭୂମି ଛାଡ଼ି ନିଜ ଶିବିରକୁ ପଳାଇଗଲେ । ଟ୍ରୋଜାନାମାନେ ସେମାନଙ୍କର ପଶ୍ଚାଦ୍ଧାବନ କଲେ ।

 

ଆଚିଲେସ ନିଜ ଜାହାଜରେ ରହି ଯୁଦ୍ଧର ଗତି ଲକ୍ଷ୍ୟ କରୁଥିଲେ। ଜଣକ ପରେ ଜଣେ ଗ୍ରୀକ୍‌ନେତାଙ୍କୁ ଆହତ ଅବସ୍ଥାରେ ଶିବିରକୁ ନିଆଯିବାର ଦୃଶ୍ୟ ଦେଖି ସେ ତାଙ୍କର ଜନୈକ ବନ୍ଧୁ ପେଟ୍ରୋକ୍ଲସଙ୍କୁ କହିଲେ, ‘‘ମୁଁ ଦେଖୁଛି, ଗ୍ରୀକ୍‌ମାନେ ହାରି ଯାଉଛନ୍ତି । ସେମାନେ ଏବେ ମୋର ଆବଶ୍ୟକତା ଅନୁଭବ କରୁଥିବେ । ଅଳ୍ପ ସମୟ ଭିତରେ ସେମାନେ ଆସି ମୋର ପାଦ ଧରି ପୁଣି ଯୁଦ୍ଧ କରିବାକୁ ପ୍ରାର୍ଥନା କରିବେ ।’’

 

ଏହି ସମୟରେ ନେଷ୍ଟରଙ୍କ ରଥରେ କେହି ଜଣେ ଗ୍ରୀକ୍‌ବୀର ଆହତ ଅବସ୍ଥାରେ ଶିବିରକୁ ନିଆଯାଉଥିବାର ଦେଖି ଆଚିଲେସ କହିଲେ, ‘‘ପେଟ୍ରୋକ୍ଲସ , ଦେଖ, ଦେଖ, କିଏ ଜଣେ ପୁଣି ଆହତ ହୋଇ ଶିବିରକୁ ନିଆଯାଉଅଛନ୍ତି । ମୋର ସନ୍ଦେହ ହେଉଛି, ଏହି ଆହତ ଲୋକଟି ଆମର ଡାକ୍ତର ମାଞ୍ଚାଓନ୍‌। ଯାଅ ଦେଖ, ଲୋକଟି କିଏ ?’’

 

ଅଶ୍ୱମାନେ ବେଗରେ ଦଉଡ଼ୁଥିବାରୁ ରଥଟି କ୍ଷଣକ ମଧ୍ୟରେ ଅଦୃଶ୍ୟ ହୋଇଗଲା । ତହୁଁ ପେଟ୍ରୋକ୍ଲସ ଦଉଡ଼ିଯାଇ ନେଷ୍ଟରଙ୍କ ଶିବିରରେ ଉପସ୍ଥିତ ହୋଇ ଦେଖିଲେ, ମାଞ୍ଚାଓନ୍‌ଙ୍କ କ୍ଷତ ଧୋଇବାରେ ସେ ଲାଗିଅଛନ୍ତି । ପେଟ୍ରୋକ୍ଲସ ଙ୍କୁ ଦେଖିଲାମାତ୍ରେ ନେଷ୍ଟର କହିଲେ, ‘‘କାହିଁକି ଆସିଲ, ପେଟ୍ରୋକ୍ଲସ ! ଗ୍ରୀକ୍‌ମାନଙ୍କର ପ୍ରତ୍ୟେକ ସୈନ୍ୟ ଯୁଦ୍ଧରେ ଆହତ ହେଲେ ସୁଦ୍ଧା ଆଚିଲେସଙ୍କର ଆସେ କଅଣ, ଯାଏ କଅଣ ? ଡାଇଓମେଡ଼ିସ, ଓଡ଼ିସିଅସ, ଆଗାମେନନ ଏ ସମସ୍ତ ଆହତ ହୋଇଛନ୍ତି । ଏହା ଆଚିଲେସ ଜାଣନ୍ତି ତ ? ପାରିସଙ୍କର ଶର ମାଞ୍ଚାଓନ୍‌ଙ୍କ ସ୍କନ୍ଧଦେଶ ଭେଦ କରି ଦେଇଛି । ମୁଁ ତାଙ୍କ ନେଇ ଆସିଛି । ହାୟ ! ମୁଁ ବୃଦ୍ଧ, ଅସ୍ତ୍ର ଧାରଣ କରିବାକୁ ଅକ୍ଷମ । ଯଦି ମୋତେ କେହି ଯୁବକ କରିଦିଅନ୍ତା, ମୁଁ ଏହିକ୍ଷଣ ଶତ୍ରୁମାନଙ୍କୁ ଛିନ୍ନ ଭିନ୍ନ କରିପକାନ୍ତି-। ପେଟ୍ରୋକ୍ଲସ, ତୁମେ ଯାଅ, ଆଚିଲେସଙ୍କୁ ପ୍ରାର୍ଥନା କର, ସେ ଆସି ଗ୍ରୀକମାନଙ୍କର ସହାୟ ହୁଅନ୍ତୁ । ଯଦି ସେ ଏକାନ୍ତ ଅସ୍ୱୀକୃତ ହୁଅନ୍ତି, ତେବେ ତାଙ୍କର ସାଞ୍ଜୁଟି ତୁମକୁ ଦିଅନ୍ତୁ । ତାଙ୍କ ସାଞ୍ଜୁ ପିନ୍ଧିଥିଲେ, ତୁମକୁ ଟ୍ରୋଜାନ୍‌ମାନେ ଆଚିଲେସ ମନେ କରି ଭୟ କରିଯିବେ । ତୁମ ମିରମିଡ଼ନମାନେ ବେଶ୍‌ ସତେଜ ଅଛନ୍ତି । କେହି ଜଣେ ହେଲେ ଆହତ ହୋଇନାହାନ୍ତି । ହୁଏତ ତୁମେମାନେ ଶତ୍ରୁକୁ ପରାସ୍ତ କରିପାରିବ ।’’

 

ପେଟ୍ରୋକ୍ଲସ ଆଚିଲେସଙ୍କ ନିକଟକୁ ଫେରିଗଲେ ।

 

ଏଣେ ନେଷ୍ଟର ମାଞ୍ଚାଓନ୍‌ଙ୍କ କାନ୍ଧରୁ ଶରଟି ବାହାର କରି କ୍ଷତ ସ୍ଥାନକୁ ଭଲରୂପେ ଧୋଇ ଖଣ୍ଡିଏ ସଫା କନାରେ ବାନ୍ଧି ଦେଲେ ।

 

ପେଟ୍ରୋକ୍ଲସ ଜାହାଜକୁ ଯାଇ ସମସ୍ତ କଥା ଆଚିଲେସଙ୍କୁ କହିଲେ । କିନ୍ତୁ ଆଚିଲେସ ଅଟଳ । ସେ ଅଭିମାନ ପ୍ରକାଶ କରି କହିଲେ, ‘‘ଆଗାମେନନ ମୋତେ ଯେତେବେଳେ ଏପରି ଅପମାନ ଦେଲେ ସେତେବେଳେ କେହି ତାର ପ୍ରତିକାର କରିପାରିଲେ ନାହିଁ ! ଏବେ ବିପଦ ପଡ଼ିବାରୁ ମୋ କଥା ମନେ ପଡ଼ିଲା; ମୋର ସାହାଯ୍ୟ ଲୋଡ଼ା ହେଲା । ନା, ମୁଁ ଯାଇ ଗ୍ରୀକ୍‌ମାନଙ୍କ ସହିତ ଯୁଦ୍ଧରେ ଯୋଗ ଦେଇପାରିବି ନାହିଁ ।’’

 

ପେଟ୍ରୋକ୍ଲସ ଙ୍କର ବାରମ୍ବାର ଅନୁରୋଧରେ ଆଚିଲେସ ଶେଷରେ ନିଜର ବର୍ମଟି ତାଙ୍କୁ ଦେବାକୁ ସ୍ୱୀକୃତ ହୋଇ କହିଲେ, ‘‘ମୋର ବନ୍ଧୁମାନେ, ମୋର ଜାତିଭାଇମାନେ ମୋତେ ଅପମାନ ଦେଇଅଛନ୍ତି । ମୁଁ ସେମାନଙ୍କର ପରାଜୟ ବା ଅନିଷ୍ଟ କାମନା କରେନାହିଁ । ତୁମେ ମୋର ସାଞ୍ଜୁ ପିନ୍ଧି ମିରମିଡ଼ନମାନଙ୍କୁ ଘେନି ଯୁଦ୍ଧ କରିବାକୁ ଯାଅ ।’’

 

ପେଟ୍ରୋକ୍ଲସ ଆଚିଲେସଙ୍କ ସାଞ୍ଜୁ ପିନ୍ଧି ଯୁଦ୍ଧକୁ ବାହାରିଲେ । ତାଙ୍କ ପଛେ ପଛେ ମିରମିଡ଼ନ ସୈନ୍ୟମାନେ । ସେମାନେ ସମସ୍ତ ବାଧା ଅତିକ୍ରମ କରି ଟ୍ରୋଜାନ୍‌ମାନଙ୍କୁ ଗ୍ରୀକ୍‌ ଶିବିର ନିକଟରୁ ଦୂରକୁ ତଡ଼ିଦେଲେ । ସେମାନେ ଭୀତତ୍ରସ୍ତ ହୋଇ ଇତସ୍ତତଃ ପଳାଇଯାଇ ନଥିଲେ; ଶୃଙ୍ଖଳିତ ଭାବରେ ଯୁଦ୍ଧ କରି କରି ସେମାନେ ପଛକୁ ହଟିଯାଇଥିଲେ । ଏହି ଯୁଦ୍ଧରେ ପେଟ୍ରୋକ୍ଲସ ଓ ମେନେଲସ ଜଣେ ଲେଖାଏଁ ଟ୍ରୋଜାନ ନେତାଙ୍କୁ ବଧ କରିଥିଲେ । ନେଷ୍ଟରଙ୍କ ଦୁଇ ପୁଅ ଏହି ଯୁଦ୍ଧରେ ଯୋଗ ଦେଇଥିଲେ । ସେମାନେ ଲିସିଆର ରାଜା ସର୍‌ପେଡ଼ନଙ୍କର ଦୁଇଜଣ ବନ୍ଧୁଙ୍କୁ ବଧ କରିଥିଲେ ।

 

ପେଟ୍ରୋକ୍ଲସ ଯେଉଁ ରଥରେ ବସି ଯୁଦ୍ଧ କରୁଥିଲେ, ତାହାକୁ ଆଚିଲେସଙ୍କର ଘୋଡ଼ାମାନେ ଟାଣୁଥିଲେ । ତାଙ୍କ ରଥ ସର୍‌ପେଡ଼ନଙ୍କ ସମକ୍ଷରେ ପହଞ୍ଚିଲାକ୍ଷଣି ଦୁହେଁ ପରସ୍ପର ଉପରକୁ ଝାମ୍ପି ପଡ଼ିଲେ। ଦୁହିଁଙ୍କ ମଧ୍ୟରେ କିଛିକ୍ଷଣ ପର୍ଯ୍ୟନ୍ତ ପ୍ରବଳ ଯୁଦ୍ଧ ଚାଲିଲା ଓ ଶେଷରେ ପେଟ୍ରୋକ୍ଳସ୍‌ଙ୍କ ବର୍ଚ୍ଛାର ଆଘାତରେ ସର୍‌ପେଡ଼ନଙ୍କର ମୃତ୍ୟୁ ଘଟିଲା । ଏହି ସରପେଡ଼ନ ଦେବରାଜ ଜିଅସ୍‌ଙ୍କର ପୁତ୍ର ଥିଲେ । ସର୍‌ପେଡ଼ନଙ୍କ ମୃତ୍ୟୁରେ ଦୁଃଖିତ ହୋଇ ଦେବରାଜ ଜିଅସ୍‌ ପେଟ୍ରୋକ୍ଲସଙ୍କ ଉପରେ ପ୍ରତିଶୋଧ ନେବାକୁ ସ୍ଥିର କଲେ ।

 

ପେଟ୍ରୋକ୍ଲସଙ୍କ ଅଧୀନରେ ମିରମିଡନମାନେ ଟ୍ରୟ ନଗରର ପ୍ରାଚୀର ପର୍ଯ୍ୟନ୍ତ ଅଗ୍ରସର ହୋଇଗଲେ । ମନେ ହେଲା, ସେ ଅବାଧରେ ଅବରୁଦ୍ଧ ନଗର ମଧ୍ୟରେ ପ୍ରବେଶ କରିଯିବେ, କେହି ତାଙ୍କର ପ୍ରତିରୋଧ କରିବେ ନାହିଁ। କିନ୍ତୁ ଟ୍ରୟ ନଗରର ପତନର ସମୟ ଆସି ନଥିଲା । ସ୍ୱୟଂ ଆପୋଲୋ ଟ୍ରୟ ନଗରର ପ୍ରାଚୀର ଉପରେ ଛିଡ଼ା ହୋଇ ପେଟ୍ରୋକ୍ଲସ ଙ୍କୁ ବାଧା ଦେଲେ । ସେ ପ୍ରାଚୀର ଅତିକ୍ରମକରି ନଗର ମଧ୍ୟରେ ପ୍ରବେଶ କରିପାରିଲେ ନାହିଁ ।

 

ଆପୋଲୋ କହିଲେ, ‘‘ପେଟ୍ରୋକ୍ଳସ, ଫେରିଯାଅ ! ତୁମେ ଟ୍ରୟ ନଗର ଅଧିକାର କରିପାରିବ ନାହିଁ । ଆଚିଲେସ ତୁମଠାରୁ ପରାକ୍ରାନ୍ତ ବୀର। ସେ ମଧ୍ୟ ଟ୍ରୟ ନଗର ଅଧିକାର କରିପାରିବେ ନାହିଁ । ଦେବତାମାନଙ୍କର ଇଚ୍ଛା ନୁହେଁ ଯେ, ତୁମେ ବା ଆଚିଲେସ ଟ୍ରୟ ଅଧିକାର କରିବ ।’’

 

ଅଗତ୍ୟା ପେଟ୍ରୋକ୍ଲସ ନିଜର ସୈନ୍ୟମାନଙ୍କ ସହିତ ସମତଳ ପ୍ରାନ୍ତରକୁ ଫେରିଆସିଲେ-

 

ସାତ

 

ଟ୍ରୟ ନଗରର ତୋରଣ ଦେଶରେ ନିଜ ରଥ ପାର୍ଶ୍ୱରେ ଛିଡ଼ା ହୋଇ ହେକ୍ଟର ବିଚାରୁଥିଲେ, ପୁଣି ଥରେ ସମତଳ ପ୍ରାନ୍ତରକୁ ଯାଇ ଯୁଦ୍ଧ କରିବି କି ନଗର ପ୍ରାଚୀରର ଆଶ୍ରୟ ନେବାପାଇଁ ସୈନ୍ୟମାନଙ୍କୁ ଆଦେଶ ଦେବି ? ତାଙ୍କର ସେହି ସନ୍ଦେହ ଦୂର କରିବାପାଇଁ ଆପୋଲୋ ଦେବତା ହେକ୍ଟରଙ୍କର ଜଣେ ବନ୍ଧୁଙ୍କ ରୂପ ଧରି ଆସି ତାଙ୍କୁ କହିଲେ, ‘‘ଚିନ୍ତା କରୁଛ କାହିଁକି ? ପୁଣି ପ୍ରାନ୍ତରକୁ ଯାଇ ସାହସର ସହିତ ପେଟ୍ରୋକ୍ଲସ ଙ୍କୁ ଆକ୍ରମଣ କର । ଆପୋଲୋ ତୁମର ସହାୟ ହେବେ; ତୁମେ ଯୁଦ୍ଧରେ ଜୟଲାଭ କରିବ ।’’

 

ପେଟ୍ରୋକ୍ଲସ ଙ୍କର ସମ୍ମୁଖୀନ ହେବା ପାଇଁ ହେକ୍ଟର ଅବିଳମ୍ବେ ବାହାରି ପଡ଼ିଲେ । ଦୁହେଁ ପରସ୍ପରର ନିକଟବର୍ତ୍ତୀ ହେବାରୁ ପେଟ୍ରୋକ୍ଲସ ହାତରେ ବର୍ଚ୍ଛା ଧରି ରଥରୁ ଓହ୍ଲାଇ ପଡ଼ିଲେ ଓ ହେକ୍ଟର ମଧ୍ୟ ତାଙ୍କ ରଥରୁ ଓହ୍ଲାଇ ପଡ଼ିଲେ । ଦୁହିଁଙ୍କ ଭିତରେ ଯୁଦ୍ଧ ଲାଗିଗଲା । ପେଟ୍ରୋକ୍ଲସ ଭୀଷଣ ଭାବରେ ହେକ୍ଟରଙ୍କୁ ଆକ୍ରମଣ କଲେ, କିନ୍ତୁ ତାଙ୍କର ମୃତ୍ୟୁ ନିକଟ ହୋଇ ଆସିଥିଲା । ଆପୋଲୋଙ୍କ ମାୟାରେ ତାଙ୍କ ମସ୍ତକର ଶିରସ୍ତ୍ରାଣଟି ତଳକୁ ଖସିପଡ଼ି କର୍ଦ୍ଦମାକ୍ତ ହୋଇଗଲା । ପେଟ୍ରୋକ୍ଲସ ଚିରକାଳ ଏହାକୁ ମସ୍ତକରେ ପରିଧାନ କରି ଆସିଥିଲେ । ଏଥି ପୂର୍ବରୁ ଏହା କେବେ ତଳେ ପଡ଼ି ଯାଇ ନଥିଲା । ଆଜି ପେଟ୍ରୋକ୍ଲସ ତାହାକୁ ପିନ୍ଧିଥିଲାବେଳେ ତାହା ତଳେ ପଡ଼ିଗଲା । ତାହାଙ୍କର ମସ୍ତକକୁ ଲକ୍ଷ୍ୟ କରି ହେକ୍ଟର ବର୍ଚ୍ଛା ନିକ୍ଷେପ କଲେ ଓ ସେ ଆଘାତ ପାଇ ଭୂମିରେ ପଡ଼ିଗଲେ । ହେକ୍ଟର ତାଙ୍କ ବକ୍ଷ ଉପରେ ପାଦ ରଖି କହିଲେ, ‘‘ପେଟ୍ରୋକ୍ଲସ, ତୁମେ ପରା ଗର୍ବ କରୁଥିଲ ଯେ ଟ୍ରୟ ଅଧିକାର କରି ଏଠାର ସୁନ୍ଦରୀ ସ୍ତ୍ରୀ ମାନଙ୍କୁ ବନ୍ଦୀ କରି ଗ୍ରୀସକୁ ନେବା । ତୁମର ସେ ଗର୍ବ କୁଆଡ଼େ ଗଲା ? ଏବେ ତୁମେ ନିଜେ ମରିବାକୁ ବସିଛ । ଆଚିଲେସ ତୁମକୁ ମୋ ସଙ୍ଗେ ଯୁଦ୍ଧ କରିବାକୁ ପଠାଇବା ଉଚିତ ନ ଥିଲା ।’’

 

ପେଟ୍ରୋକ୍ଲସ କ୍ଷୀଣ କଣ୍ଠରେ କହିଲେ, ‘‘ହଁ, ବର୍ତ୍ତମାନ ତୁମର ଗର୍ବ କରିବାର ବେଳ ଆସିଛି । ତୁମେ ମୋତେ ପରାସ୍ତ କରିନାହିଁ; ଦେବତାମାନେ ମୋର ଏ ଦଶା ଘଟାଇଅଛନ୍ତି । ଧର୍ମଯୁଦ୍ଧ ଚାଲିଥିଲେ ମୁଁ ତୁମର ସମ୍ମୁଖୀନ ହୋଇ ମୋର ବୀରତ୍ୱ ଦେଖାଇଥାନ୍ତି; କିନ୍ତୁ ଆପୋଲୋ ମୋର ଶିରସ୍ତ୍ରାଣ କାଢ଼ିନେଇ ମୋତେ ପ୍ରଥମେ ଆଘାତ ଦେଲେ । ମନେ ରଖିଥାଅ ହେକ୍ଟର, ତୁମର ପରମାୟୁ ଶେଷ ହୋଇ ଆସୁଛି । ଆଚିଲେସ ମୋର ମୃତ୍ୟୁ ସମ୍ବାଦ ପାଇଲେ ଯୁଦ୍ଧକୁ ଆସି ତୁମକୁ ବଧ କରିବେ ।’’

 

ପେଟ୍ରୋକ୍ଲସଙ୍କ ପ୍ରାଣବାୟୁ ବାହାରିଗଲା ।

 

ହେକ୍ଟର ତାଙ୍କ ଦେହରୁ ବର୍ମଟି ବାହାର କରି ନେଇଗଲେ । ସେ ପେଟ୍ରୋକ୍ଲସଙ୍କ ରଖକୁ ମଧ୍ୟ ନେଇ ଯାଇଥାନ୍ତେ; କିନ୍ତୁ ଅଟୋମେଡ଼ନ ରଥଟିକୁ ଗ୍ରୀକ୍‌ ଶିବିର ଆଡ଼କୁ ନେଇ ଆଚିଲେସଙ୍କୁ ଦେଲେ ।

 

ମେନେଲସ ପେଟ୍ରୋକ୍ଲସଙ୍କର ପତନ ଦେଖିପାରି ଗ୍ରୀକ୍‌ ମାନଙ୍କୁ କହିଲେ, ‘‘ପେଟ୍ରୋକ୍ଲସ ଭୂମିରେ ପଡ଼ିଛନ୍ତି । ତାଙ୍କ ଶରୀରକୁ ଶତ୍ରୁ ଯେପରି ଅପବିତ୍ର ନ କରେ । ଆସ, ତାଙ୍କୁ ଆଣିବାରେ ମୋତେ ସାହାଯ୍ୟ କର ।’’ ହେକ୍ଟର ପେଟ୍ରୋକ୍ଲସଙ୍କର ମୃତ ଦେହକୁ ଉଠାଇ ନେବାପାଇଁ ବସିଥିଲେ; କିନ୍ତୁ ମେନେଲସଙ୍କ କଥା ଶୁଣି ସେ ମୃତ ଦେହକୁ ଛାଡ଼ି ଚାଲିଗଲେ । ଏହା ଦେଖି ଗ୍ଳକସ କ୍ରୁଦ୍ଧ ହୋଇ କହିଲେ, ‘‘ଭୀରୁ, କାପୁରୁଷ ହେକ୍ଟର ।’’ କିନ୍ତୁ ହେକ୍ଟର ଏହା ଶୁଣି ନ ଶୁଣିଲା ପରି କିଛିଦୂର ଚାଲିଗଲେ ଓ ନିଜର ବର୍ମ କାଢ଼ିପକାଇ ଆଚିଲେସଙ୍କ ବର୍ମରେ ସୁସଜ୍ଜିତ ହେଲେ । ଏହି ଅସ୍ତ୍ରଶସ୍ତ୍ରର ବିଚିତ୍ର ଶକ୍ତି ଥିଲା ଓ ଏହାକୁ ଦେବତାମାନେ ପେଲିଅସଙ୍କୁ ତାଙ୍କ ବିବାହ-ଉତ୍ସବରେ ଉପହାର ଦେଇଥିଲେ । ଏହାପରେ ହେକ୍ଟର ପୁଣି ଯୁଦ୍ଧଭୂମିକୁ ଫେରି ଆସିଲେ-

 

ସେତେବେଳକୁ ବହୁସଂଖ୍ୟକ ଗ୍ରୀକ୍‌ ସୈନ୍ୟ ପେଟ୍ରୋକ୍ଲସଙ୍କ ମୃତ ଦେହ ଚାରିପାଖେ ବେଢ଼ି ରହିଥିଲେ । ସେମାନଙ୍କର ବର୍ଚ୍ଛାର ବ୍ୟୂହ ଭେଦ କରି କୌଣସି ଟ୍ରୋଜାନ ସେଠାରେ ପ୍ରବେଶ କରିପାରୁ ନଥିଲେ। ଉଭୟ ପକ୍ଷର ସୈନ୍ୟ ଦଳ ମଧ୍ୟରେ ଠେଲାଠେଲି ଚାଲିଲା । ପ୍ରତ୍ୟେକ ପକ୍ଷ ପ୍ରାଣପଣ ଯୁଦ୍ଧ କଲେ । ଗ୍ରୀକ୍‌ମାନଙ୍କର ଉଦ୍ଦେଶ୍ୟ–ସେମାନେ ପେଟ୍ରୋକ୍ଲସଙ୍କର ମୃତ ଦେହକୁ ନିଜ ଶିବିରକୁ ନେଇଯିବେ । ଟ୍ରୋଜାନମାନଙ୍କର ଉଦ୍ଦେଶ୍ୟ–ସେମାନେ ପେଟ୍ରୋକ୍ଲସଙ୍କ ମୃତ ଦେହକୁ ନେଇ କୁକୁରମାନଙ୍କ ଆଗରେ ଫିଙ୍ଗିଦେବେ ।

 

ଆଚିଲେସ ନିଜ ଜାହାଜ ପାଖରେ ଛିଡ଼ା ହୋଇ ଯୁଦ୍ଧ ଦେଖୁଥିଲେ । ଗ୍ରୀକ୍‌ ସୈନ୍ୟମାନେ ବିଶୃଙ୍ଖଳ ଭାବରେ ନିଜ ଶିବିର ଆଡ଼କୁ ବିତାଡ଼ିତ ହେଉଥିବାର ଲକ୍ଷ୍ୟ କରି ସେ ଚିନ୍ତିତ ହୋଇପଡ଼ିଲେ । ସେ ଭାବୁଥିଲେ, ପେଟ୍ରୋକ୍ଲସଙ୍କ ଉପରେ ଭଗବାନଙ୍କର କୃପାଦୃଷ୍ଟି ଥାଉ । ତାଙ୍କର ଯେପରି କିଛି ଅନିଷ୍ଟ ନ ହୁଏ ।

 

ଏହି ସମୟରେ ତାଙ୍କର ଜଣେ ବନ୍ଧୁ ଲୋତକପୂର୍ଣ୍ଣ ଚକ୍ଷୁରେ ଦଉଡ଼ି ଆସି କହିଲେ, ‘‘ଆଚିଲେସ, ମୁଁ ବଡ଼ ଦୁଃସମ୍ବାଦ ଦେବାକୁ ଆସିଛି । ପେଟ୍ରୋକ୍ଲସଙ୍କର ମୃତ୍ୟୁ ହୋଇଛି । ହେକ୍ଟର ତାଙ୍କ ଦେହରୁ ବର୍ମ କାଢ଼ି ନେଇ ଯାଇଅଛନ୍ତି । ତାଙ୍କର ମୃତଦେହ ପାଇଁ ବର୍ତ୍ତମାନ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ଚାଲିଛି ।’’

 

ଏହା ଶୁଣିଲାମାତ୍ରେ ଆଚିଲେସ ହାୟ ହାୟ କରି ଉଠିଲେ । ତାଙ୍କର ଏହି ବିଳାପ ଧ୍ୱନି ଶୁଣି ତାଙ୍କ ମାତା ଥେଟିସ ଦେବୀ ତାଙ୍କ ପାଖକୁ ଆସି କହିଲେ, ‘‘ତୋର ଦୁଃଖର କାରଣ କଅଣ ? ଗ୍ରୀକ୍‌ମାନେ ତୋର ଯେଉଁ ଅପମାନ କରିଥିଲେ ତାର ଫଳ ଭୋଗୁଛନ୍ତି । ଏଥିପାଇଁ ତୋର ଦୁଃଖ କାହିଁକି ?

 

ଆଚିଲେସ ଉତ୍ତର କଲେ, ‘‘ମାଆ, ସେ କଥା ସତ; ଗ୍ରୀକ୍‌ମାନେ ମୋତେ ଦେଇଥିବା ଅପମାନର ଫଳ ଭୋଗୁଛନ୍ତି । କିନ୍ତୁ ବର୍ତ୍ତମାନ ମୋର ପ୍ରିୟତମ ବନ୍ଧୁ ପେଟ୍ରୋକ୍ଳସ୍‌ ମୃତ । କେବଳ ସେତିକି ନୁହେଁ । ସେ ମୋର ବର୍ମ ଓ ଶିରସ୍ତ୍ରାଣ ପିନ୍ଧିଥିଲେ । ଟ୍ରୋଜାନମାନେ ତାହା ମଧ୍ୟ ନେଇଯାଇଅଛନ୍ତି । ହେକ୍ଟରକୁ ବଧ ନ କଲେ ମୋ ମନରେ ଶାନ୍ତି ଆସିବ ନାହିଁ ।’’

 

ଥେଟିସ ଦୁଃଖ ପ୍ରକାଶ କରି କହିଲେ, ‘‘ବତ୍ସ, ମୁଁ ତୋର ମନର ଅବସ୍ଥା ବୁଝିପାରୁଛି । କିନ୍ତୁ ତୁ ହେକ୍ଟରକୁ ବଧ କଲେ, ଅଳ୍ପକାଳ ପରେ ତୋର ମଧ୍ୟ ମୃତ୍ୟୁ ଘଟିବ ।’’

 

ଆଚିଲେସ କହି ଉଠିଲେ, ‘‘ମାଆ, ଏହି ମୁହୂର୍ତ୍ତରେ ମୁଁ ମରିବାକୁ ପ୍ରସ୍ତୁତ । ମୁଁ ବଞ୍ଚି ଥାଉ ଥାଉ ମୋର ବନ୍ଧୁ ପେଟ୍ରୋକ୍ଲାସଙ୍କୁ ରକ୍ଷା କରିପାରିଲି ନାହିଁ । ଏ ବିଦେଶ ଭୂଇଁରେ ସେ ପ୍ରାଣ ହରାଇଲେ । ମୁଁ ତାଙ୍କୁ କିମ୍ବା ଅନ୍ୟ କେତେ ଗ୍ରୀକ୍‌ଙ୍କର ଜୀବନ ରକ୍ଷା କରିପାରିଲି ନାହିଁ । ତେବେ ମୋର ଏ ଜୀବନରେ କି ପ୍ରୟୋଜନ ? ଆମ ଭିତରେ ଗୋଟାଏ କଳହ ହେଲା, ସେଥିପାଇଁ ମୁଁ ଅଭିମାନରେ ଏଠାରେ ବସିଛି; ତେଣେ ଯୁଦ୍ଧଭୂଇଁରେ ମୋର ଭାଇବନ୍ଧୁ ମରୁଛନ୍ତି । ନା, ନା, ମୁଁ ଆଉ ଏପରି ବିନାଶର ନୀରବ ଦ୍ରଷ୍ଟା ହୋଇ ପାରିବି ନାହିଁ । ସେ କଳହ ବିଷୟ ମନରୁ ପୋଛିଦେଇ ପୁଣି ଯୁଦ୍ଧକୁ ଯିବି । ଯେଉଁ ହେକ୍ଟର ମୋର ପ୍ରିୟବନ୍ଧୁ ପେଟ୍ରୋକ୍ଲସର ପ୍ରାଣ ନେଇଛି, ତାକୁ ବଧ କରିବି।’’

 

ଥେଟିସ ଉତ୍ତର କଲେ, ‘‘ବନ୍ଧୁଙ୍କ ମୃତ୍ୟୁର ପ୍ରତିହିଂସା ନେବା ତୋ ପକ୍ଷରେ ଉଚିତ, କିନ୍ତୁ ହେକ୍ଟର ତୋର ବର୍ମକୁ ନେଇ ପିନ୍ଧିଛି । ତୁ କିପରି ଯୁଦ୍ଧ କରିବୁ ? ତୁ ଆଜି ଦିନଟି ଅପେକ୍ଷା କର । ହେଫାସ୍ତସ ଦେବତା ଗୋଟିଏ ବର୍ମ ପ୍ରସ୍ତୁତ କରିଅଛନ୍ତି । କାଲି ମୁଁ ସେଇଟିକୁ ଆଣି ତୋତେ ଦେବି-। ତାକୁ ପିନ୍ଧି ତୁ ଯୁଦ୍ଧ କରିବାକୁ ଯିବୁ ।’’

 

ଏହା କହି ଥେଟିସ ବିଦାୟ ନେଲେ । ଆଚିଲେସ ଶିବିରରେ ବସି ଅଶ୍ରୁତ୍ୟାଗ କରିବାକୁ ଲାଗିଲେ ।

 

ଆଠ

 

ସେଦିନ ରାତିଯାକ ଆଚିଲେସଙ୍କର ନିଦ୍ରା ହେଲାନାହିଁ । ସେ କେବଳ ପେଟ୍ରୋକ୍ଲସଙ୍କ ମୃତ୍ୟୁ ଓ ତାର ପ୍ରତିଶୋଧ ବିଷୟ ଚିନ୍ତା କରିବାକୁ ଲାଗିଲେ । ତତ୍ପରଦିନ ସକାଳେ ଥେଟିସ୍‌ ବର୍ମ ଧରି ପହଞ୍ଚିଲେ । ସକାଳର ସୂର୍ଯ୍ୟକିରର ପଡ଼ିଥିବାରୁ ତାହା ଚକ୍‌ଚକ୍‌ କରୁଥିଲା । ଏହାର ତେଜ ଦେଖି ମିରମିଡ଼ନମାନେ ମଧ୍ୟ ଚକିତ ହୋଇଗଲେ । କିନ୍ତୁ ଆଚିଲେସ ପ୍ରତିହିଂସା ନେବା ଆଶାରେ ଆନନ୍ଦିତ ହୋଇ ଉଠିଲେ । ସମୁଦ୍ରତଟକୁ ଯାଇ ସେ ଗ୍ରୀକ୍‌ ସୈନ୍ୟମାନଙ୍କୁ ଡାକିଲେ । ଆଚିଲେସଙ୍କର ଡାକ ଶୁଣି ସେମାନେ ଆନନ୍ଦରେ ତାଙ୍କ ପାଖକୁ ଆସିଲେ; ଏପରିକି ଆହତ ହୋଇଥିବା ଓଡ଼ିସିଅସ; ଡାଇଓମେଡ଼ିସ, ମେନେଲସ, ଆଗାମେନନ ପ୍ରଭୃତି ଗ୍ରୀକ୍‌ବୀର ତାଙ୍କ ସମକ୍ଷରେ ଉପସ୍ଥିତ ହେଲେ । ସେମାନଙ୍କୁ ଚାହିଁ ଆଚିଲେସ କହିଲେ, ‘‘ଆଗାମେନନ, ଆମେ ଦୁହେଁ ଆଉ କଳହ କରି ଆମରି ସର୍ବନାଶ କରିବା ଉଚିତ ହେବ ନାହିଁ । ଆମେ ପରସ୍ପରକୁ କ୍ଷମା ଦେବା ଓ ନିଜ ନିଜର ଅଭିମାନ ତ୍ୟାଗ କରିବା । ତୁମେ ମୋ ପ୍ରତି ଯେଉଁ ଅପମାନ କରିଥିଲ, ମୁଁ ତାହା ଭୁଲିଯାଇଛି; ଅନ୍ତର ସହିତ ତୁମକୁ କ୍ଷମା କରୁଛି ମଧ୍ୟ, ଆସ, ଏବେ ସୈନ୍ୟମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବ ।’’

 

ଆଗାମେନନ ଏହାର ଉତ୍ତରରେ ଗ୍ରୀକ୍‌ମାନଙ୍କୁ ଲକ୍ଷ୍ୟ କରି କହିଲେ, ‘‘ବୀର ବନ୍ଧୁଗଣ, ମୁଁ ଆଚିଲେସଙ୍କୁ ଅପମାନ ଦେଇଛି, ସେଥିପାଇଁ ଦୁଃଖିତ । କିନ୍ତୁ ସେତେବେଳେ ମୁଁ ପ୍ରକୃତିସ୍ଥ ନଥିଲି । ମୋର ଏହି କାର୍ଯ୍ୟ ପାଇଁ ଅନେକ ଦୁଃଖ କରିଛି, ଅନୁତାପ କରିଛି । ଆଚିଲେସ ମୋର ବନ୍ଧୁ । ତାଙ୍କ ସଙ୍ଗେ ପୁନର୍ମିଳନରେ ମୁଁ ସୁଖୀ ।’’ ତତ୍ପରେ ଆଚିଲେସଙ୍କୁ ଉଦ୍ଦେଶ୍ୟ କରି ସେ କହିଲେ, ‘‘ବନ୍ଧୁ, ମୁଁ ବ୍ରିସେଇସଙ୍କୁ ବହୁମୂଲ୍ୟ ଉପଢ଼ୌକନ ସହିତ ତୁମ ଶିବିରକୁ ପଠାଇଦେବି । ତତ୍ପରେ ଆମେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେବା ।’’

 

ଆଚିଲେସ ଉତ୍ତର କଲେ, ‘‘ଆଗାମେନନ, ତୁମେ ମୋର ବନ୍ଧୁ । ତୁମର ଏହି କାର୍ଯ୍ୟ ନିମନ୍ତେ ମୁଁ ତୁମ ନିକଟରେ କୃତଜ୍ଞ । ତୁମକୁ ଧନ୍ୟବାଦ ଅର୍ପଣ କରୁଅଛି । ବର୍ତ୍ତମାନ ମୋର ଆଦେଶ ଅନୁସାରେ ସମସ୍ତେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅନ୍ତୁ ।’’

 

ଆଭ୍ୟନ୍ତରୀଣ ବିବାଦର ସନ୍ତୋଷଜନକ ସମାଧାନ ହୋଇଗଲା । ଗ୍ରୀକ୍‌ମାନେ ଏକମନ ଏକପ୍ରାଣ ହୋଇ ଯୁଦ୍ଧ କରିବାକୁ ଗଲେ । ସେଦିନ ଆଚିଲେସ ଟ୍ରୋଜାନମାନଙ୍କ ଉପରେ ଯେଉଁ ପ୍ରଚଣ୍ଡ ଆକ୍ରମଣ କଲେ, ସେଥିରେ ଦେବତାମାନେ ମଧ୍ୟ ଅସ୍ଥିର ହୋଇପଡ଼ିଲେ । ସେମାନେ ଅଲିମ୍ପସ ତ୍ୟାଗ କରି ଏହି ଯୁଦ୍ଧରେ ଯୋଗ ଦେଇଥିଲେ ବୋଲି ଜନଶ୍ରୁତି ରହିଛି । ଆଚିଲେସଙ୍କ ଆଗରେ ଯେଉଁ ଟ୍ରୋଜାନ ପଡ଼ିଲା, ସେ ପ୍ରାଣ ନେଇ ଫେରିଲା ନାହିଁ । ଶତ୍ରୁ ପକ୍ଷରୁ ଯେତେ ଅସ୍ତ୍ରାଘାତ ହେଲା ଗୋଟିଏ ସୁଦ୍ଧା ତାଙ୍କ ଢାଲକୁ ଭେଦ କରି ପାରିଲା ନାହିଁ । ବାଘ ଦେଖି ହରିଣ ପଲ ପଳାଇଲା ପରି ଟ୍ରୋଜାନମାନେ ଆଚିଲେସଙ୍କ ଆଗରୁ ପଳାଇ ଯାଇ ଟ୍ରୟ ନଦୀ ତୀରରେ ପହଞ୍ଚିଲେ । ଏହି ନଦୀଟି ଟ୍ରୟ ନଗରକୁ ତାର ପରିଖା ପରି ବେଢ଼ି ରହିଛି । ଆଚିଲେସ ସେମାନଙ୍କର ଅନୁଧାବନ କଲେ । କେତେ ଟ୍ରୋଜାନ ତାଙ୍କ ହସ୍ତରେ ନିହତ ହେଲେ, କେତେ ଲୁଚିଯାଇ ପ୍ରାଣ ରକ୍ଷାକଲେ, ଆଉ କେତେ ନଦୀ ସ୍ରୋତରେ ଭାସିଗଲେ ।

 

ନଗର ତୋରଣର ଏକ ଗମ୍ବୁଜରେ ଛିଡ଼ାହୋଇ ବୃଦ୍ଧ ପ୍ରାଏମ ଯୁଦ୍ଧର ଗତି ଲକ୍ଷ୍ୟ କରୁଥିଲେ । ସେ ଦେଖିଲେ, ଆଚିଲେସଙ୍କ ଆକ୍ରମଣରେ ଟ୍ରୋଜାନାମାନେ ପଛଘୁଞ୍ଚା ଦେଉଅଛନ୍ତି । ସେ ପ୍ରହରୀମାନଙ୍କୁ ଆଦେଶ ଦେଲେ–ଶୀଘ୍ର ନଗରର ଫାଟକଗୁଡ଼ିକୁ ଖୋଲିଦିଅ । ତାହାହେଲେ ପଛ ଘୁଞ୍ଚା ଦେଇ ପଳାଇ ଆସୁଥିବା ସୈନ୍ୟମାନେ ନଗର ମଧ୍ୟରେ ପ୍ରବେଶ କରି ପ୍ରାଣରକ୍ଷା କରି ପାରିବେ ।

 

ରକ୍ତାକ୍ତ, କ୍ଷତବିକ୍ଷତ, ପଳାୟମାନ ଟ୍ରୋଜାନ ସୈନ୍ୟ ପ୍ରାଣ ବିକଳରେ ନଗର ଆଡ଼କୁ ଦୌଡ଼ିଲେ; ଆଚିଲେସ ଓ ଗ୍ରୀକ୍‌ସୈନ୍ୟମାନେ ସେମାନଙ୍କର ପଶ୍ଚାଦ୍ଧାବନ କଲେ । ଏତେ ଟ୍ରୋଜାନ ପଗରରେ ପ୍ରବେଶ କଲେ ହେଁ ହେକ୍ଟର ପ୍ରାଚୀର ବାହାରେ ରହିଲେ । ପ୍ରାଏମ ତାଙ୍କୁ ବାରମ୍ବାର ଅନୁରୋଧ କଲେ–ନଗର ମଧ୍ୟରେ ପ୍ରବେଶ କରି ନିଜକୁ ରକ୍ଷାକର । ତୁମେ ମୋର ପ୍ରିୟ ସନ୍ତାନ। ଆଚିଲେସ ତୁମକୁ ଲକ୍ଷ୍ୟ କରି ଆସୁଛି । ତାର ଉଜ୍ଜ୍ୱଳ ବର୍ମ ମୁଁ ଏଠାରୁ ଦେଖି ପାରୁଛି । ସେ କ୍ରମେ ନିକଟତର ହେଉଛି । ନଗର ମଧ୍ୟରେ ଆଶ୍ରୟ ନିଅ । ତୁମେ ବର୍ତ୍ତମାନ ଏକାକୀ । ଆଚିଲେସ ସଙ୍ଗେ ଯୁଦ୍ଧ କରିବ କିପରି ? ମୋର ମନର ଦୁଃଖ ତୁମେ ଜାଣି ପାରୁଥିବ । ଫାଟକ ବାଟେ ଭିତରକୁ ଚାଲିଆସ ।

 

କିନ୍ତୁ ହେକ୍ଟର ପିତାଙ୍କର ଏହି କରୁଣ ଅନୁରୋଧ ଶୁଣିଲେ ନାହିଁ । ଢାଲଟିକୁ ପ୍ରାଚୀର ଦେହରେ ଆଉଜାଇ ଦେଇ ସେ ପର୍ବତ ପରି ଅଚଳ ଭାବରେ ଛିଡ଼ା ହୋଇ ଆଚିଲେସଙ୍କୁ ଅପେକ୍ଷା କରି ରହିଲେ । ଶେଷରେ ଆଚିଲେସ ତାଙ୍କର ଖୁବ୍‌ ନିକଟବର୍ତ୍ତୀ ହେଲେ । ତାଙ୍କର ଦେଦୀପ୍ୟମାନ ବର୍ମ ଓ ଗତିଭଙ୍ଗୀ ଦେଖି ହେକ୍ଟର ମଧ୍ୟ ଭୟ କରିଗଲେ; କିନ୍ତୁ ସେ ଦୃଢ଼ ରହି ଆଚିଲେସଙ୍କୁ ଯୁଦ୍ଧର ଆହ୍ୱାନ ଦେଲେ ।

 

ଆଚିଲେସ ପ୍ରଥମେ ତାଙ୍କର ବର୍ଚ୍ଛା ନିକ୍ଷେପକଲେ; କିନ୍ତୁ ତାହା ଲକ୍ଷ୍ୟଭ୍ରଷ୍ଟ ହେଲା । ତତ୍ପରେ ହେକ୍ଟର ବର୍ଚ୍ଛା ନିକ୍ଷେପ କଲେ କିନ୍ତୁ ତାହା ଆଚିଲେସଙ୍କ ଢାଲରେ ବାଚି ଦୁଇ ଖଣ୍ଡ ହୋଇ ତଳେ ପଡ଼ିଲା । ଏହାପରେ ହେକ୍ଟର ତରବାରୀ ବାହାର କରି ଆଚିଲେସଙ୍କୁ ଆଘାତ କରିବାକୁ ଗଲେ, ମାତ୍ର ଆଚିଲେସ ସଙ୍ଗେ ସଙ୍ଗେ ତରବାରୀ ବାହାର କରି ହେକ୍ଟରଙ୍କ ଗଳାରେ ଭୂଷିଦେଲେ-। ହେକ୍ଟର ଭୂମିରେ ଟଳି ପଡ଼ିଲେ । ଆଚିଲେସ ତାଙ୍କ ବକ୍ଷ ଉପରେ ପାଦ ରଖି ଗର୍ବିତ ସ୍ୱରରେ କହିଲେ, ‘‘ରେ ଉଦ୍ଧତ ହେକ୍ଟର, ତୁ ପେଟ୍ରୋକ୍ଲସଙ୍କୁ ହତ୍ୟା କରି ବିଜୟୀ ହୋଇଥିଲୁ । କିନ୍ତୁ ସେ ବିଜୟ କେତେ କାଳ ରହିଲା ?’’

 

ହେକ୍ଟରଙ୍କର ଶ୍ୱାସରୋଧ ହୋଇ ଆସୁଥିଲା । ସେ କ୍ଷୀଣ କଣ୍ଠରେ କହିଲେ, ‘‘ମୁଁ ମୃତ୍ୟୁ ମୁଖରେ ପଡ଼ିଛି, ସେଥିପାଇଁ ଦୁଃଖ ନାହିଁ । କିନ୍ତୁ ହେ ଆଚିଲେସ, ମୋର ସାମାନ୍ୟ ଅନୁରୋଧ ରକ୍ଷାକର । ମୋର ମୃତ ଦେହକୁ ମୋର ବନ୍ଧୁ ବାନ୍ଧବମାନଙ୍କ ହାତରେ ଦେବ; ତାହାହେଲେ ସେମାନେ ମୋତେ କବର ଦେଇପାରିବେ ।’’

 

ଆଚିଲେସ ଗମ୍ଭୀର ସ୍ୱରରେ କହିଲେ, ‘‘ହେକ୍ଟର, ଏବୃଥା ଅନୁରୋଧ କାହିଁକି ? ପେଟ୍ରୋକ୍ଲସଙ୍କର ମୃତ ଦେହ ପ୍ରତି ତୁମେମାନେ କି ସମ୍ମାନ ଦେଖାଇଛ ? ତୋର ଶବକୁ ନେଇ କୁକୁରମାନଙ୍କୁ ଦିଆଯିବ ।’’

 

ହେକ୍ଟର ଅତି କ୍ଷୀଣ ସ୍ୱରରେ କହିଲେ, ‘‘ତୁମେ ବିଜୟୀ, ତୁମର ଇଚ୍ଛା ଯାହା, ତାହାହିଁ ହେବ; କିନ୍ତୁ ଦେବତାମାନେ ତୁମର ଏଭଳି କାର୍ଯ୍ୟରେ କ୍ରୁଦ୍ଧ ହେବେ, ଏଥିରେ ସନ୍ଦେହ ନାହିଁ । ଦେଖିବ, ଅତିଶୀଘ୍ର ପାରିସ୍‍ ତୁମକୁ ବିନାଶ କରିବ । ତୁମେ ବୀର । ବୀର ଭଳି ଉଦାରତା ଦେଖାଇବ ବୋଲି ମୋର ଆଶା ।’’

 

ହେକ୍ଟର ଆଉ କିଛି କହି ପାରିଲେ ନାହିଁ । ତାଙ୍କର ପ୍ରାଣବାୟୁ ବାହାରିଗଲା । ଆଚିଲେସ ତାଙ୍କର ବର୍ମ ବାହାର କରିନେଇ, ମୃତ ଦେହକୁ ଗ୍ରୀକ୍‌ ଶିବିରକୁ ନେଇ ଯିବାପାଇଁ ନିଜର ସୈନ୍ୟମାନଙ୍କୁ ଆଦେଶ ଦେଲେ ।

 

ସେଦିନ ସନ୍ଧ୍ୟା ସମୟରେ ବୃଦ୍ଧ ପ୍ରାଏମ ଏକାକୀ ଆଚିଲେସଙ୍କ ଶିବିରକୁ ଯାଇ ପୁତ୍ରର ଶବଟି ଫେରାଇ ଦେବାକୁ ପ୍ରାର୍ଥନା କଲେ । ବୃଦ୍ଧଙ୍କର ଦୁଃଖରେ ଆଚିଲେସଙ୍କର କଠୋର ହୃଦୟ ତରଳି ଗଲା । ସେ ହେକ୍ଟରଙ୍କ ମୃତ ଦେହଟିକୁ କବର ଦେବାପାଇଁ ପ୍ରାଏମଙ୍କୁ ଫେରାଇ ଦେଲେ ।

 

ହେକ୍ଟରଙ୍କ ମୃତ୍ୟୁରେ ଟ୍ରୟ ଜଣେ ପ୍ରଧାନ ବୀରଙ୍କୁ ହରାଇଲା ।

 

ନଅ

 

ଏହାପରେ କଅଣ କରିବାକୁ ହେବ ସ୍ଥିର କରିବା ପାଇଁ ଟ୍ରୟ ନଗରୀ ଭିତରେ ନେତାମାନଙ୍କର ଏକ ସଭା ହେଲା । ରାଜା ପ୍ରାଏମଙ୍କର ଜଣେ ମନ୍ତ୍ରୀ କହିଲେ, ‘‘ହେକ୍ଟର ଆମର ପ୍ରଧାନ ବୀର ଥିଲେ । ତାଙ୍କ ମୃତ୍ୟୁ ପରେ ଆମେ ଆଉ ଯୁଦ୍ଧ ଚଳାଇ ପାରିବା ନାହିଁ । ଆଚିଲେସ ଆମ ନଗରୀକୁ ଧ୍ୱଂସ କରି ଆମମାନଙ୍କୁ ହତ୍ୟା କରିବେ । ବର୍ତ୍ତମାନ ଆମେ ନଗରୀକୁ ଗ୍ରୀକ୍‌ମାନଙ୍କ ହାତରେ ସମର୍ପଣ କରି ପଳାଇ ଯିବା ଉଚିତ ।’’

 

ପ୍ରାଏମ ଉତ୍ତର କଲେ, ‘‘ନା, ଆମେ ଆମର ପ୍ରିୟ ନଗରୀକୁ ଶତ୍ରୁ ହସ୍ତରେ ଦେଇ ପଳାଇ ଯିବା ନାହିଁ । ଇଥିଓପିଆର ରାଜା ମେମ୍ମନଙ୍କୁ ସାହାଯ୍ୟପାଇଁ ସମ୍ବାଦ ପଠାଇଯାଇଅଛି । ଅନ୍ତତଃ ସେ ନ ଆସିବା ପର୍ଯ୍ୟନ୍ତ ଆମେ ଏ ନଗରୀରୁ ପଳାଇବା ଉଚିତ ହେବ ନାହିଁ । ମୋର ଦୃଢ଼ ବିଶ୍ୱାସ, ସେ ଆମକୁ ସାହାଯ୍ୟ କରିବାକୁ ଆସୁଥିବେ । ଯାହା କିଛି ଘଟୁନା କାହିଁକି ଶତ୍ରୁର ସମ୍ମୁଖୀନ ହୋଇ ବୀର ପରି ମରିବା ଭଲ । ପଳାଇ ଯାଇ ଅନ୍ୟ କୌଣସି ସ୍ଥାନରେ ଶହେ ବର୍ଷ ବଞ୍ଚିଲେ ମଧ୍ୟ ତାହା ବାଞ୍ଛନୀୟ ନୁହେ ।’’

 

ପଲିଡେମସ ବୋଲି ଜଣେ ନେତା ଯୁଦ୍ଧ ହେତୁ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ସେ କହିଲେ, ‘‘ଯଦି ରାଜା ମେମ୍ମନ ପ୍ରକୃତରେ ଆସୁଥାନ୍ତି, ସେ ହୁଏତ ଆମର ନଗରୀକୁ ରକ୍ଷା କରି ପାରିବେ । କିନ୍ତୁ ଆଚିଲେସ ଓ ଶକ୍ତିଶାଳୀ ଗ୍ରୀକ୍‌ମାନେ ତାଙ୍କୁ ମଧ୍ୟ ପରାସ୍ତ କରି ପାରନ୍ତି । ଏବେ ମଧ୍ୟ ସୁନ୍ଦରୀ ହେଲେନଙ୍କୁ ଓ ଧନରତ୍ନ ସମର୍ପଣ କରି ଆମ ନଗରୀକୁ ରକ୍ଷା ନ କରିବା କାହିଁକି?’’

 

ଟ୍ରୟର ଅଧିକାଂଶ ନେତା ପଲିଡେମସଙ୍କ ମତର ସମର୍ଥକ ଥିଲେ; କିନ୍ତୁ ସେମାନେ ତାହା ପ୍ରକାଶ କରିବାକୁ ସାହସ କଲେ ନାହିଁ । ପାରିସ୍‍ କ୍ରୁଦ୍ଧ ହୋଇ ପଲିଡେମସଙ୍କୁ କହିଲେ, ‘‘ତୁମେ ଭୀରୁ, କାପୁରୁଷ, ଯୁଦ୍ଧକ୍ଷେତ୍ରରେ ତୁମେ କେବେ ବୀରତ୍ୱ ଦେଖାଇ ନାହିଁ । ତୁମର ଏହି ପ୍ରସ୍ତାବ ମୂର୍ଖତାର ପରିଚୟ ଦେଉଅଛି । ତୁମର ଯୁଦ୍ଧକୁ ଭୟ ହେଉଥିଲେ, ତୁମେ ଘରେ ଲୁଚି ରହ-। କିନ୍ତୁ ଟ୍ରୟର ବୀରମାନେ ମୋ ପଛେ ପଛେ ଯୁଦ୍ଧକ୍ଷେତ୍ରକୁ ବାହାରି ବିଜୟ ଲାଭ କରିବେ-।’’

 

ପଲିଡେମସ ଉତ୍ତର କଲେ, ‘‘ତୁମର ଏଭଳି ଦୁଃସାହସ ଯୋଗେ ଆମେ ସମସ୍ତେ ଘୋର ଦୁଃଖକଷ୍ଟ ଭୋଗିଲୁଣି । ତୁମର ପରାମର୍ଶ ଅନୁସାରେ କାର୍ଯ୍ୟ କଲେ ଆମର ନଗରୀ ଧ୍ୱଂସ ପାଇବ ।’’

 

ପାରିସ୍‍ ଜାଣିଥିଲେ, ସେ ହେଉଛନ୍ତି ଯୁଦ୍ଧର ମୂଳ କାରଣ । ତେଣୁ ସେ ବେଶି କିଛି କହିବାକୁ ସାହସ କରିପାରିଲେ ନାହିଁ । ତଥାପି ସେ କହିଲେ, ‘‘ମୋ ମତରେ ହେଲେନଙ୍କୁ ଫେରାଇ ଗ୍ରୀକ୍‌ମାନଙ୍କର ଶରଣ ପଶିବାଠାରୁ ଯୁଦ୍ଧରେ ମରିବା ଶତଗୁଣେ ଭଲ ।’’

 

ସୈଭାଗ୍ୟବଶତଃ ପ୍ରାଏମଙ୍କର ଆଶା ସଫଳ ହେଲା । ଅଳ୍ପକାଳ ପରେ ଇଥିଓପିଆର ରାଜା ମେମ୍ମନ ନିଜର ଦଳବଦଳ ଘେନି ଟ୍ରୟବାସୀଙ୍କୁ ସାହଯ୍ୟ କରିବା ପାଇଁ ଉପସ୍ଥିତ ହେଲେ । ତାଙ୍କର ବଳିଷ୍ଠ ଶରୀର ଓ ଜାଜ୍ଜ୍ୱଲ୍ୟମାନ କବଚ ଦେଖି ପ୍ରାଏମଙ୍କର ବିଜୟ ଆଶା ଦ୍ୱିଗୁଣିତ ହୋଇଗଲା । ତତ୍ପରଦିନ ସେ ନିଜର ସୈନ୍ୟ ଓ ଟ୍ରୟବାସୀଙ୍କର ସୈନ୍ୟମାନଙ୍କୁ ନେଇ ଯୁଦ୍ଧଯାତ୍ରା କଲେ । ଭୀଷଣ ଯୁଦ୍ଧ ଲାଗିଲା । ସମୁଦ୍ର ଲହରୀ ପରି ଉଭୟ ପକ୍ଷରେ ସୈନ୍ୟ ପରସ୍ପର ଉପରକୁ ମାଡ଼ିପଡ଼ିଲେ । ସେମାନଙ୍କର ପାଦାଘାତରେ ଭୂମିକମ୍ପ ହେଲାପରି ବୋଧହେଲା । ଯୁଦ୍ଧଭୂମିର ଦକ୍ଷିଣ ପାର୍ଶ୍ୱରେ ଆଚିଲେସ ଟ୍ରୟର ଦୁଇଜଣ ପ୍ରସିଦ୍ଧ ବୀରଙ୍କ ସହିତ ଅନେକ ସୈନ୍ୟଙ୍କୁ ନିହତ କଲେ । ବାମ ପାର୍ଶ୍ୱରେ ମେମ୍ମନ ପାଇଲସଙ୍କର ସୈନ୍ୟମାନଙ୍କୁ ଆକ୍ରମଣ କଲେ । ସେ ନେଷ୍ଟରଙ୍କୁ ଲକ୍ଷ୍ୟ କରି ବର୍ଚ୍ଛା । ନିକ୍ଷେପ କଲେ, କିନ୍ତୁ ତାଙ୍କୁ ରକ୍ଷା କରିବା ପାଇଁ ତାଙ୍କ ତାଙ୍କ ପୁତ୍ର ଏଣ୍ଟିଲୋକସ ଧାଇଁ ଆସିଲେ । ବର୍ଚ୍ଛାଟି ନେଷ୍ଟରଙ୍କ ପରିବର୍ତ୍ତେ ତାଙ୍କ ପୁତ୍ରର ବକ୍ଷଦେଶ ଭେଦ କଲା । ମୁହୂର୍ତ୍ତକ ମଧ୍ୟରେ ଏଣ୍ଟିଲୋକସ ଯୁଦ୍ଧଭୂମିରେ ଟଳି ପଡ଼ିଲେ । ଏହି ମର୍ମନ୍ତୁଦ ଘଟନାରେ ନେଷ୍ଟର କ୍ରୁଦ୍ଧ ହୋଇ ମେମ୍ମନଙ୍କୁ ଆକ୍ରମଣ କରିବାକୁ ବାହାରିଲେ । କିନ୍ତୁ ରାଜା ମେମ୍ମନ ତାଙ୍କୁ ଫେରିଯିବା ପାଇଁ ଅନୁରୋଧ କଲେ । ସେ ନେଷ୍ଟରଙ୍କୁ ଚିହ୍ନି ପାରିଥିଲେ । ଏହି ନେଷ୍ଟର ମେମ୍ମନଙ୍କ ପିତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ଥିଲେ । ତେଣୁ ତାଙ୍କୁ ବଧ କରିବା ମେମ୍ମନଙ୍କର ଇଚ୍ଛା ନଥିଲା । ସେ କହିଲେ, ‘‘ହେ ନେଷ୍ଟର, ଆପଣ ମୋ ପିତାଙ୍କର ବନ୍ଧୁ । ଏପରି ସ୍ଥଳେ ଆପଣଙ୍କୁ ବଧ କରିବି କିପରି ?’’

 

ନେଷ୍ଟର ପୁତ୍ରଶୋକରେ ଜର୍ଜରିତ ହେଉଥିଲେ । ସେ ମେମ୍ମନଙ୍କ ସହିତ ଯୁଦ୍ଧ କରିବାର ଅଭିଳାଷ ତ୍ୟାଗକରି ଆଚିଲେସଙ୍କ ପାଖକୁ ଯାଇ ଅନୁରୋଧ କଲେ, ‘‘ମେମ୍ମନ ମୋର ପୁତ୍ର ଏଣ୍ଟିଲୋକସବୁ ବଧ କରିଛନ୍ତି । କିନ୍ତୁ ମେମ୍ମନ ମୋର ବନ୍ଧୁଙ୍କର ପୁତ୍ର । ସେ ମୋ ସଙ୍ଗେ ଯୁଦ୍ଧ କରିବାକୁ ଅନିଚ୍ଛୁକ । ତେଣୁ ତୁମେ ଯୁଦ୍ଧରେ ମେମ୍ମନଙ୍କୁ ବିନାଶ କରି ଏଣ୍ଟିଲୋକସର ମୃତ୍ୟୁର ପ୍ରତିଶୋଧ ନିଅ ।’’

 

ଆଚିଲେସ ଏହି ଅନୁରୋଧ ରକ୍ଷା କରି ମେମ୍ମନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ । ଏହି ଦୁଇ ବୀରଙ୍କର ଯୁଦ୍ଧ ଭୀଷଣ ଆକାର ଧାରଣ କଲା । ଦୁହେଁ ନିଜ ନିଜର ଦୀପ୍ତମନ୍ତ ସାଞ୍ଜୁ ପିନ୍ଧି ଓ ବିଶାଳ ତରବାରୀ ଧରି ପରସ୍ପରକୁ ସମ୍ମୁଖୀନ ହେଲେ । ମରଣକୁ ତୁଚ୍ଛ ଜ୍ଞାନ କରି ଦୁହେଁ ପରସ୍ପରକୁ ଆଘାତ କଲେ । ଦୁହିଁଙ୍କର ତରବାରୀ ପ୍ରତିପକ୍ଷର ବର୍ମ ଭେଦ କରି ଶରୀରକୁ ଭେଦ କରିବାରୁ ଉଭୟଙ୍କ ଶରୀରରୁ ରକ୍ତ ବହିବାକୁ ଲାଗିଲା । ସେମାନଙ୍କ ପଦାଘାତରେ ଧୂଳି ଉଡ଼ି ଆକାଶକୁ ଆଚ୍ଛନ୍ନ କରି ପକାଇଲା । ସ୍ୱର୍ଗର ଦେବତାମାନେ ଊର୍ଦ୍ଧ୍ୱରେ ରହି ଏହି ଯୁଦ୍ଧ ଦେଖିବାକୁ ଲାଗିଲେ, କାରଣ ଆଚିଲେସ ଓ ମେମ୍ମନ ଉଭୟେ ଦେବ ଅଂଶରେ ଜାତ । ଶେଷରେ ଦେବରାଜ ଜିଅସ୍‌ଙ୍କ ଇଚ୍ଛାରେ ଆଚିଲେସ ମେମ୍ମନଙ୍କ ବକ୍ଷଦେଶକୁ ଖଡ଼ଗଦ୍ୱାରା ଆଘାତ କଲେ ଏବଂ ଇଥିଓପିଆର ରାଜା ମେମ୍ମନ ଯୁଦ୍ଧଭୂମିରେ ପ୍ରାଣତ୍ୟାଗ କଲେ ।

 

ନେତାଙ୍କର ମୃତ୍ୟୁରେ ଭୀତ ହୋଇ ଟ୍ରୟ ଓ ଇଥିଓପିଆର ସୈନ୍ୟମାନେ ଆଶ୍ରୟ ନିମନ୍ତେ ଟ୍ରୟକୁ ପଳାଇଗଲେ । ବିଜୟର ଉନ୍ମାଦନାରେ ଆଚିଲେସ ସେମାନଙ୍କର ପଶ୍ଚାଦ୍ଧାବନ କଲେ । ତାଙ୍କର ଆଶା ଥିଲା, ଏହି ସୁଯୋଗରେ ଗ୍ରୀକମାନେ ଟ୍ରୟ ଅଧିକାର କରିନେବେ । କିନ୍ତୁ ସେ ନଗରର ହାରଦେଶରେ ପହଞ୍ଚିଲାକ୍ଷଣି ପାରିସ୍‍ ତାଙ୍କୁ ଗୋଟିଏ ଶର ମାରିଲେ । ଶରଟି ଠିକ୍‌ ତାଙ୍କ ବାମ ପାଦରେ ପ୍ରବେଶ କଲା । ପୂର୍ବରୁ ଆଚିଲେସ ବର ପାଇଥିଲେ ଯେ, ବାମପାଦ ଛଡ଼ା ଅନ୍ୟ କୌଣସିଠାରେ ଅସ୍ତ୍ରାଘାତ ହେଲେ ସେ ପ୍ରାଣତ୍ୟାଗ କରିବେ ନାହିଁ । ଏବେ ସେହି ଅସମ୍ଭବ କଥା ସମ୍ଭବ ହେଲା । ବାମ ପାଦରେ ଶରାଘାତ ହେତୁ ସେ ପ୍ରାଣତ୍ୟାଗ କଲେ । ହେକ୍ଟର ଜୀବନର ଶେଷ ମୁହୂର୍ତ୍ତରେ ଆଚିଲେସଙ୍କୁ କହିଥିଲେ, ‘‘ତୁମେ ଯେଡ଼େ ବୀର ହୁଅନା କାହିଁକି, ପାରିସ୍‍ଙ୍କ ହାତରେ ତୁମର ମୃତ୍ୟୁ ଘଟିବ । ତାଙ୍କର ଏହି ଭବିଷ୍ୟଦ୍‌ବାଣୀ ସଫଳ ହେଲା ।

 

ଆଚିଲେସଙ୍କ ମୃତ୍ୟୁପରେ ଟ୍ରୟର ସୈନ୍ୟମାନେ ତାଙ୍କ ମୃତ ଦେହକୁ ନେଇ ଯିବାକୁ ଚେଷ୍ଟାକଲେ, କିନ୍ତୁ ଆଜାକ୍‌ସ ନିଜର ଢାଲଦ୍ୱାରା ତାହାକୁ ରକ୍ଷା କଲେ ଏବଂ ତାହା ପାଖରେ ରହି ଓଡ଼ିସିଅସ ପ୍ରବଳ ଯୁଦ୍ଧ ଚଳାଇଲେ । ଶେଷରେ ଆଜାକ୍‌ସଙ୍କ ଢାଲ ଦ୍ୱାରା ସୁରକ୍ଷିତ ମୃତ ଦେହଟିକୁ ଓଡ଼ିସିଅସ କାନ୍ଧରେ ପକାଇ ଶିବିରକୁ ନେଇଗଲେ ।

 

ଗ୍ରୀକ୍‌ମାନେ ସେମାନଙ୍କର ବିଖ୍ୟାତ ବୀର ଆଚିଲେସଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କଲେ । ସୈନ୍ୟମାନେ ବହୁ ପରିମାଣରେ କାଷ୍ଠ ସଂଗ୍ରହ କରି ସେଥିରେ ଆଚିଲେସଙ୍କକ ମୃତ ଶରୀରକୁ ଦାହ କଲେ । ସ୍ୱୟଂ ଥେଟିସ ଦେବୀ ଏହି ଦାହକ୍ରିୟା ଦେଖିବାକୁ ଆସି ନିଜ ପୁତ୍ରର ମୃତ୍ୟୁରେ ଦୁଃଖ ପ୍ରକାଶ କଲେ । ସେ ଅବଶ୍ୟ ପୂର୍ବରୁ ଜାଣିଥିଲେ ଯେ, ଆଚିଲେସ ଅକାଳରେ ପ୍ରାଣତ୍ୟାଗ କରିବେ; ତଥାପି ତାଙ୍କର ଦୁଃଖର ସୀମା ନଥିଲା । ଚିତାଗ୍ନି ଉପରକୁ ସୈନ୍ୟକମାନେ ବହୁମୂଲ୍ୟ ରତ୍ନ ଫିଙ୍ଗି ସ୍ୱର୍ଗତ ରାଜା ଆଚିଲେସଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କଲେ । ପରିଶେଷରେ ସେମାନେ ତାଙ୍କର ଭସ୍ମ ସଂଗ୍ରହ କରି ସମୁଦ୍ର ତୀରରେ ହେଲିସପଣ୍ଟ ନିକଟରେ ଗୋଟିଏ ଗର୍ତ୍ତରେ ସମାଧି ଦେଲେ ।

 

ଏହିପରି ବୀର ଆଚିଲେସଙ୍କ ଜୀବନରେ ଶେଷ ଯବନିକା ପଡ଼ିଲା ।

 

ଦଶ

 

ଦିନେ ଓଡ଼ିସିଅସ ଶିବିର ବାହାରେ ବୁଲୁବୁଲୁ ଜଣେ ଅପରିଚିତ ଲୋକକୁ ଦେଖିଲେ । ଏହି ଲୋକଟି ନାନା ବିଦ୍ୟାରେ ନିପୁଣ । କଥା ପ୍ରସଙ୍ଗରେ ଓଡ଼ିସିଅସ ତାଙ୍କଠାରୁ ଶୁଣିଲେ ଯେ, ଟ୍ରୟ ସମ୍ବନ୍ଧରେ ଗୋଟିଏ ପ୍ରାଚୀନ କିମ୍ବଦନ୍ତୀ ଅଛି । ଟ୍ରୟ ନଗରୀରେ ଏଥେନି ଦେବୀଙ୍କର ଗୋଟିଏ ମନ୍ଦିର ଅଛି । ସେହି ମନ୍ଦିରରେ ଏଥେନିଙ୍କର ମୂର୍ତ୍ତି ବିଦ୍ୟମାନ । ଶୁଣାଯାଏ ଏହି ମୂର୍ତ୍ତିଟିକୁ କୌଣସି ମନୁଷ୍ୟ ନିର୍ମାଣ କରିନାହିଁ । ମୂର୍ତ୍ତିଟି ଆପେ ଆପେ ସ୍ୱର୍ଗରୁ ଆସିଛି । ଯେତେଦିନ ପର୍ଯ୍ୟନ୍ତ ଏହି ମୂର୍ତ୍ତି ମନ୍ଦିର ମଧ୍ୟରେ ରହିଥିବ, ସେତେଦିନଯାଏ କୌଣସି ଶତ୍ରୁ ଟ୍ରୟ ନଗରୀକୁ ଅଧିକାରୀ କରିପାରିବ ନାହିଁ ।

 

ଓଡ଼ିସିଅସଙ୍କର ଏହି କଥାରେ ବିଶ୍ୱାସ ହେଲା । ସେ ସ୍ଥିର କଲେ—କୌଣସି ଉପାୟରେ ମନ୍ଦିରରୁ ଏଥେନି ଦେବୀଙ୍କ ମୂର୍ତ୍ତି ନେବାକୁ ହେବ ।

 

ସେ ଜଣେ ଭିକ୍ଷୁକର ବେଶ ଧରିଲେ । ଛିଣ୍ଡା ଜାମା ତଳେ ସେ ଗୋଟିଏ ଖଣ୍ଡା ରଖିଲେ-। ସଙ୍ଗରେ ଡାଇଓମେଡ଼ିସ ବୋଲି ଜଣେ ବିଶ୍ୱାସୀ ଲୋକଙ୍କୁ ନେଲେ । ଦୁହେଁଯାକ ଟ୍ରୟ ନଗରରେ ଦ୍ୱାର ନିକଟରେ ପହଞ୍ଚିବାରୁ ଡାଇଓମେଡ଼ିସ ପ୍ରାଚୀର ପାଖରେ ଏକ ସ୍ଥାନରେ ଲୁଚି ରହିଲେ । ଓଡ଼ିସିଅସ ଭିକ୍ଷୁକ ବେଶରେ ଭିକ୍ଷା ମାଗିଲେ । କିଏ ଧାନ ଚାଉଳ ବା କିଏ ପଇସା ଭିକ୍ଷା ଦେଉଥାଏ । ଯୁଦ୍ଧ ଲାଗିଥିବାରୁ ନଗରଦ୍ୱାରରେ ଜଣେ ପ୍ରହରୀ ରହିଥିଲା । କିନ୍ତୁ ଓଡ଼ିସିଅସଙ୍କୁ ଜଣେ ସାମାନ୍ୟ ଭିକ୍ଷୁକ ମନେ କରି ସେ ତାଙ୍କୁ ଭିତରକୁ ଯିବାରେ ବାଧା ଦେଲାନାହିଁ । ଓଡ଼ିସିଅସ ଏଥିପୂର୍ବରୁ ନଗର ଭିତର ଦେଖିଥିଲେ, ପ୍ରଧାନ ରାସ୍ତାସବୁ ତାଙ୍କୁ ଜଣାଥିଲା । ସେ ସହଜରେ ମନ୍ଦିର ପର୍ଯ୍ୟନ୍ତ ଚାଲିଗଲେ ।

 

ସେ ବାଟରେ ଯାହାଙ୍କୁ ଭେଟୁଥାନ୍ତି, ତାଙ୍କୁ ଭିକ୍ଷା ମାଗୁଥାନ୍ତି । କେହି ତାଙ୍କୁ ଚିହ୍ନି ପାରିଲେ ନାହିଁ । ଦୈବାତ୍‌ ସେତିକିବେଳକୁ ହେଲେନ ଏଥେନିଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ । ସେ ତାଙ୍କୁ ଦେଖିଲାମାତ୍ରେ ଚିହ୍ନି ପାରିଲେ; ସେ ଜାଣିପାରିଲେ ଯେ ଓଡ଼ିସିଅସ ମହାନ୍‌ ବିପଦ ବରଣ କରିଅଛନ୍ତି । ସେ ଅତି ଶୀଘ୍ର ତାଙ୍କୁ ନିଜ ଘରକୁ ନେଇ ଦ୍ୱାର ବନ୍ଦ କରିଦେଲେ । ସେ ପଚାରିଲେ, ‘‘ଓଡ଼ିସିଅସ, ତୁମେ କି ବିପଜ୍ଜନକ କାର୍ଯ୍ୟ କରିବାକୁ ବସିଛ ? ଏକାକୀ ଶତ୍ରୁ ପରିପୂର୍ଣ୍ଣ ଟ୍ରୟ ନଗରୀରେ ପ୍ରବେଶ କରିବା କେଡ଼େ ଦୁଃସାହସିକ କାର୍ଯ୍ୟ ବୁଝି ପାରୁଥିବ । ଗ୍ରୀକ୍‌ମାନେ ନଗରୀ ଅଧିକାର କରିବାର ଆଉ କି ଆଶା ଅଛି ? ଯଦି ବା ସେମାନେ ଟ୍ରୟ ଅଧିକାର କରନ୍ତି, ତେବେ ମେନେଲସ ମୋତେ କଅଣ ଫେରାଇ ନେବେ ? ହୁଏତ ଦେଖିଲାମାତ୍ରେ ସେ ମୋତେ ବଧ କରିବେ । ଯଦି ମୋତେ ହତ୍ୟା କରିବା ଆଭିପ୍ରାୟ ତାଙ୍କର ଥାଏ, ତେବେ ମୋ ପକ୍ଷରେ ଟ୍ରୟରେ ରହି ମରିବା ଶ୍ରେୟସ୍କର ନୁହେଁ କି ?’’

 

ଏହା କହି ସେ କାନ୍ଦିବାକୁ ଲାଗିଲେ । ଓଡ଼ିସିଅସ ଉତ୍ତର କଲେ, ‘‘ମୁଁ ଶୁଣିଛି, ଏଥେନିଙ୍କ ପବିତ୍ର ମୂର୍ତ୍ତି ମନ୍ଦିର ଭିତରେ ଥିବାଯାକେ ଗ୍ରୀକ୍‌ମାନେ ଟ୍ରୟ ଅଧିକାର କରିପାରିବେ ନାହିଁ । ଏ ମୂର୍ତ୍ତି ସ୍ୱର୍ଗରୁ ଖସିପଡ଼ିଛି ବୋଲି ଶୁଣାଯାଏ । ତେଣୁ ମୁଁ ଏହି ମୂର୍ତ୍ତିକୁ ମନ୍ଦିରରୁ ନେଇଯିବି ବୋଲି ଆସିଛି । ମୋର ବନ୍ଧୁ ଡାଇଓମେଡ଼ିସ ନଗର ବାହାରେ ପ୍ରାଚୀର ପାଖରେ ଲୁଚି ରହି ଅଛନ୍ତି । ମନ୍ଦିରରେ ଜଣେମାତ୍ର ପ୍ରହରୀ ଅଛି । ଆମେ ଦୁହେଁ ତାକୁ ଜବତ କରି ମୂର୍ତ୍ତିଟିକୁ ନେଇଯିବୁ । ତୁମର ଟିକିଏ ସାହାଯ୍ୟ ଦରକାର।’’

 

ହେଲେନ କାନ୍ଦୁଥିଲେ । ସେ ଓଡ଼ିସିଅସଙ୍କର ସାହସ ଦେଖି ଟିକିଏ ହସିଦେଲେ। ଓଡ଼ିସିଅସ ହେଲେନଙ୍କ ମୁଖକୁ ଚାହିଁ ଦେଖିଲେ, ଏତେ ଦୀର୍ଘକାଳ ଦୁଃଖ ଭୋଗିଲା ପରେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ଲବମାତ୍ର ମଳିନ ହୋଇନାହିଁ। ତତ୍ପରେ ହେଲେନ କହିଲେ, ‘‘ସ୍ପାର୍ଟାରେ ଘରଦ୍ୱାର ଛାଡ଼ି ମୋର ଏଠାକୁ ପଳାଇ ଆସିବା ଉଚିତ ହୋଇନାହିଁ ବୋଲି ବୁଝିପାରୁଛି । ମୁଁ ପାରିସ୍‍ଙ୍କ କଥାରେ ଭୁଲିଗଲି । ପ୍ରେମରେ ପାଗଳିନୀ ହୋଇ ମୁଁ କଅଣ କରୁଛି, ଭାବି ପାରି ନଥିଲି । ଗ୍ରୀକ୍‌ମାନେ ଟ୍ରୟ ଅଧିକାର କଲେ ମୋ ଭାଗରେ ଯେ କଅଣ ଘଟିବ, ତାହା କହି ହେବ ନାହିଁ । ତୁମେ ଜଣେ ଗ୍ରୀକ୍‌ ବୀର । ତେଣୁ ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି । ତୁମେ କିପରି ଏଥେନିଙ୍କ ମୂର୍ତ୍ତିକ ଅପହରଣ କରିପାରିବ, ମୁଁ ତାର ଉପାୟ ବତାଇ ଦେବି ।’’

 

ହେଲେନ ଓଡ଼ିସିଅସଙ୍କୁ ନଗର ମଧ୍ୟରେ ବୁଲାଇ ନେଇ ଗୋଟିଏ ଛୋଟ ଦ୍ୱାର ନିକଟରେ ପହଞ୍ଚିଲେ । ସେଇ ବାଟେ ଡାଇଓମେଡ଼ିସ ନଗର ମଧ୍ୟରେ ପ୍ରବେଶ କଲେ । ତତ୍ପରେ ହେଲେନ ଦୁହିଁଙ୍କୁ ମନ୍ଦିର ପାଖରେ ପହଞ୍ଚାଇ ଦେଇ ନିଜ ଘରକୁ ଚାଲିଗଲେ ।

 

ଓଡ଼ିସିଅସ ଓ ଡାଇଓମେଡ଼ିସ ମନ୍ଦିରର ପ୍ରହରୀକୁ ସହଜେ ବଧ କରି ମନ୍ଦିର ଭିତରେ ପ୍ରବେଶ କଲେ ଓ ମୂର୍ତ୍ତିଟିକୁ ନେଇ ସେହି ଛୋଟ ଦ୍ୱାରବାଟେ ଗ୍ରୀକ୍‌ ଶିବିରକୁ ଚାଲିଗଲେ ।

 

ମୂର୍ତ୍ତିଟି ହସ୍ତଗତ ହେବାପରେ ଗ୍ରୀକ୍‌ମାନେ ଟ୍ରୟ ଅଧିକାର କରିବେ ବୋଲି ଦୃଢ଼ ଆଶା ପୋଷଣ କଲେ। ସେମାନେ ଟ୍ରୟ ଆକ୍ରମଣ କଲେ । କିନ୍ତୁ ପ୍ରତି ଥର ଟ୍ରୟର ବୀରମାନେ ସେମାନଙ୍କୁ ତଡ଼ିଦେଲେ । ଶେଷରେ କଲଚାସ ବୋଲି ଜଣେ ଲୋକ କହିଲା, ‘‘ତୁମେମାନେ ବଳଦ୍ୱାର ଟ୍ରୟ ଅଧିକାର କରିପାରିବ ନାହିଁ । କୌଶଳଦ୍ୱାରା ଅଧିକାର କରିପାର ।’’

 

ଓଡ଼ିସିଅସ ଗୋଟିଏ କୌଶଳ ସ୍ଥିର କଲେ । ସେ କହିଲେ, ‘‘ଆସ, ଆମେମାନେ ଗୋଟିଏ ପ୍ରକାଣ୍ଡ କାଠରା ଘୋଡ଼ା ତିଆରି କରିବା; ଯେପରିକି ଆମର ପ୍ରଧାନ ବୀରମାନେ ସେହି ଘୋଡ଼ା ଭିତରେ ଲୁଚି ରହିପାରିବେ। ଅନ୍ୟ ଗ୍ରୀକ୍‌ମାନେ ଶିବିରରେ ନିଆଁ ଲଗାଇ ଦେଇ ଜାହାଜରେ ବସି ଫେରିଯିବାର ବାହାନ କରିବେ । କେବଳ ଜଣେ ଲୋକକୁ ଛାଡ଼ିଯିବା; ଯାହାକୁ କି ଟ୍ରୟବାସୀ ଚିହ୍ନି ନ ଥିବେ । ତାର ମୁହଁରେ ରକ୍ତ ଓ ମଇଳା ଲାଗିଥିବ; ହାତ ଦୁଇଟି ପଛପଟେ ବନ୍ଧା ହୋଇଥିବ । ଜାହାଜ କୂଳ ଛାଡ଼ିଗଲେ ଟ୍ରୟବାସୀ ନଗରରୁ ବାହାରି ଗ୍ରୀକ୍‌ ଶିବିର ଦେଖିବାକୁ ଯିବେ-। ସେଠାରେ ସେମାନେ କାଠର ଘୋଡ଼ା ଦେଖିବେ । ସେତିକିବେଳେ ଆମର ଏହି ଲୋକଟି କହିବ–ଗ୍ରୀକମାନେ ଏଥେନିଙ୍କୁ ଉପହାର ଦେବା ପାଇଁ ଏ ଘୋଡ଼ାଟି କରିଅଛନ୍ତି । ଦେବୀଙ୍କର ମୂର୍ତ୍ତି ଚୋରି କରିଥିବାରୁ ଦେବୀ ସେମାନଙ୍କ ଉପରେ କ୍ରୋଧ କରିଛନ୍ତି । ତାଙ୍କର କ୍ରୋଧ ଶାନ୍ତ କରିବାପାଇଁ ଦେବୀଙ୍କୁ ଉପହାର ଦେବା ସକାଶେ ଏହି ଘୋଡ଼ାଟି କରାଯାଇଅଛି । ଆହୁରି ମଧ୍ୟ ଦେବୀଙ୍କ ନିକଟରେ ବଳି ଦେବାପାଇଁ ମୋତେ ବାନ୍ଧି ରଖିଥିଲେ । ମୁଁ ଜଣେ ବିଦେଶୀ-। ମୁଁ କୌଣସିମତେ ସେମାନଙ୍କ ପାଖରୁ ଖସି ପଳାଇ ଆସିଛି ।

 

ଲୋକଟି ଏପରି କହିଲେ ଟ୍ରୟବାସୀମାନେ ଘୋଡ଼ାଟିକୁ ନଗର ଭିତରକୁ ନେବାକୁ ବସିବେ ଏବଂ ଏଥେନିଙ୍କ ମନ୍ଦିରରେ ପ୍ରତିଷ୍ଠା କରିବାକୁ ଚାହିଁବେ । ଘୋଡ଼ାଟିକୁ ଆମେ ଏତେ ବଡ଼ କରିବା ଯେ ତାହା ନଗର ଦ୍ୱାରବାଟେ ଯାଇପାରିବ ନାହିଁ । ତେଣୁ ସେମାନେ ପ୍ରାଚୀରରେ ଗୋଟାଏ ବଡ଼ ମେଲା କରି ଏହାକୁ ନରର ଭିତରକୁ ନେବେ । ସେମାନେ ଘୋଡ଼ାକୁ ନେଇ ମନ୍ଦିରରେ ରଖିଲେ ଆମର ଲୋକଟି ସବୁଠାରୁ ଉଚ୍ଚ ଗମ୍ୱୁଜ ଉପରେ ଚଢ଼ି ନିଆଁ ଜାଳିବ ।

 

ଆମ ଗ୍ରୀକ୍‌ ସୈନ୍ୟମାନେ ଜାହାଜରୁ ସେହି ନିଆଁ ଦେଖି ଜାଣିବେ ଯେ ଘୋଡ଼ା ନଗର ଭିତରକୁ ଗଲାଣି । ସେମାନେ ଜାହାଜ ଫେରାଇ ଆଣିବେ । ଏଣେ ଆମର ଲୋକଟି ଆସି ଘୋଡ଼ା ଭିତରୁ ଆମ ବୀରମାନଙ୍କୁ ବାହାର କରିଦେବ । ଜାହାଜରୁ ଗ୍ରୀକ୍‌ ସୈନ୍ୟମାନେ ଆସି ପ୍ରାଚୀରର ମେଲାବାଟେ ନଗର ମଧ୍ୟରେ ପ୍ରବେଶ କରି ଘୋଡ଼ାରେ ଥିବା ବୀରମାନଙ୍କ ସଙ୍ଗେ ଯୋଗ ଦେବେ-। ତେଣିକି ଟ୍ରୟ ଅଧିକାର କରିବା ଆମ ପକ୍ଷରେ ଅତି ସହଜ ହେବ ।’’

 

ଓଡ଼ିସିଅସଙ୍କର ଏହି ପ୍ରସ୍ତାବକୁ ଗ୍ରୀକ୍‌ମାନେ ସମର୍ଥନ କରି କାର୍ଯ୍ୟରେ ଲାଗିପଡ଼ିଲେ । ସେମାନଙ୍କ ଭିତରେ ଏପିଅସ ବୋଲି ଜଣେ ଭଲ କାରିଗର ଥିଲେ । ସେ ଘୋଡ଼ା ତିଆରି କରିବାର ଭାର ଗ୍ରହଣ କଲେ । ଆଗାମେନନ କେତେକ ଲୋକଙ୍କୁ କାଠ ଆଣିବାପାଇଁ ଇଡ଼ା ପର୍ବତକୁ ପଠାଇଦେଲେ । ସମସ୍ତେ ଏପିଅସଙ୍କ ବରାଦ ଅନୁସାରେ କାମ କଲେ। କିଛିଦିନ ଭିତରେ ଗୋଟିଏ ପ୍ରକାଣ୍ଡ କାଠର ଘୋଡ଼ା ତିଆରି ହୋଇଗଲା ।

 

ଘୋଡ଼ା ତିଆରି ହେଲାପରେ ଓଡ଼ିସିଅସ କହିଲେ, ‘‘ଭାଇମାନେ ବର୍ତ୍ତମାନ ଅସଲ ପରୀକ୍ଷାର ସମୟ । ଆମମାନଙ୍କ ଭିତରେ ଯେଉଁମାନେ ସବୁଠାରୁ ସାହସୀ, ସେଇମାନେ ଏହି ଘୋଡ଼ା ଭିତରେ ଲୁଚି ରହିବେ । ସେଇମାନଙ୍କ ଉପରେ ଆମ ଜାତିର ସବୁ ନିର୍ଭର କରୁଛି । ହୁଏତ ଆମେ ଟ୍ରୟ ଅଧିକାର କରିବା, ନଚେତ୍‌ ଧରାପଡ଼ି ପ୍ରାଣ ଦେବା ।

 

ଆମେମାନେ ଘୋଡ଼ା ଭିତରେ ପଶିଲା ପରେ ଅନ୍ୟମାନେ ଶିବିର ପୋଡ଼ିଦେଇ ଜାହାଜରେ ବସି ଟେନିଡସ ଦ୍ୱୀପକୁ ଚାଲିଯିବେ । ସେଠାରେ ସେମାନେ ଅପେକ୍ଷା କରି ରହିଥିବେ; ଟ୍ରୟର ଉଚ୍ଚତମ ଗମ୍ବୁଜ ଉପରୁ ନିଆଁ ଦେଖାଗଲେ ସେମାନେ ଅବିଳମ୍ବେ ଟ୍ରୟକୁ ଫେରି ଆସିବେ । ଆମ ଭିତରୁ କେବଳ ଜଣେ ଏଠାରେ ରହିବ; ତାକୁ ଟ୍ରୟବାସୀମାନେ ଚିହ୍ନି ନ ଥିବା ଉଚିତ । ସେ ଗ୍ରୀକ୍‌ମାନଙ୍କର ଏଥେନି ଦେବୀଙ୍କୁ ଘୋଡ଼ା ଉପହାର ଦେଇ ସନ୍ତୁଷ୍ଟ କରିବା ଓ ତାକୁ ବଳି ଦେବାକୁ ଉଦ୍ୟମ ହେଉଥିବା କଥା କହି ସେମାନଙ୍କର ବିଶ୍ୱାସ ଜନ୍ମାଇବ ।’’

 

ସାଇନନ୍‌ ବୋଲି ଜଣେ ଗ୍ରୀକ୍‌ ଯୁବକ ଏକୁଟିଆ ରହି ଏହି କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେଲା । ତାହାର ହାତ ବାନ୍ଧି ତାର ମୁହଁକୁ ବିକୃତ କରି ଦିଆଗଲା । ପ୍ରସିଦ୍ଧ ବୀରମାନେ ଘୋଡ଼ା ଭିତରେ ଜଣ ଜଣ ହୋଇ ପଶିଲେ । ପ୍ରଥମେ ଆଚିଲେସଙ୍କ ପୁଅ ପାଇରସ ଓ ତାଙ୍କ ପଛକୁ ମେନେଲସ ଗଲେ । ଏମାନଙ୍କ ପରେ ଓଡ଼ିସିଅସ, ଡାଇଓମେଡ଼ିସ ଓ ଅନ୍ୟାନ୍ୟମାନେ ଜଣକ ପରେ ଜଣେ ଘୋଡ଼ା ଭିତରେ ପ୍ରବେଶ କଲେ । କିପରି ଘୋଡ଼ାର ପେଟରେ ଥିବା ଦ୍ୱାରକୁ ବନ୍ଦ କରିହେବ ଓ ଖୋଲିହେବ ତାହା କେବଳ ତାଙ୍କୁ ଜଣାଥିଲା ।

 

ବଡ଼ ବଡ଼ ବୀରମାନେ ଘୋଡ଼ା ଭିତରେ ଲୁଚି ରହିବା ପରେ ଗ୍ରୀକ୍‌ ସୈନ୍ୟମାନେ ସେମାନଙ୍କ ଶିବିରରେ ନିଆଁ ଲଗାଇ ଦେଇ ଜାହାଜରେ ବସି ସ୍ୱଦେଶକୁ ଫେରିବାର ଛଳନା କଲେ-। ଜାହାଜଗୁଡ଼ିକ ଗ୍ରୀସ୍‌ ଅଭିମୁଖରେ ପଶ୍ଚିମ ଦିଗକୁ ଗତି କଲା ।

 

ସାଇନନ୍‌ ତାହାର ଭୂମିକାରେ ସୁନ୍ଦର ଅଭିନୟ କଲା । ତା କଥାରେ ଟ୍ରୟବାସୀମାନେ ବିଶ୍ୱାସ କଲେ । ନଗରରେ ପ୍ରଚାର ହୋଇଗଲା–ଗ୍ରୀକ୍‌ମାନେ ପଳାଇଗଲେଣି । ଆନନ୍ଦ ଉତ୍ସବର କୋଳାହଳରେ ଟ୍ରୟ ନଗରୀ ଧ୍ୱନିତ ହେବାକୁ ଲାଗିଲା।

 

ସେମାନେ ପ୍ରାଚୀରର ଏକ ଅଂଶ ଭାଙ୍ଗି ସେହି ବାଟେ କାଠର ଘୋଡ଼ାକୁ ଟାଣି ନେଇ ଏଥେନିଙ୍କ ମନ୍ଦିର ପାଖରେ ରଖିଲେ । ଆନନ୍ଦଉତ୍ସବ ଶେଷରେ ନଗରବାସୀ ନିଶ୍ଚିନ୍ତରେ ଶୋଇବାକୁ ଗଲେ । ଆଜି ସେମାନଙ୍କ ଶତ୍ର ଦେଶରୁ ଚାଲିଯାଇଛି; ବହୁକାଳ ପରେ ଟ୍ରୟ ନଗରୀ ଶତ୍ରୁର ଅବରୋଧରୁ ମୁକ୍ତ । ସେମାନେ ଶାନ୍ତିରେ ନିଦ୍ରାସୁଖ ଅନୁଭବ କରିବାକୁ ଲାଗିଲେ ।

 

ଏହି ଅବସରରେ ସାଇନନ୍‌ ନିଃଶବ୍ଦରେ ନଗରର ଉଚ୍ଚତମ ଗମ୍ବୁଜ ଉପରେ ଗଢ଼ିଗଲା-। ଗମ୍ବୁଜର ପ୍ରହରୀମାନେ ମଧ୍ୟ ଆନନ୍ଦ ଉତ୍ସବରେ ମାତି ଶୋଇ ପଡ଼ିଥିଲେ । ସାଇନନ୍‌ ଗମ୍ବୁଜ ଉପରେ ପ୍ରକାଣ୍ଡ ନିଆଁ ଜାଳିଦେଇ ମନ୍ଦିର ପାଖକୁ ଆସିଲା । ବିରାଟ କାଠଘୋଡ଼ା ଉପରେ ଚନ୍ଦ୍ରକିରଣ ପଡ଼ିବାରୁ ତାହା ଚକ୍‌ଚକ୍‌ କରୁଥାଏ । ସେ ଧୀର ସ୍ୱରରେ ଘୋଡ଼ା ଭିତରେ ଥିବା ବୀରମାନଙ୍କୁ ଡାକିଲା । ସେମାନେ ସମସ୍ତେ ବାହାରି ଆସିଲେ । ପ୍ରତ୍ୟେକ ନିଜର ଅସ୍ତ୍ରଶସ୍ତ୍ର ଧରି ନିଦ୍ରିତ ନଗରୀକୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଗଲେ । ସେମାନେ ନଗରର ଗୃହମାନଙ୍କରେ ଅଗ୍ନି ଲଗାଇ ଦେଲେ ଓ ଯାହାକୁ ପାଇଲେ ତାକୁ ହତ୍ୟା କଲେ । ଏଥିମଧ୍ୟରେ ଜାହାଜରେ ଯାଇଥିବା ଗ୍ରୀକ୍‌ସୈନ୍ୟମାନେ ଫେରି ଆସି ପ୍ରାଚୀରର ଭଗ୍ନ ଅଂଶ ବାଟେ ନଗର ମଧ୍ୟରେ ପ୍ରବେଶ କଲେ । ଏହିପରି ଗ୍ରୀକ୍‌ମାନେ ଅକ୍ଳେଶରେ ଟ୍ରୟ ଅଧିକାର କଲେ ।

 

ପାରିସ୍‍ଙ୍କ ମୃତ୍ୟୁପରେ ହେଲେନ ଡେଇଫୋବସ୍‌ଙ୍କ ଘରେ ବାସ କରୁଥିଲେ । ଓଡ଼ିସିଅସ ଓ ମେନେଲସ ନଗରର ପଥ ସଙ୍ଗେ ସୁପରିଚିତ ଥିବାରୁ ସଙ୍ଗେ ସଙ୍ଗେ ଡେଇଫୋବସ୍‌ଙ୍କ ଘରେ ପହଞ୍ଚିଲେ । ସେତେବେଳକୁ ଘରେ ସମସ୍ତେ ଶୋଇଥିଲେ । ଅଡ଼ିସିଅସ ଓ ମେନେଲସ ଆସି ତାଙ୍କ ଦ୍ୱାରରେ ପ୍ରଚଣ୍ଡ ଆଘାତ କରିବାରୁ ଡେଇଫୋବସ୍‌ ଉଠିପଡ଼ି ନିଜର ଅସ୍ତ୍ର ଧରିଲେ । ହେଲେନ୍‌ ମେନେଲସଙ୍କୁ ଦେଖିଲାକ୍ଷଣି ଭୟରେ ଚିତ୍କାର କରି ପଳାଇବାକୁ ଉଦ୍ୟମ କଲେ । ଡେଇଫୋବସ୍‌ ନିଜର ସାଞ୍ଜୁ ପିନ୍ଧିବାକୁ ଅବସର ପାଇଲେ ନାହିଁ । ସେ ଅସ୍ତ୍ରଶସ୍ତ୍ର ଧରି ଯୁଦ୍ଧ କରିବାକୁ ବାହାରି ପଡ଼ିଲେ । କିନ୍ତୁ ଅଳ୍ପ ସମୟ ମଧ୍ୟରେ ମେନେଲସ ତାଙ୍କୁ ପରାସ୍ତ କରି ବଧ କଲେ । ଏହାପରେ ରକ୍ତାକ୍ତ ତରବାରୀ ଧରି ସେ ହେଲେନ୍‌ଙ୍କୁ ବଧ କରିବାକୁ ଧାଇଁଲେ । ହେଲେନ୍‌ ହତବୁଦ୍ଧି ହୋଇ ଛିଡ଼ା ହୋଇଗଲେ । ଚନ୍ଦ୍ରକିରଣରେ ତାଙ୍କର ମୁଖକୁ ଦେଖି ମେନେଲସ ତାଙ୍କୁ ବଧ କରିବାର ସଂକଳ୍ପ ଭୁଲିଗଲେ । ହେଲେନ୍‌ ତାଙ୍କପ୍ରତି ଯେଉଁ ବିଶ୍ୱାସଘାତକତା କରିଥିଲେ, ହେଲେନ୍‌ଙ୍କ ଯୋଗୁ ଗ୍ରୀକ୍‌ମାନେ ଯେଉଁ ଦୀର୍ଘ ଦୁଃଖ କଷ୍ଟ ସହ୍ୟ କରିଥିଲେ ତାହା ସେ ଭୁଲିଗଲେ । ତାଙ୍କ ହାତରୁ ତରବାରି ଖସି ପଡ଼ିଲା । ସେ ନୀରବରେ ହେଲେନ୍‌ଙ୍କ ହାତ ଧରି ତାଙ୍କୁ ନେଇଗଲେ ।

 

ଏହାପରେ ମେନେଲସ ହେଲେନ୍‌ଙ୍କୁ ସଙ୍ଗରେ ଘେନି ସ୍ପାର୍ଟାକୁ ଫେରିଗଲେ ଓ ସେଠାରେ ସୁଖରେ ବାସ କରିବାକୁ ଲାଗିଲେ ।

☆☆☆

 

Unknown

ଓଡ଼ିସିଅସଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତ

 

ଗ୍ରୀକ୍‌ମାନେ ଟ୍ରୟ ନଗରୀକୁ ଏକ ବିରାଟ ଧ୍ୱଂସସ୍ତୁପରେ ପରିଣତ ବିଜୟ ଗର୍ବରେ ସ୍ୱଦେଶ ଅଭିମୁଖରେ ଯାତ୍ରା କଲେ । କିନ୍ତୁ ଯାତ୍ରାପଥରେ ସେମାନଙ୍କୁ ନାନା ବିପଦର ସମ୍ମୁଖୀନ ହେବାକୁ ପଡ଼ିଥିଲା । କେତେକ ଗ୍ରୀକ୍‌ ବୀରଙ୍କୁ ଘରେ ପହଞ୍ଚିବାକୁ ବହୁବର୍ଷ ଲାଗିଯାଇଥିଲା । ବୃଦ୍ଧ ନେଷ୍ଟର ଅଳ୍ପକାଳ ମଧ୍ୟରେ ନିଜ ନଗର ପାଇଲସରେ ପହଞ୍ଚି ପାରିଥିଲେ । ଆଗାମେନନ ସ୍ୱଗୃହରେ ପହଞ୍ଚିଲାମାତ୍ରେ ଏକ ଦାରୁଣ ଦୁର୍ଘଟନାରେ ପ୍ରାଣ ହରାଇଥିଲେ । ତାଙ୍କର ପତ୍ନୀ କାଇମେନେଷ୍ଟ୍ରା ହେଲେନ୍‌ଙ୍କର ଭଉଣୀ ଥିଲେ । ଆଗାମେନନ ଟ୍ରୟ ଯୁଦ୍ଧରେ ଲିପ୍ତ ଥିଲାବେଳେ କ୍ଳାଇମେନେଷ୍ଟ୍ରା ଏଜିସସ୍ଥସ ନାମକ ଜଣେ ଯୁବକର ପ୍ରେମରେ ପଡ଼ି ତାଙ୍କୁ ବିବାହ କରିସାରିଥିଲେ-। କେବଳ ଏତିକି ନୁହେ, ଯଦି ଆଗାମେନନ ଟ୍ରୟ ଯୁଦ୍ଧରୁ ଫେରିଆସନ୍ତି, ତେବେ ତାଙ୍କୁ ହତ୍ୟା କରିବାପାଇଁ ଏଜିସସ୍ଥସ ଏକ ଷଡ଼ଯନ୍ତ୍ର କରିଥିଲେ ।

 

ସମୁଦ୍ରତୀରରେ ଏକ ଉଚ୍ଚ ଗମ୍ବୁଜ ଉପରେ ସେ ଜଣେ ପ୍ରହରୀ ନିଯୁକ୍ତ କରି ରଖିଥିଲେ-। ତାକୁ ଆଦେଶ ଦିଆଯାଇଥିଲା । ଯେ, ଆଗାମେନନଙ୍କ ଜାହାଜ ସମୁଦ୍ରରେ ଦେଖାଗଲାମାତ୍ରେ ସେ ଏହି ସମ୍ବାଦ ଏଜିସସ୍ଥସଙ୍କୁ ଜଣାଇବ । ଯେତେବେଳେ ପ୍ରହରୀ ଗମ୍ବୁଜ ଉପରୁ ସମୁଦ୍ରରେ ଆଗାମେନନଙ୍କ ଜାହାଜ ଦେଖିଲା, ସେତେବେଳେକେ ସେ ଶୀଘ୍ର ଧାଇଁଯାଇ ଏଜିସସ୍ଥସଙ୍କୁ ଏହି ସୁସମ୍ବାଦ ଜଣାଇଲା । ଏଜିସସ୍ଥସ ନିଜର ଗୋଟିଏ ପ୍ରକାଣ୍ଡ ହଲ୍‌ରେ କୋଡ଼ିଏ ଜଣ ସଶସ୍ତ୍ର ସୈନିକଙ୍କୁ ଲୁଚାଇ ରଖିଲେ ଓ ଭୋଜି ସମୟରେ ଆଗାମେନନଙ୍କୁ ହତ୍ୟା କରିବାକୁ ପରାମର୍ଶ ଦେଲେ । ଏଣେ ନିଜେ ଏଜିସସ୍ଥସ ଆଗାମେନନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ବାହାନାରେ ଗାଡ଼ି ନେଇ ସମୁଦ୍ରତୀରରେ ଉପସ୍ଥିତ ରହିଲେ । ଆଗାମେନନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ବାହାନାରେ ଗାଡ଼ି ନେଇ ସମୁଦ୍ରତୀରରେ ଉପସ୍ଥିତ ରହିଲେ । ଆଗାମେନନ ଜାହାଜରୁ ଅବତରଣ କରନ୍ତେ ଏଜିସସ୍ଥସ ତାଙ୍କୁ ଖୁବ୍‌ ଆଦର ଗୌରବ କରି ନିଜ ପ୍ରାସାଦକୁ ନିମନ୍ତ୍ରଣ କରି ଆଣିଲେ-। ପ୍ରାସାଦ ହଲ୍‌ରେ ଆଗାମେନନ ଓ ତାଙ୍କ ଅନୁଚରମାନଙ୍କ ସମ୍ବର୍ଦ୍ଧନା ଉପଲକ୍ଷରେ ବିରାଟ ଭୋଜିର ବ୍ୟବସ୍ଥା କରାଯାଇଥିଲା । ଆଗାମେନନ ଭୋଜି ସଭାରେ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା ହେଉଥିବାବେଳେ ଲୁଚି ରହିଥିବା ସଶସ୍ତ୍ର ସୈନ୍ୟକମାନେ ତାହାଙ୍କୁ ଓ ତାଙ୍କ ଅନୁଚରମାନଙ୍କୁ ଅତର୍କିତଭାବରେ ଆକ୍ରମଣ କରି ହତ୍ୟା କଲେ ।

 

ଏହି ସମୟରେ ଓଡ଼ିସିଅସ ଏହି ହତ୍ୟାକାଣ୍ଡ ବିଷୟରେ କିଛିମାତ୍ର ଜାଣିପାରି ନଥିଲେ । ପରେ ସେ ଘଟନା ଶୁଣିବାକୁ ପାଇଲେ । ତେଣୁ ସେ ସ୍ୱଦେଶରେ ପହଞ୍ଚିଲାକ୍ଷଣି ନିଜକୁ ଜଣେ ବିଦେଶୀରୂପେ ପରିଚିତ କରାଇଲେ । ଚିହ୍ନା ନ ଯିବାପାଇଁ ସେ ଛଦ୍ମବେଶ ଧରିଥିଲେ । ତାଙ୍କର ଆଶଙ୍କା ହୋଇଥିଲା ଯେ ଶତ୍ରୁମାନେ ଆଗାମେନନଙ୍କ ପରି ତାଙ୍କୁ ମଧ୍ୟ ହତ୍ୟା କରିପାରନ୍ତି । କିନ୍ତୁ ସ୍ୱଦେଶରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଯେଉଁସବୁ ଅଦ୍ଭୁତ ଅଭିଜ୍ଞତା ଅର୍ଜିବାକୁ ହୋଇଥିଲା, ତାହାହିଁ ଏଠାରେ କୁହାଯାଉଅଛି ।

 

ଓଡ଼ିସିଅସ ଟ୍ରୟ ତ୍ୟାଗ କରି ନିଜ ଜାହାଜରେ ଅନୁଚର ବର୍ଗଙ୍କ ସହିତ ବସିଲେ । ବାୟୁରେ ଚାଳିତ ହୋଇ ତାଙ୍କ ଜାହାଜ ଥ୍ରେସ ରାଜ୍ୟର କୂଳରେ ଲାଗିଲା । ଥ୍ରେସର ଲୋକମାନେ ଟ୍ରୟବାସୀମାନଙ୍କର ବନ୍ଧୁ ଥିଲେ । ଓଡ଼ିସିଅସ ଓ ତାଙ୍କ ଅନୁଚରମାନେ ସେହି ରାଜ୍ୟର ଇସ୍‌ମେରସ୍‌ ସହରରେ ଓହ୍ଲାଇଲେ ଏବଂ ଟ୍ରୟ ପରି ଏହି ସହରକୁ ମଧ୍ୟ ଲୁଣ୍ଠନ କରି ଧ୍ୱଂସ କଲେ । କିନ୍ତୁ ଓଡ଼ିସିଅସ ଆପୋଲୋ ଦେବତାଙ୍କ ପୂଜକ ମେରନଙ୍କ ପ୍ରତି ଯେପରି କୌଣସି ଅ୍ରତ୍ୟାଚାର ନ ହୁଏ, ସେଥିପ୍ରତି ଦୃଷ୍ଟି ଦେଇଥିଲେ । ତେଣୁ ମେରନ, ତାଙ୍କ ସ୍ତ୍ରୀ ଓ ସନ୍ତାନ ସୈନ୍ୟମାନଙ୍କ ଅତ୍ୟାଚାରରୁ ରକ୍ଷା ପାଇଥିଲେ । ଏହି ହେତୁରୁ ମେରନ୍‌ ଓଡ଼ିସିଅସଙ୍କୁ କୃତଜ୍ଞତାର ଚିହ୍ନସ୍ୱରୂପ ପ୍ରଚୁର ସୁନାରୂପା ଓ ବାର ମାଠିଆ ମଦ ଦେଇଥିଲେ । ଏହି ମଦର ନିଶା ଅତି ଉଗ୍ର ଥିବାରୁ ସେଥିରେ କୋଡ଼ିଏ ଗୁଣ ପାଣି ମିଶାଇବାକୁ ହେଉଥିଲା । ଓଡ଼ିସିଅସ ମେରନ୍‌ଙ୍କର ଏହି ଉପହାରଗୁଡ଼ିକ ନେଇ ପୁଣି ଜାହାଜରେ ବସିଲେ । ଏହି ଜିନିଷଗୁଡ଼ିକ ପରେ ତାଙ୍କର ବିଶେଷ ଉପକାରରେ ଲାଗିଥିଲା ।

 

ସେମାନେ ଇସ୍‌ମେରସ ତ୍ୟାଗ କଲାପରେ ସମୁଦ୍ରରେ ଏକ ବାତ୍ୟା ହେଲା ଏବଂ ଏହା ଫଳରେ ଓଡ଼ିସିଅସଙ୍କର ଜାହାଜଗୁଡ଼ିକ ଗତିପଥରୁ ବିଚ୍ୟୁତ ହେଲେ । ଏକ ସପ୍ତାହ ପର୍ଯ୍ୟନ୍ତ ଜାହାଜଗୁଡ଼ିକ ସମୁଦ୍ରରେ ଦକ୍ଷିଣ ଦିଗକୁ ଭାସିଭାସି ଗଲା । ଦଶମ ଦିନରେ ସେମାନେ ଗୋଟିଏ ଦ୍ୱୀପରେ ପହଞ୍ଚିଲେ । ଏହି ଦ୍ୱୀପର ଲୋକେ ପଦ୍ମ ଖାଆନ୍ତି । ଓଡ଼ିସିଅସ ଖାଦ୍ୟ ଓ ଜଳ ସଂଗ୍ରହ କରିବାପାଇଁ ଜାହାଜର ତିନିଜଣ ଲୋକଙ୍କୁ ପଠାଇଲେ । ଏ ସ୍ଥାନର ଲୋକେ ଶାନ୍ତିପ୍ରିୟ ଓ ଅତିଥିପରାୟଣ ହୋଇଥିବାରୁ ସେମାନଙ୍କୁ ଖାଇବା ପାଇଁ ପଦ୍ମବୀଜ ଆଣିଦେଲେ ।

 

ଏହି ପଦ୍ମବୀଜର ଏକ ଅଦ୍ଭୁତ ଗୁଣ ଥିଲା । ଯିଏ ଥରେ ଏହାକୁ ଖାଏ, ସେ ଆଉ ସେହି ଦ୍ୱୀପକୁ ଛାଡ଼ି ଯିବାକୁ ମନ କରେ ନାହିଁ; ସଂସାରର ଅନ୍ୟ ସବୁ କଥା ଭୁଲିଯାଏ । ଓଡ଼ିସିଅସଙ୍କ ଲୋକମାନେ ପଦ୍ମବୀଜ ଖାଇ ସ୍ୱପ୍ନରାଜ୍ୟରେ ବିତରଣ କରିବାକୁ ଲାଗିଲେ । ନିଜ ଦେଶ, ଓଡ଼ିସିଅସ, ଜାହାଜ–ଏସବୁ କଥା ସେମାନେ ଭୁଲିଗଲେ ।

 

ଅନେକ ସମୟ ଗତ ହେଲେ ସୁଦ୍ଧା ସେମାନେ ଜାହାଜକୁ ଫେରି ନ ଆସିବାରୁ ଓଡ଼ିସିଅସ ଚିନ୍ତିତ ହୋଇ ପଡ଼ିଲେ ଓ ନିଜେ ସେମାନଙ୍କୁ ଖୋଜିବାପାଇଁ ଦ୍ୱୀପରେ ଓହ୍ଲାଇଲେ । ଓଡ଼ିସିଅସ ପଦ୍ମବୀଜ ନ ଖାଇ ଅନୁଚର ତିନିଜଣଙ୍କୁ ବଳପୂର୍ବକ ଜାହାଜକୁ ଘେନି ଆସିଲେ । କିନ୍ତୁ ସେମାନେ ସେହି ଦ୍ୱୀପକୁ ଫେରି ଯିବାକୁ ଅସ୍ଥିର ହେଲେ । ତହୁଁ ଓଡ଼ିସିଅସ ସେମାନଙ୍କ ହାତ ଗୋଡ଼ ବାନ୍ଧି ଜାହାଜରେ ରଖିଲେ । ଜାହାଜଗୁଡ଼ିକ ପୁଣି ସମୁଦ୍ରରେ ଗତି କଲା ।

 

କିଛିଦିନ ପରେ ସେମାନେ ଆଉ ଗୋଟିଏ ଦ୍ୱୀପରେ ଲାଗିଲେ । ସେମାନେ ଜାଣି ନଥିଲେ ଯେ, ଏହି ଦ୍ୱୀପରେ ସାଇକ୍ଳୋପନାମରେ ଏକ ଜାତିର ରାକ୍ଷସ ବାସ କରନ୍ତି । ଏମାନଙ୍କର ତାଳୁରେ ଗୋଟିଏ ଲେଖାଏଁ ଆଖି ଥାଏ । ପର୍ବତର ଗହ୍ୱରମାନଙ୍କରେ ସେମାନେ ବାସ କରୁଥିଲେ-। ମେଷପାଳନ ସେମାନଙ୍କର ଜୀବନ ଧାରଣର ପ୍ରଧାନ ଉପାୟ ଥିଲା ।

 

ଓଡ଼ିସିଅସ ଗୋଟିଏ ବନ୍ଦରରେ ଜାହାଜଗୁଡ଼ିକର ଲଙ୍ଗର ପକାଇଲେ । ବନ୍ଦର ନିକଟରେ ଆଉ ଗୋଟିଏ ଛୋଟ ଦ୍ୱୀପ ଥିଲା । ତେଣୁ ପ୍ରଧାନ ଦ୍ୱୀପର ସେମାନଙ୍କ ଜାହାଜଗୁଡ଼ିକ ଦେଖାଯାଉ ନଥିଲା । ଓଡ଼ିସିଅସଙ୍କ ଅନୁଚରମାନେ ଏହି ଛୋଟ ଦ୍ୱୀପରୁ ବନ୍ୟଛାଗ ମାରି ଖାଇଲେ-। ଓ ମରେନ୍‌ ଦେଇଥିବା ମଦରୁ କିଛି କିଛି ପିଇଲେ । ତତ୍ପରଦିନ ଓଡ଼ିସିଅସ ବାରଜଣ ଅନୁଚରଙ୍କୁ ସଙ୍ଗରେ ଘେନି ବଡ଼ ଦ୍ୱୀପ ଦେଖିବାକୁ ଗଲେ । ସମୁଦ୍ରର ନିକଟରେ ସେମାନେ ଗୋଟିଏ ବୃହତ୍‌ ପର୍ବତଗହ୍ୱର ଦେଖିବାକୁ ପାଇଲେ । ଗହ୍ୱରରେ ସେତେବେଳେ କେହି ନଥିଲେ । କେବ ବହୁ ପରିମାଣରେ ଛେନା ଓ ଦୁଧ ଦେଖିବାକୁ ମିଳିଲା । କେତେଗୁଡ଼ିଏ ମେଣ୍ଢାଛୁଆ ବୁଲୁଥିଲେ-। ସ୍ଥାନଟି ଶାନ୍ତିପୂର୍ଣ୍ଣ ଓ ସୁଖକର ବୋଧ ହେଉଥିଲା ।

 

ଓଡ଼ିସିଅସଙ୍କ ସଙ୍ଗୀମାନେ ପ୍ରଚୁର ପରିମାଣରେ ଛେନା ଓ ଦୁଧ ନେଇ ଜାହାଜକୁ ଫେରି ଯିବାକୁ ବସିଥିଲେ, କିନ୍ତୁ ଗହ୍ୱରର ଲୋକଙ୍କୁ ନ ଜଣାଇ କିଛି ନେବା ଓଡ଼ିସିଅସଙ୍କର ଇଚ୍ଛାବିରୁଦ୍ଧ ଥିଲା । ତେଣୁ ସେମାନେ କିଛି ଛେନା ଖାଇ ମଦ ପିଇ ଅପେକ୍ଷା କରି ରହିଲେ । ସନ୍ଧ୍ୟାବେଳକୁ ଏକ ପ୍ରକାଣ୍ଡ ରାକ୍ଷସ ଗହ୍ୱର ମଧ୍ୟରେ ପ୍ରବେଶ କଲା । ସେ ଗୋଟିଏ କାଠ ଗଡ଼ କାନ୍ଧରେ ପକାଇ ଆସିଥିଲା । ସେହି କାଠ ଗଡ଼ଟିକୁ ତଳେ ପକାଇଦେଇ ସେ ଗୁହାର ଦ୍ୱାର ପାଖକୁ ଗଲା ଓ ଖଣ୍ଡିଏ ପ୍ରକାଣ୍ଡ ପଥର ଟେକି ଆଣି ଦ୍ୱାରକୁ ବନ୍ଦ କରିଦେଲା । ଓଡ଼ିସିଅସ ବୁଝି ପାରିଲେ ଯେ ଏହି ପଥରଟି ଗୁହାର କବାଟ ରୂପେ ବ୍ୟବହୃତ ହୁଏ । ଏହା ଏତେବଡ଼ ଯେ କୋଡ଼ିଏ ପଚିଶଟି ଘୋଡ଼ା ମଧ୍ୟ ଏହାକୁ ଘୋଷାଡ଼ି ନେଇ ପାରନ୍ତେ ନାହିଁ । ତତ୍ପରେ ରାକ୍ଷସ ତାର ମେଣ୍ଡାମାନଙ୍କୁ ଦୁହିଁ ଦୁଧଯାକ ରାତିରେ ଖାଇବା ପାଇଁ କେତେକ ପାତ୍ରରେ ରଖିଦେଲା । ଏଣି ଓଡ଼ିସିଅସ ଓ ତାଙ୍କ ଅନୁଚରମାନେ ରାକ୍ଷସକୁ ଦେଖି ଭୟରେ ଚୁପ୍‌କରି ଲୁଚି ରହିଥାନ୍ତି । ସେମାନେ ଗୋଟାଏ ରାକ୍ଷସର ଗହ୍ୱର ମଧ୍ୟରେ ଯେ ବନ୍ଦୀ ହେଲେଣି ଏହା ସ୍ପଷ୍ଟରୂପେ ଜାଣି ପାରିଥିଲେ ।

 

ଏହି ସମୟରେ ରାକ୍ଷସର ଦୃଷ୍ଟି ଓଡ଼ିସିଅସ ଓ ତାଙ୍କ ଲୋକମାନଙ୍କ ଉପରେ ପଡ଼ିଲା । ସେ କଠୋର ସ୍ୱରରେ ପଚାରିଲା, ‘‘ତୁମେମାନେ କିଏ ? ଏଠାକୁ କାହିଁକି ଆସିଛ ?’’

 

ଓଡ଼ିସିଅସ ଉତ୍ତର କଲେ, ‘‘ଆମେମାନେ ଗ୍ରୀସ୍‌ ଦେଶର ଲୋକ । ଟ୍ରୟ ଯୁଦ୍ଧରୁ ସ୍ୱଦେଶକୁ ବାହୁଡ଼ି ଯାଉଛୁ । ସମୁଦ୍ରରେ ପଥ ହରାଇ ଏଣେତେଣେ ବୁଲୁ ବୁଲୁ ଏଠାରେ ପହଞ୍ଚିଅଛୁ-। ଜିଅସ୍‌ଦେବତା ତୁମର ମଙ୍ଗଳ କରିବେ । ତୁମେ ଆମ ପ୍ରତି ଦୟା କର ।’’

 

ରାକ୍ଷସ ଉଚ୍ଚ ସ୍ୱରରେ ହସି କହିଲା, ‘‘ଆମେ ସାଇକ୍ଳୋପମାନେ ତୁମର ଜିଅସ୍‌ ଅନ୍ୟ କୌଣସି ଦେବଦେବୀଙ୍କୁ ମାନୁ ନାହିଁ । ତୁମର ସେସବୁ ଦେବଦେବୀଙ୍କଠାରୁ ଆମେମାନେ ବଡ଼; ଅଧିକ ଶକ୍ତିଶାଳୀ । ଆଚ୍ଛା, ତୁମର ଜାହାଜ କାହିଁ ?’’

 

ଓଡ଼ିସିଅସ ଦେଖିଲେ, ଜାହାଜଗୁଡ଼ିକ କେଉଁଠାରେ ଲଙ୍ଗର ପକାଇଛି, ଏହାକୁ କହିବା ବୁଦ୍ଧିମାନ ଲୋକର କାର୍ଯ୍ୟ ନୁହେ । ତେଣୁ ସେ କହିଲେ, ‘‘ଆମର ଜାହାଜ ଝଡ଼ ହେତୁ ସମୁଦ୍ରରେ ବୁଡ଼ି ଯାଇଛି ।’’ ରାକ୍ଷସ ଆଉ କିଛି ନକହି ଓଡ଼ିସିଅସଙ୍କ ଲୋକମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଟାଣିନେଲା ଓ ସେମାନଙ୍କୁ ଖଣ୍ଡ ଖଣ୍ଡ କରି ଛିଣ୍ଡାଇ ସିଝାଇ ଖାଇଲା । ଏହାପରେ ସେ କିଛି ମେଣ୍ଢା ଦୁଧ ପିଇ ଶୋଇପଡ଼ିଲା । ପ୍ରଥମେ ଓଡ଼ିସିଅସ ଭାବିଥିଲେ, ରାକ୍ଷସ ଶୋଇଥିବା ବେଳେ ତାକୁ ବଧ କରିବେ । କିନ୍ତୁ ତାଙ୍କର ମନେ ପଡ଼ିଗଲା, ଯେଉଁ ପଥରରେ ଗୁହାର ମୁହଁ ବନ୍ଦ ହୋଇଛି ତାକୁ କିପରି ବାହାର କରିବା ? ରାକ୍ଷସ ମରିଗଲେ ସେମାନେ ଗୁହା ଭିତରେ ବନ୍ଦୀ ହୋଇ ଶେଷରେ ପ୍ରାଣ ହରାଇବେ । ତେଣୁ ରାକ୍ଷସକୁ ହତ୍ୟା କରିବା ଚେଷ୍ଟାରୁ ବିରତ ହେଲେ।

 

ପରଦିନ ସକାଳେ ରାକ୍ଷସ ସେହିପରି ଆଉ ଦୁଇଜଣ ଲୋକଙ୍କୁ ସିଝାଇ ଖାଇଲା । ମେଣ୍ଢାପଲକୁ ବାହାର କରିଦେଇ ପୁଣି ଦ୍ୱାରଟି ପଥରଦ୍ୱାରା ବନ୍ଦ କରିଦେଲା । ଓଡ଼ିସିଅସ ଦେଖିଲେ, ସେମାନେ ପୂର୍ବପରି ବନ୍ଦୀ ହୋଇ ରହିଲେ । ତଥାପି ସେ ହତାଶ ହେଲେ ନାହିଁ । ସେ ମନେ ମନେ ଗୋଟିଏ ଉପାୟ ସ୍ଥିର କଲେ ।

 

ରାକ୍ଷସ ଗଛର ଗଣ୍ଡିଟାକୁ ଗୁହା ଭିତରେ ପକାଇ ଯାଇଥିଲା । ଓଡ଼ିସିଅସ ସେଥିରୁ ପ୍ରାୟ ଛୁଅଫୁଟ ଲମ୍ବର ଖଣ୍ଡିଏ ହାଣି, ତାର ଗୋଟିଏ ମୁଣ୍ଡକୁ ଖୁବ୍‌ ଗୋଜିଆ କରିଦେଲେ । ସେ ଚାରିଜଣ ଲୋକଙ୍କୁ କହିଲେ, ‘‘ଦେଖ, ଆଜି ରାତିରେ ରାକ୍ଷସ ଶୋଇଥିଲା ବେଳେ ତୁମେମାନେ ଏହି କାଠର ଗୋଜିଆ ମୁଣ୍ଡଟି ତାର ଆଖିରେ ଭୂଷି ଦେଇ ଖୁବ୍‌ ଜୋରରେ ଘୂରାଇବ ।’’

 

ସନ୍ଧ୍ୟାବେଳକୁ ରାକ୍ଷସ ଫେରିଆସି ମେଣ୍ଢାପଲକୁ ଗୁହା ଭିତରେ ପୂରାଇଲା; ପଥରରେ ଦ୍ୱାର ବନ୍ଦ କରି ଦୁଇଜଣ ଲୋକଙ୍କୁ ମାରି ପୂର୍ବପରି ଖାଇଲା ।

 

ଏଥି ମଧ୍ୟରେ ଓଡ଼ିସିଅସ ଗୋଟିଏ ପାତ୍ରରେ ମେରନ ଦେଇଥିବା ମଦକୁ ଭର୍ତ୍ତି କରି ରାକ୍ଷସକୁ ପିଇବାକୁ ଦେଲେ । ସେଥିରେ ଆଦୌପାଣି ମିଶି ନଥିଲା । ତାକୁ ମଦ ଖୁବ୍‌ ଭଲ ଲାଗିଲା । ସେ ଯଥେଷ୍ଟ ମଦ ପିଇ ଖୁସି ହୋଇ ଓଡ଼ିସିଅସଙ୍କୁ କିଛି ପୁରସ୍କାର ଦେବ ବୋଲି ସ୍ଥିର କରି ପଚାରିଲା, ‘‘ତୋର ନାମ କଅଣ ?’’ ଓଡ଼ିସିଅସ ଉତ୍ତର କଲେ, ‘‘ମୋର ନାମ ‘କେହି ନାହିଁ’-।’’

 

ରାକ୍ଷସ କହିଲା, ‘‘ମୁଁ ଆଗ ଅନ୍ୟମାନଙ୍କୁ ଖାଇବି; ଶେଷରେ ‘କେହିନାହିଁ’କୁ ଖାଇବି । ଏଇ ହେଉଛି ତୋର ପୁରସ୍କାର ।’’ ଏହା କହି ସେ ଶୋଇପଡ଼ିଲା ।

 

ଗୁହା ଭିତରେ ରାକ୍ଷସର ଚୁଲିରେ ନିଆଁ ଥିଲା ଓଡ଼ିସିଅସ ଲମ୍ବ କାଠର ଗୋଜିଆ ଅଂଶଟିକୁ ସେଥିରେ ଖୁବ୍‌ ଗରମ କଲେ । ତତ୍ପରେ ଏହାକୁ ନେଇ ସେ ଓ ତାଙ୍କର ଚାରିଜଣ ଲୋକ ରାକ୍ଷସର ଆଖିଟିରେ ଭୂଷି ଦେଲେ ଓ ଘୂରାଇବାକୁ ଲାଗିଲେ । ରାକ୍ଷସ ଗର୍ଜନ କରି ଛିଡ଼ା ହୋଇଗଲା ଓ ଅନ୍ୟ ରାକ୍ଷସମାନଙ୍କୁ ସାହାଯ୍ୟ ପାଇଁ ଡାକିଲା । ଓଡ଼ିସିଅସ ଓ ତାଙ୍କ ଲୋକମାନେ ଗୁହାର ଏକ ପାଖକୁ ପଳାଇଗଲେ । କେତେଜଣ ରାକ୍ଷସ ଆଖପାଖ ଗୁହାର ପଚାରିଲେ, ‘‘ତୁମ ସାଥିରେ କିଏ ଲାଗିଛି ? କିଏ ମାରି ପକାଉଛି ?’’

 

ରାକ୍ଷସ ଉତ୍ତର କଲା, ‘‘କେହିନାହିଁ ।’’

 

ଅନ୍ୟ ରାକ୍ଷସମାନେ ବିରକ୍ତ ହୋଇ କହିଲେ, ‘‘କେହିନାହିଁ ତ, ଆମକୁ ରାତିରେ ନିଦରୁ ଉଠାଇଲୁ କାହିଁକି ?’’ ଏହା କହି ସେମାନେ ପୁଣି ଶୋଇପଡ଼ିଲେ । ଓଡ଼ିସିଅସ କୌଶଳରେ ରାକ୍ଷସକୁ ଠକି ଦେଇଥିବାରୁ ମନେ ମନେ ହସିଲେ ।

 

ପାହାନ୍ତିଆ ବେଳକୁ ଓଡ଼ିସିଅସ ତିନୋଟି ଲେଖାଏଁ ମେଣ୍ଢାଙ୍କୁ ଏକାଠି ଛନ୍ଦି ମଝି ମେଣ୍ଢାର ପେଟତଳେ ନିଜର ଜଣେ ଲୋକକୁ ବାନ୍ଧି ଦେଲେ । ନିଜେ ମଧ୍ୟ ସେହିପରି ବାନ୍ଧି ହୋଇ ରହିଲେ । ସକାଳ ହେବାରୁ ରାକ୍ଷସ ଅନ୍ଧହୋଇ ଯାଇଥିବାରୁ ଅଣ୍ଡାଳି ଅଣ୍ଡାଳି ଦ୍ୱାର ପାଖକୁ ଯାଇ ପଥର ଖଣ୍ଡିକ ବାହାର କରିଦେଲା ଓ ନିଜେ ଦ୍ୱାର ମୁହଁ ଜଗି ବସିଲା । ମେଣ୍ଡାମାନେ ଦ୍ୱାରବେଟେ ବାହାରକୁ ଗଲେ । ରାକ୍ଷସ ସେମାନଙ୍କୁ ଅଣ୍ଡାଳି ଦେଖୁଥାଏ । କିନ୍ତୁ ଓଡ଼ିସିଅସ ଓ ତାଙ୍କ ଲୋକେ ମଝି ମେଣ୍ଢାର ପେଟତଳେ ଥିବାରୁ ସେ ସେମାନଙ୍କୁ ଜାଣି ପାରିଲା ନାହିଁ । ଦୁଇ ପାଖରେ ମେଣ୍ଢାଙ୍କୁ ପରୀକ୍ଷା କରି ସେ ସନ୍ତୁଷ୍ଟ ହେଲେ ଯେ ‘କେହିନାହିଁ’ ଓ ତାର ଲୋକମାନେ ବାହାରକୁ ଯାଇ ନାହାନ୍ତି ।

 

ମେଣ୍ଢାମାନେ ବାହାରିଯିବା ପରେ ରାକ୍ଷସ ଗୁହାର ମୁହଁକୁ ପୁଣି ପଥର ଦେଇ, ବନ୍ଦ କରିଦେଲା । ଓଡ଼ିସିଅସ ଓ ତାଙ୍କର ଅନୁଚରମାନେ ମେଣ୍ଢା ଦେହରୁ ନିଜ ନିଜକୁ ଫିଟାଇ ମେଣ୍ଢାଗୁଡ଼ିକ ସହିତ ଜାହାଜକୁ ଚାଲିଗଲେ ଓ ଲଙ୍ଗର ଉଠାଇ ଅତିଶୀଘ୍ର ଜାହାଜ ଚଳାଇଲେ । କିଛି ଦୂର ଯିବା ପରେ ଓଡ଼ିସିଅସ ଦେଖିଲେ, ରାକ୍ଷସମାନେ ସେମାନଙ୍କର ଆଉ କିଛି ଅନିଷ୍ଟ କରି ପାରିବେ ନାହିଁ । ସେ ବଡ଼ ପାଟି କରି କହିଲେ, ‘‘ଇଥାକାର ଓଡ଼ିସିଅସ ତୋତେ ଅନ୍ଧ କରି ଚାଲିଗଲା । ତୋର ଭାଇବନ୍ଧୁଙ୍କୁ କହିଦେବୁ ।’’

 

ଏହି ରାକ୍ଷସର ପିତା ହେଉଛନ୍ତି, ସମୁଦ୍ରର ଦେବତା, ପୋସିଡ଼ନ୍‌ । ରାକ୍ଷସ ପୋସିଡ଼ନଙ୍କୁ ପ୍ରାର୍ଥନା କଲା–ହେ ପିତା, ଓଡ଼ିସିଅସ ବୋଲି ଗୋଟାଏ ଲୋକ ମୋତେ ଅନ୍ଧ କରିଦେଇ ଜାହାଜରେ ପଳାଉଛି । ସେ ଯେପରି ନିଜ ରାଜ୍ୟକୁ ଫେରି ନ ଯାଉ; ଯଦି ବା ଯାଏ ତେବେ ସେ ବହୁ ବର୍ଷ ଦୁଃଖ କଷ୍ଟ ସହିବାର ବ୍ୟବସ୍ଥା ତୁମେ କର । ସ୍ୱଦେଶରେ ପହଞ୍ଚିଲା ବେଳକୁ ତାର ଯେପରି ଦୁଃଖ ହୁଏ, ସେକଥା ତୁମେ କରିଦିଅ ।’’

 

ରାକ୍ଷସ କ୍ରୋଧରେ ଗୋଟାଏ ବଡ଼ ପଥର ଧରି ଫିଙ୍ଗିଲା; କିନ୍ତୁ ତାହା ଜାହାଜ ପର୍ଯ୍ୟନ୍ତ ଗଲାନାହିଁ । ବରଂ ଏହା ସମୁଦ୍ରରେ ପଡ଼ି ଯେଉଁ ଲହରୀ ସୃଷ୍ଟିକଲା, ସେଥିରେ ଜାହାଜ ଅନେକ ଦୂରକୁ ଭାସିଗଲା ।

 

ପୋସିଡ଼ନ ତାଙ୍କ ପୁଅର ପ୍ରାର୍ଥନା ଶୁଣି ଓଡ଼ିସିଅସଙ୍କୁ ନାନା ଦୁଃଖକଷ୍ଟ ଦେଇଥିଲେ ।

 

ଦୁଇ

 

ଓଡ଼ିସିଅସ ଓ ତାଙ୍କର ଅନୁଚରମାନେ ଅନେକ ଦିନ ପର୍ଯ୍ୟନ୍ତ ଜାହାଜ ଚଳାଇ ଗୋଟିଏ ଦ୍ୱୀପରେ ନହଞ୍ଚିଲେ । ସେମାନେ ଏହି ଦ୍ୱୀପ ସମ୍ବନ୍ଧରେ କିଛି ହେଲେ ଜାଣି ନଥିଲେ । କେବଳ ଏତିକି ଜାଣିଥିଲେ ଯେ ଏହାର ନାମ ଆଇୟା ଓ ଏଠାରେ ସାୟାର୍ସ ବୋଲି ଜଣେ ମାୟାବିନୀ ବାସକରେ ।

 

ଓଡ଼ିସିଅସ ତରବାରୀ ଓ ବର୍ଚ୍ଛା ଘେନି ଦ୍ୱୀପର ଗୋଟିଏ ଉଚ୍ଚ ପାହାଡ଼ ଉପରକୁ ଚଢ଼ିଲେ-। ସେଠାରୁ କିଛି ଦୂରରେ ବନ ମଧ୍ୟରୁ ଧୂଆଁ ଉଠୁଥିବାର ଦେଖି ସେ ସ୍ଥିର କଲେ ଯେ ଏଠାରେ କୌଣସି ଲୋକାଳୟ ଅଛି । ସେ ଏକାକୀ ସେହି ସ୍ଥାନକୁ ଯିବାକୁ ବସିଥିଲେ, କିନ୍ତୁ ପରେ ଚିନ୍ତାକଲେ–ଏ ଅଜଣା ରାଜ୍ୟ, ସେଠାରେ ମନୁଷ୍ୟ ଅଛି କି ରାକ୍ଷସ ଅଛି କିଏ ଜାଣେ ? ମନୁଷ୍ୟ ଥିଲେ ସେ ଯେ ତାଙ୍କର ଶତ୍ରୁତା ନ କରିବ ତାହାର କି ସ୍ଥିରତା ଅଛି ? ଅତଏବ ସେଠାକୁ ଏକାକୀ ଯିବା ନିରାପଦ ନୁହେଁ ।

 

ସେ ଜାହାଜକୁ ଫେରି ଆସିଲେ ଓ ଦଳବଳ ଘେନି ପରଦିନ ସେଠାକୁ ଯିବାପାଇଁ ସ୍ଥିର କଲେ ।

 

ପରଦିନ ସକାଳେ ଓଡ଼ିସିଅସ ନିଜର ଲୋକମାନଙ୍କୁ ଦୁଇ ଦଳରେ ବିଭକ୍ତ କରିଦେଲେ-। ଗୋଟିଏ ଦଳର ନେତା ହେଲେ ଇଉରିଲୋକସ ଓ ଅନ୍ୟ ଦଳଟିର ନେତୃତ୍ୱ ନିଜେ ଓଡ଼ିସିଅସ ଗ୍ରହଣ କଲେ । ଗୋଟିଏ ଦଳ ଆଗେ ଯିବା ସ୍ଥିର ହେଲେ । ସେମାନେ ଯଦି ନିରାପଦରେ ଫେରି ନ ଆସିବେ ତେବେ ଅନ୍ୟ ଦଳ ସେମାନଙ୍କ ସନ୍ଧାନରେ ଯିବେ ତାହା ସ୍ଥିର କରିବା ପାଇଁ ଗୁଳା ପଡ଼ିଲା ଓ ଇଉରିଲୋକସଙ୍କୁ ଯିବାକୁ ପଡ଼ିଲା । ସେ ତାଙ୍କର ବାଇଶି ଜଣ ଅନୁଚର ଘେନି ବନ ପଥରେ ଅଗ୍ରସର ହେଲେ । ଓଡ଼ିସିଅସ ଓ ତାଙ୍କ ଦଳର ଲୋକେ ଜାହାଜରେ ଅପେକ୍ଷା କରି ରହଲେ । କିଛି ସମୟ ପରେ ଇଉରିଲୋକସ ଏକୁଟିଆ ଫେରି ଆସିଲେ । ତାଙ୍କ ଆଖିରୁ ଲୁହ ବୋହି ଯାଉଥିଲା ଓ ଗଭୀର ଦୁଃଖ ହେତୁ ସେ କିଛି କହିବାକୁ ଅକ୍ଷମ ଥିଲେ ।

 

କିଛି ସମୟ ପରେ ପ୍ରକୃତିସ୍ଥ ହୋଇ ସେ କହିଲେ, ‘‘ଆମେମାନେ ସମସ୍ତେ ଜଙ୍ଗଲରେ ଥିବା ସେହି ଘରକୁ ଗଲୁ, ସାୟାର୍ସକୁ ମଧ୍ୟ ଦେଖିଲୁ । ତା’ଭଳି ସୁନ୍ଦରୀ ସ୍ତ୍ରୀ ଜଗତରେ ନଥିବେ । ଘର ଆଗରେ କେତେ ସିଂହ ଓ ହେଟାବାଘ ଖେଳି ବୁଲୁଥିଲେ । ଆମକୁ ଦେଖି ସେମାନେ ଆନନ୍ଦରେ ଆମ ପାଖକୁ ଦଉଡ଼ି ଆସିଲେ । ଆମେମାନେ ଫାଟକ ପର୍ଯ୍ୟନ୍ତ ଯାଇ ସାୟାର୍ସର ମଧୁର ସଙ୍ଗୀତ ଶୁଣି ପାରିଲୁ । ଆମ ଭିତରୁ ଜଣେ ସାୟର୍ସକୁ ଡାକିବାରୁ ସେ ଆମ ପାଖକୁ ଆସିଲା । ସହଜେ ସେ ଅତି ସୁନ୍ଦରୀ; ସେଥିରେ ପୁଣି ସୁନ୍ଦର ଚକଚକିଆ ପୋଷାକ ଓ ନାନା ରତ୍ନ ଅଳଙ୍କାର ପିନ୍ଧିଥାଏ । ସେ କବାଟ ଫିଟାଇ ଆମମାନଙ୍କୁ ଭିତରକୁ ଡାକିନେଲା । ସମସ୍ତେ ଭିତରକୁ ଗଲେ; କିନ୍ତୁ ମୁଁ ନ ଯାଇ ବାହାରୁ ଝରକା ବାଟେ ଚାହିଁ ରହିଲି । ସାୟାର୍ସର ଅନେକ ସୁନ୍ଦରୀ ଦାସୀ ଅଛନ୍ତି । ସେମାନେ ଆମ ଲୋକମାନଙ୍କୁ ଖୁବ୍‌ ଆଦର ଦେଖାଇ ଆସନରେ ବସାଇଲେ ଓ ଗୋଟିଏ ଗୋଟିଏ ପାତ୍ରରେ ପ୍ରତ୍ୟେକଙ୍କୁ କିଛି କିଛି ମଦ ପିଇବାକୁ ଦେଲେ । ସେମାନେ ମଦ ପିଇ ସାରିବା ପରେ ସାୟାର୍ସ ତାର କୁଆଁରୀ ହାଡ଼ ଧରି ସମସ୍ତଙ୍କୁ ଜଣ ଜଣ କରି ଛୁଇଁ ଗଲା । ମୁଁ ଚାହିଁ ରହିଥାଏ । ଆଶ୍ଚର୍ଯ୍ୟର କଥା କୁଆଁରୀ ହାଡ଼ ତାଙ୍କ ଦେହରେ ବାଜିଲାକ୍ଷଣି ସେମାନେ ସମସ୍ତେ ଗୋଟିଏ ଲେଖାଏଁ ଘୁଷୁରି ହୋଇଗଲେ । ସାୟାର୍ସ ସେମାନଙ୍କୁ ନେଇ ଗୋଟିଏ ଗୁହାଳ ଘରେ ଭର୍ତ୍ତି କରି ବନ୍ଦ କରିଦେଲା । ମୁଁ ଏହା ଦେଖି ଭୟରେ ପଳାଇ ଆସିଲେ ।’’

 

ସମସ୍ତ ଘଟନା ଶୁଣି ଓଡ଼ିସିଅସ ତରବାରୀ ଓ ଧନୁଶର ଧରି ଇଉରିଲୋକସଙ୍କୁ କହିଲେ, ‘‘ଆସ, ଆମେ ଦୁହେଁ ସାୟାର୍ସର ଘରକୁ ଯାଇ ଆମର ବନ୍ଧୁମାନଙ୍କୁ ମୁକ୍ତ କରି ଆଣିବା । କିନ୍ତୁ ଇଉରିଲୋକସଙ୍କର ଏତେ ଦୂର ଭୟ ହୋଇ ଯାଇଥିଲା ଯେ ସେ କୌଣସିମତେ ସାୟାର୍ସର ପାଖକୁ ଯିବାକୁ ସାହସ କଲେ ନାହିଁ । ତହୁଁ ଓଡ଼ିସିଅସ ଏକାକୀ ସେହି ବନ ମାର୍ଗରେ ସାୟାର୍ସର ଘରକୁ ବାହାରିଲେ । ପଥ ମଧ୍ୟରେ ଜଣେ ଯୁବକୁ ଆସି ତାଙ୍କ ହାତଧରି କହିଲେ, ‘‘ଓଡ଼ିସିଅସ, ତୁମେ କଅଣ ପାଗଳ ହେଲ ? ସାୟାର୍ସର ବଳ ତୁମକୁ ଜଣା ନାହିଁ । ଜଗତରେ ଏପରି କିଛି ନାହିଁ ଯାହାକି ସେ ମନ୍ତ୍ରବଳରେ କରି ନପାରେ । ଏପରି ସ୍ଥଳେ ବନ୍ଧୁମାନଙ୍କୁ ତା ହାତରୁ ମୁକ୍ତ କରିବା ପାଇଁ ତୁମେ ଏକୁଟିଆ ବାହାରିଛ କିପରି ? ସାୟାର୍ସର କବଳରୁ କେହି ମୁକ୍ତି ପାଇଥିବାର ଶୁଣାନାହିଁ-।’’

 

ଓଡ଼ିସିଅସ କହିଲେ, ‘‘ମୁଁ ମୋର ଯଥାଶକ୍ତି ଚେଷ୍ଟା କରିବି ବୋଲି ଯାଉଛି ।’’ ଯୁବକ ଗୋଟିଏ ଧଳା ଫୁଲ ତୋଳି ଆଣି ଓଡ଼ିସିଅସଙ୍କୁ ଦେଇ କହିଲେ, ‘‘ଏହି ଫୁଲଟି ନିଅ । ସାୟାର୍ସ ତୁମକୁ ମଦ ପିଆଇଲା ମାତ୍ରେ ତୁମେ ତାକୁ ଏ ଫୁଲଟି ଦେଖାଇ କହିବ–ହର୍ମିସ ଦେବତା ମୋତେ ଏଇଟି ଦେଇଅଛନ୍ତି । ତାହାପରେ ତାକୁ ଖଣ୍ଡା ଉଞ୍ଚାଇ ଭୟ ଦେଖାଇଲେ ସେ ତୁମର ଅନିଷ୍ଟ କରିବ ନାହିଁ ବୋଲି ଶପଥ କରିବ ।’’

 

ଏହିପରି ଉପଦେଶ ଦେଇ ହର୍ମିସ ଉଭେଇ ଗଲେ । ଓଡ଼ିସିଅସ ବନ ମଧ୍ୟରେ ସାୟାର୍ସର ଘର ପର୍ଯ୍ୟନ୍ତ ଯିବାପରେ ସାୟାର୍ସ ତାଙ୍କୁ ଆଦରରେ ଘର ଭିତରକୁ ଡାକିନେଲା ଓ ମଦ ପିଇବାକୁ ଦେଲା । ତତ୍ପରେ ସେ ଓଡ଼ିସିଅସଙ୍କ ଦେହରେ କୁଆଁରୀହାଡ଼ ଛୁଆଇଁ ଦେଇ କହିଲା, ‘‘ଯାଆ, ଘୁଷୁରୀ ହୋଇ ତୋର ସାଥିମାନଙ୍କ ସଙ୍ଗେ ଗୁହାଳରେ ରହିଥାଆ ।’’ କିନ୍ତୁ ଓଡ଼ିସିଅସ ହର୍ମିସଙ୍କ କଥା ଅନୁସାରେ ତାକୁ ଧଳା ଫୁଲଟିକୁ ଦେଖାଇ କହିଲେ–ଏ ଫୁଲଟି ହର୍ମିସ ଦେଇଅଛନ୍ତି-। ସଙ୍ଗେ ସଙ୍ଗେ ସାୟାର୍ସର ଆଚରଣ ବଦଳିଗଲା । ସେ ଓଡ଼ିସିଅସଙ୍କ ପାଦତଳେ ପଡ଼ି କହିଲା, ‘‘ତାହାହେଳେ ତୁମେ ଇଥାକାର ରାଜପୁତ୍ର ଓଡ଼ିସିଅସ । ହର୍ମିସ ମୋତେ ଆଗରୁ ଜଣାଇ ଦେଇଥିଲେ ଯେ ତୁମେ ଟ୍ରୟରୁ ସ୍ୱଦେଶକୁ ଫେରିଲାବେଳେ ଏ ଦ୍ୱୀପକୁ ଆସିବ । ଏଇ ମୁହୂର୍ତ୍ତରୁ ତୁମେ ମୋର ବନ୍ଧୁ । ମୁଁ ପ୍ରତିଜ୍ଞା କରୁଛି, ତୁମର କିଛି ମାତ୍ର ଅନିଷ୍ଟ କରିବି ନାହିଁ; ବରଂ ତୁମକୁ ଯଥାସାଧ୍ୟ ସାହାଯ୍ୟ କରିବି । ତୁମର ଭୟର କୌଣସି କାରଣ ନାହିଁ ।’’

 

ସାୟାର୍ସ ତାର ଦାସୀମାନଙ୍କୁ ଡାକି ଓଡ଼ିସିଅସଙ୍କ ପାଇଁ ସୁନ୍ଦର ଖାଦ୍ୟ ଓ ମଦ ଅଣାଇଲା-। କିନ୍ତୁ ଓଡ଼ିସିଅସ ନଖାଇ ଚୁପ୍‌କରି ବସି ରହିଲେ । ସେ କହିଲେ, ‘‘ମୋର ବିଶ୍ୱସ୍ତ ଅନୁଚରମାନେ ଗୁହାଳରେ ଘୁଷୁରି ହୋଇ ରହିଥିବା ଯାଏ ମୁଁ ଅନ୍ନଜଳ ସ୍ପର୍ଶ କରି ପାରିବି ନାହିଁ ।’’ ତହୁଁ ସାୟାର୍ସ ଗୁହାଳକୁ ଯାଇ ଓଡ଼ିସିଅସଙ୍କ ଲୋକମାନଙ୍କୁ ମନ୍ତ୍ର ବଳରେ ପୁଣି ପୂର୍ବ ରୂପ ଦେଇ ତାଙ୍କ ପାଖକୁ ନେଇ ଆସିଲା । ସେମାନେ ଓଡ଼ିସିଅସଙ୍କୁ ଦେଖି ଆନନ୍ଦିତ ହେଲେ ଓ ସେମାନଙ୍କୁ ଉଦ୍ଧାର କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଲେ ।

 

ଇଉରିଲୋକସଙ୍କ ଭୟ ପ୍ରଦର୍ଶନ ସତ୍ତ୍ୱେ ଜାହାଜର ଲୋକେ ଏକବର୍ଷ ପର୍ଯ୍ୟନ୍ତ ଏହି ଦ୍ୱୀପରେ ମହା ଆନନ୍ଦରେ ବାସ କଲେ । ସାୟାର୍ସ ସେମାନଙ୍କର ସୁଖସ୍ୱାଚ୍ଛନ୍ଦ୍ୟର ସମସ୍ତ ସୁବିଧା କରିଦେଲା । କିନ୍ତୁ ଏକବର୍ଷ ପରେ ସେମାନେ ସ୍ୱଦେଶକୁ ଫେରିଯିବା ପାଇଁ ବ୍ୟାକୁଳ ହେଲେ । ପଥମଧ୍ୟରେ ସେମାନଙ୍କୁ ଯେ କେତେ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ ତାହା ସେମାନେ କଳ୍ପନା କରିପାରି ନଥିଲେ । ପ୍ରଥମେ ସାୟାର୍ସ ସେମାନଙ୍କୁ ଚିରକାଳ ସେହି ଦ୍ୱୀପରେ ରହିବା ପାଇଁ ଅନୁରୋଧ କରିଥିଲା; କିନ୍ତୁ ସେମାନେ ସ୍ୱଦେଶକୁ ଫେରିଯାଇ ନିଜର ସ୍ତ୍ରୀ ପୁତ୍ର ପ୍ରଭୃତିଙ୍କୁ ଦେଖିବା ନିମନ୍ତେ ନିତାନ୍ତ ଅଧୀର ହୋଇଥିବାର ଜାଣି ସେ ଆଉ ବାଧା ଦେଲା ନାହିଁ ।

 

ସେ ଓଡ଼ିସିଅସଙ୍କୁ ବାଧାବିଘ୍ନ ଜଣାଇ ଦେଇ କିପରି ସେସବୁ ଅତିକ୍ରମ କରିହେବ ତାହା ବୁଝାଇ ଦେଲା । ଓଡ଼ିସିଅସ ମନୋଯୋଗ ଦେଇ ତାର ପ୍ରତ୍ୟେକ ଗୁଣ ମନେ ରଖିଲେ ଏବଂ ସାୟାର୍ସଠାରୁ ବିଦାୟ ନେଇ ପୁଣି ଜାହାଜରେ ବସିଲେ ।

 

ଜାହାଜ କିଛି ଦିନ ସମୁଦ୍ରରେ ଯିବାପରେ ପବନର ଗତି ଅତି ମନ୍ଦ ହେଲା ଓ ସେମାନଙ୍କର ଜାହାଜ ଅତି ଧୀରେ ଚାଲିଲା । ଏହି ସମୟରେ ସେମାନେ ଗୋଟିଏ ମନୋହର ଦ୍ୱୀପ ଦେଖିଲେ । ଦ୍ୱୀପଆଡ଼ୁ ମଧୁର ସଙ୍ଗୀତ ଧ୍ୱନି ଶୁଣାଗଲା। ଓଡ଼ିସିଅସ ସାୟାର୍ସଠାରୁ ଏହି ଦ୍ୱୀପ ବିଷୟ ଶୁଣିଥିଲେ । ତେଣୁ ସେ ତତ୍‌କ୍ଷଣାତ୍‌ ଜାଣିପାରିଲେ ଯେ ସାଇରେନମାନେ ଦ୍ୱୀପରେ ରହି ସଙ୍ଗୀତ ଗାନ କରୁଅଛନ୍ତି । ଏହି ସାଇରେନମାନେ ଅତି ସୁନ୍ଦରୀ, କିନ୍ତୁ ଘୋର ବିପଜ୍ଜନକ । ସେମାନେ ନିଜର ସଙ୍ଗୀତ ମାଧୁରୀରେ ଲୋକମାନଙ୍କୁ ଦ୍ୱୀପକୁ ଆକର୍ଷଣ କରି ନିଅନ୍ତି, କିନ୍ତୁ ପରେ ସେମାନଙ୍କର ଦଶା କଅଣ ହୁଏ, ତାହା କେହି ଜାଣିପାରନ୍ତି ନାହିଁ ।

 

ଓଡ଼ିସିଅସ କିଛି ମହଣ ବାହାର କରି ପ୍ରତ୍ୟେକଙ୍କର କାନର ରନ୍ଧ୍ରକୁ ତାହାଦ୍ୱାରା ବନ୍ଦ କରିଦେଲେ, ଯେପରିକି ସେମାନେ ସାଇରେନ୍‌ମାନଙ୍କର ସଙ୍ଗୀତଧ୍ୱନି ଶୁଣି ନ ପାରିବେ । କିନ୍ତୁ ନିଜେ ଓଡ଼ିସିଅସ ସାଇରେନ୍‌ମାନଙ୍କ ସଙ୍ଗୀତ ଶୁଣିବାକୁ ଇଚ୍ଛୁକ ଥିଲେ । ତେଣୁ ସେ ତାଙ୍କର ସାଥିମାନଙ୍କୁ କହିଲେ, ‘‘ମୋତେ ତୁମେମାନେ ଦଉଡ଼ିରେ ଖୁବ୍‌ ଟାଣ କରି ମାସ୍ତୁଲ ଦେହରେ ବାନ୍ଧିଦିଅ । ମୁଁ ଯେତେ ଅନୁରୋଧ କଲେ ସୁଦ୍ଧା ମୋତେ ଫିଟାଇବ ନାହିଁ । ଏହି ଦ୍ୱୀପଠାରୁ ଖୁବ୍‌ ଦୂରକୁ ଚାଲିଗଲେ ମୋତେ ଫିଟାଇ ଦେବ ଓ ତୁମ କାନରୁ ମହଣ ବାହାର କରିଦେବ । ସେହିପରି କରାଗଲା । ଓଡ଼ିସିଅସଙ୍କୁ ଖୁବ୍‌ ଦୃଢ଼ଭାବରେ ମାସ୍ତୁଲରେ ବାନ୍ଧି ଦିଆଗଲା।

 

ଜାହାଜକୁ ନାବିକମାନେ ଚଳାଇଲେ । ସେମାନେ ସାଇରେନ୍‌ମାନଙ୍କର ସଙ୍ଗୀତ ଶୁଣିପାରୁ ନଥିଲେ। କିନ୍ତୁ ଓଡ଼ିସିଅସ ତାହା ଶୁଣିପାରୁଥିଲେ । ଦ୍ୱୀପକୁ ଯିବାପାଇଁ ତାଙ୍କ ମନ ଅସ୍ଥିର ହେଲା । ଏଣେ ସାଇରେନ୍‌ମାନେ କହୁଥାନ୍ତି, ‘‘ଓଡ଼ିସିଅସ, ଏଠାକୁ ଆସି ସ୍ୱର୍ଗସୁଖ ଭୋଗ କର । ସମସ୍ତ ଜ୍ଞାନ ତୁମେ ଅକ୍ଳେଶରେ ଲାଭ କରିପାରିବ । ତୁମେ ଜଗତରେ ଶ୍ରେଷ୍ଠ ଜ୍ଞାନୀ ବୋଲି ପରିଚିତ ହେବ ।’’

 

ଓଡ଼ିସିଅସଙ୍କର ମନ ଅସ୍ଥିର ହୋଇଉଠିଲା । ସେ ବନ୍ଧନରୁ ମୁକ୍ତ ହେବାପାଇଁ ପ୍ରବଳ ଉଦ୍ୟମ କଲେ । କିନ୍ତୁ ତାଙ୍କର ସହଚରମାନେ ତାଙ୍କୁ ଆହୁରି ଦୃଢ଼ରୂପେ ବାନ୍ଧିଦେଲେ । । ଏହିପରି ଜାହାଜଟି ଅନେକ ଦୂର ଅଗ୍ରସର ହେଲା । ଓଡ଼ିସିଅସ ଆଉ ସାଇରେନ୍‌ମାନଙ୍କର ସଙ୍ଗୀତ ଶୁଣିପାରିଲେ ନାହିଁ । ତହୁଁ ତାଙ୍କୁ ମାସ୍ତୁଲରୁ ଫିଟାଇ ଦିଆଗଲା ଓ ଅନ୍ୟମାନେ କାନରୁ ମହଣ ବାହାର କରିଦେଲେ ।

 

ତିନି

 

ସାଇରେନ୍‌ମାନଙ୍କ ଦ୍ୱୀପଠାରୁ ଯିବାର କେତେକ ଦିନ ପରେ ଜାହାଜ ଆଉ ଗୋଟିଏ ବିପଜ୍ଜନକ ସ୍ଥାନରେ ପହଞ୍ଚିଲା । ଏଠାରେ ସମୁଦ୍ର ଅତି ସଂକୀର୍ଣ୍ଣ ଓ ଦୁଇ ପାଖରେ ଗୋଟିଏ ଲେଖାଏଁ ପ୍ରକାଣ୍ଡ ପାହାଡ଼ । ବାମ ପାଖରେ ପାହାଡ଼ ନିକଟରେ କାରିବ୍‌ଡ଼ିସ ବୋଲି ଏକ ଜଳାବର୍ତ୍ତ ଥିଲା । ସେଥିରେ ପଡ଼ିଲେ ଯେକୌଣସି ଜାହାଜ ଖଣ୍ଡବିଖଣ୍ଡ ହୋଇ ଧ୍ୱଂସ ପାଇଯାଏ । ଦକ୍ଷିଣ ପାଖର ପାହାଡ଼ରେ ବାଜିଲେ ମଧ୍ୟ କାହାରି ଅସ୍ତିତ୍ୱ ରହିବ ନାହିଁ । ତାହାଛଡ଼ା ଏହି ଦକ୍ଷିଣ ପାଖର ପାହାଡ଼ରେ ଗୋଟିଏ ବୃହତ୍‌ ଗହ୍ୱର ଥିଲା । ସେଥିରେ ଏକ ଭୀଷଣ ଜୀବ ବାସ କରୁଥିଲା । ଏହାର ଛଅଟି ମୁଣ୍ଡ; ବେକଟି ସରୁ । ପ୍ରତ୍ୟେକ ମୁହଁରେ ତିନି ଧାଡ଼ି ଲେଖାଏଁ ତୀକ୍ଷ୍‌ଣ ଦନ୍ତ ଏବଂ ବାରଟି ଜିଭ ଥିଲା । ପ୍ରତ୍ୟେକ ଜିଭର ଅଗ ନଖପରି ଗୋଜିଆ ହୋଇଥିବାରୁ ତାହା ସାହଯ୍ୟରେ ପାଖରେ ଯାଉଥିବା ଯେକୌଣସି ଲୋକକୁ ଟାଣିନେବା ସୁବିଧା । ଏହି ଅଦ୍ଭୁତ ଜୀବଟିର ନାମ ସିଲା ।

 

ସାୟାର୍ସ ଓଡ଼ିସିଅସଙ୍କୁ ଏହି ବିଷମ ପରିସ୍ଥିତି ବିଷୟରେ ସାବଧାନ କରି ଦେଇଥିଲା । ଜାହାଜ ଏହି ସଂକୀର୍ଣ୍ଣ ପଥରେ ପହଞ୍ଚିଲା । ଓଡ଼ିସିଅସ ଭାବିଲେ–‘‘ବାମ ପାଖରେ ଗଲେ ଜାହାଜ ଆବର୍ତ୍ତ ମଧ୍ୟରେ ପଡ଼ି ବିନଷ୍ଟ ହେବ ଓ ଜାହାଜର ସମସ୍ତ ଲୋକ ପ୍ରାଣ ହରାଇବେ । ଦକ୍ଷିଣ ପାଖରେ ଗଲେ ସିଲା ତାଙ୍କର ଛଅଜଣ ଲୋକଙ୍କୁ ଟାଣି ନେଇପାରେ । ସମସ୍ତଙ୍କ ଜୀବନ ନାଶ ଅପେକ୍ଷା ଛଅଜଣଙ୍କର ପ୍ରାଣନାଶ ଶ୍ରେୟସ୍କର ।’’ ଏହିପରି ଚିନ୍ତା କରି ସେ ଡାହାଣ ପାଖରେ ଜାହାଜ ଚଳାଇବା ପାଇଁ ନାବିକମାନଙ୍କୁ ଆଦେଶ ଦେଲେ । ଏହା ଫଳରେ ଯେ ଛଅଜଣଙ୍କର ପ୍ରାଣହାନି ଘଟିପାରେ, ତାହା ସେ ପ୍ରକାଶ କଲେ ନାହିଁ। ସେମାନେ କିଛି ଦୂର ଯିବାପରେ ସିଲା ହଠାତ୍‌ ତାର ଗହ୍ୱର ମଧ୍ୟରୁ ମୁହଁ ବଢ଼ାଇ ଏକ ସଙ୍ଗରେ ଛଅଜଣଙ୍କୁ ଟାଣି ନେଲା। ସେମାନେ ଖୁବ୍‌ ଚିତ୍କାର କରି ସାହାଯ୍ୟ ପ୍ରାର୍ଥନା କଲେ, କିନ୍ତୁ ସେମାନଙ୍କୁ ସାହାଯ୍ୟ କରିବାର କୌଣସି ଉପାୟ ନ ଥିଲା। ସେମାନେ ଯେ ସିଲାର ଆହାରରେ ପରିଣତ ହୋଇଥିବେ ଏଥିରେ ସନ୍ଦେହ ନାହିଁ ।

 

ଓଡ଼ିସିଅସଙ୍କ ଜାହାଜ ସିଲା ଓ କାରିବ୍‌ଡ଼ିସର ମଧ୍ୟବର୍ତ୍ତୀ ସଂକୀର୍ଣ୍ଣ ଅଂଶ ଅତିକ୍ରମ କରିଗଲା । ତାହାପରେ ପୁଣି ଉନ୍ମୁକ୍ତ ସମୁଦ୍ର ପଡ଼ିଲା । ସେତେବେଳକୁ ଜାହାଜର ଲୋକେ ନିତାନ୍ତ କ୍ଳାନ୍ତ ହୋଇପଡ଼ିଥିଲେ ଓ ସାଙ୍ଗସାଥିଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ଯାଇଥିଲେ । ତେଣୁ ସେମାନେ ବିଶ୍ରାମ ନେବାପାଇଁ ଓଡ଼ିସିଅସଙ୍କୁ ପ୍ରାର୍ଥନା କଲେ । ଦୈବାତ୍‌ ସମ୍ମୁଖରେ ଗୋଟିଏ ସୁନ୍ଦର ଦ୍ୱୀପ ଦେଖାଗଲା । ଏହି ଦ୍ୱୀପରେ ଚରୁଥିବା ଗୋରୁ ଓ ମେଣ୍ଢାମାନଙ୍କର ରାବ ଶୁଣାଗଲା । ସାୟାର୍ସ ଓଡ଼ିସିଅସଙ୍କୁ ଏହି ଦ୍ୱୀପ ବିଷୟରେ କହିଥିଲା ଯେ, ଏହା ଏକ ପବିତ୍ର ସ୍ଥାନ ଓ ଏଥିରେ ସୂର୍ଯ୍ୟଦେବତାଙ୍କ ଗବାଦି ପଶୁ ବିଚରଣ କରନ୍ତି । ନାବିକମାନେ ଏହି ଦ୍ୱୀପରେ ବିଶ୍ରାମ ନେବାକୁ ଆଗ୍ରହ ପ୍ରକାଣ କରିବାରୁ ଓଡ଼ିସିଅସ କହିଲେ, ‘‘ତୁମେମାନେ ଏଠାରେ ଓହ୍ଲାଇ ବିଶ୍ରାମ ନେଇପାର; କିନ୍ତୁ ଗୋଟିଏ ବିଷୟରେ ଖୁବ୍‌ ସାବଧାନ ରହିବାକୁ ପଡ଼ିବ । ତୁମେମାନେ ପ୍ରତିଜ୍ଞା କର, ସୂର୍ଯ୍ୟଦେବତାଙ୍କ ପଶୁମାନଙ୍କର ଲବମାତ୍ର କ୍ଷତି କରିବ ପାହିଁ ।’’ ସମସ୍ତେ ଏଥିରେ ସ୍ୱୀକୃତ ହୋଇ ଦ୍ୱୀପରେ ଓହ୍ଲାଇଲେ ।

 

ସେଦିନ ରାତିରେ ପ୍ରକାଣ୍ଡ ଝଡ଼ ଆରମ୍ଭ ହୋଇ ମାସକ ପର୍ଯ୍ୟନ୍ତ ଲାଗିରହିଲା। ସମୁଦ୍ରରେ ବୃହତ୍‌ ତରଙ୍ଗର ସୃଷ୍ଟି ହେଲା। ତେଣୁ ଜାହାଜ ଚଳାଇବା ଅସମ୍ଭବ ଦେଖି ସେମାନେ ସେହିଠାରେ ରହିଲେ । ଖାଦ୍ୟଦ୍ରବ୍ୟ ଓ ମଦ ଶେଷ ହୋଇ ଆସିଲା । ଓଡ଼ିସିଅସ ହତାଶ ହୋଇ ଦେବତାଙ୍କୁ ପ୍ରାର୍ଥନା କରିବା ପାଇଁ ଏକାକୀ ପାହାଡ଼ ଉପରକୁ ଉଠିଲେ । ପ୍ରାର୍ଥନା ପରେ ସେ ଗୋଟିଏ ସୁନ୍ଦର ନିଭୃତ ସ୍ଥାନ ଦେଖି ସେଠାରେ ଶୋଇପଡ଼ିଲେ ।

 

ଏଣେ ଓଡ଼ିସିଅସଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଇଉରିଲୋକସ ନାବିକମାନଙ୍କୁ କହିଲେ,‘‘ତୁମେମାନେ କ୍ଷୁଧାର୍ତ୍ତ । ଏତେ ପଶୁ ଥାଉଁ ଥାଉଁ ଉପବାସରେ ରହିବ କାହିଁକି ? ଏଥିରୁ କେତୋଟି ମାରି ଖାଇବା ।’’ ସେମାନେ କେତେକ ଗୋରୁ ଓ ମେଣ୍ଢା ମାରି ରନ୍ଧନ କରିବାକୁ ଲାଗିଲେ ।

 

ଓଡ଼ିସିଅସ ଫେରିଆସି ଦେଖିଲେ, ସୂର୍ଯ୍ୟଦେବତାଙ୍କ ଗୋ-ମେଷାଦିଙ୍କୁ ମାରି ତାଙ୍କ ଅନୁଚରମାନେ ଖାଇବାକୁ ବସିଛନ୍ତି । ସେ ନିତାନ୍ତ ବିରକ୍ତ ହେଲେ ଓ ସେ ମାଂସକୁ ସ୍ପର୍ଶ କଲେ ନାହିଁ । କିନ୍ତୁ ଅନ୍ୟମାନେ ଏକ ସପ୍ତାହ ପର୍ଯ୍ୟନ୍ତ ସେହି ମାଂସ ଭୋଜନ କଲେ । ଏଥିମଧ୍ୟରେ ବାତ୍ୟା କମିଯାଇଥିବାରୁ ସେମାନେ ପୁଣି ଜାହାଜ ଚଳାଇଲେ ।

 

କିନ୍ତୁ ସେମାନେ ଯେଉଁ ଅପରାଧ କରିଥିଲେ ସେଥିପାଇଁ ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଲା । ଜାହାଜ ଦ୍ୱୀପଠାରୁ କିଛିଦୂର ଯିବାପରେ ପୁଣି ବାତ୍ୟା ଦେଖାଗଲା । ପ୍ରବଳ ପବନରେ ପାଲ ଛିଣ୍ଡି ଉଡ଼ିଗଲା, ମାସ୍ତୁଲ ଭାଙ୍ଗି ପଡ଼ିଲା ଓ ବଜ୍ରର ଆଘାତରେ ଜାହାଜଟି ଦୁଇ ଖଣ୍ଡ ହୋଇଗଲା । ଜାହାଜର ଯାତ୍ରୀମାନେ ସମୁଦ୍ରଗର୍ଭରେ ପଡ଼ି ଅଳ୍ପ ସମୟ ମଧ୍ୟରେ ପ୍ରାଣ ହରାଇଲେ-। କେବଳ ଓଡ଼ିସିଅସ ଖଣ୍ଡିଏ ଭଗ୍ନ ମାସ୍ତୁଲକୁ ଆଶ୍ରୟ କରି ଜୀବନ ରକ୍ଷା କଲେ ।

 

ଓଡ଼ିସିଅସ ଗୋଟିଏ ହାତରେ ମାସ୍ତୁଲଟି ଧରି ଓ ଅନ୍ୟ ହାତ ସାହାଯ୍ୟରେ ପହଁରି ପହଁରି ଶେଷରେ ଗୋଟିଏ ଦ୍ୱୀପରେ ଲାଗିଲେ । ଏହି ଦ୍ୱୀପରେ ଏକ ଅପ୍‌ସରା ବାସ କରୁଥିଲେ । ତାଙ୍କର ନାମ କାଲିପ୍‌ସୋ । ଓଡ଼ିସିଅସ ଅର୍ଦ୍ଧମୃତ ଅବସ୍ଥାରେ ସମୁଦ୍ରକୂଳରେ ପଡ଼ିଥିବାର ସେ ଦେଖିପାରିଲେ। ସେ ତାହାଙ୍କୁ ଆଣି ନିଜ ଗହ୍ୱରରେ ରଖିଲେ । ଏହିଠାରେ ଓଡ଼ିସିଅସଙ୍କୁ ସାତବର୍ଷ କଟାଇବାକୁ ହୋଇଥିଲା । ଇଥାକାକୁ ଫେରିଯାଇ ପେନିଲୋପଙ୍କୁ ଭେଟ ପାଇବା ନିମନ୍ତେ ତାଙ୍କ ମନ ବ୍ୟାକୁଳ ହେଲା । କିନ୍ତୁ କୌଣସି ଜାହାଜ ସେ ଦ୍ୱୀପ ନିକଟକୁ ଆସିବାର ଦେଖାଗଲା ନାହିଁ । ଓଡ଼ିସିଅସ ନିତାନ୍ତ ହତାଶ ହୋଇପଡ଼ିଲେ । ତାଙ୍କର ଦୁଃଖକଷ୍ଟ ଦେଖି ଶେଷରେ ଦେବତାମାନେ ଅନୁଗ୍ରହ କଲେ ଓ ହର୍ମିସଙ୍କୁ ତାଙ୍କ ପାଖକୁ ପଠାଇଲେ । କାଲିପ୍‌ସୋ ଦେବ ଅଂଶରେ ଜନ୍ମିଥିବାରୁ ହର୍ମିସଙ୍କୁ ତତ୍‌କ୍ଷଣାତ୍‌ ଚିହ୍ନିପାରିଲେ । ସେ ହର୍ମିସଙ୍କୁ ସମ୍ମାନ ଦେଖାଇ ଦେବୋଚିତ ଖାଦ୍ୟ ଓ ପାନୀୟଦ୍ୱାରା ସନ୍ତୁଷ୍ଟ କଲେ । କାଲିପ୍‌ସୋ ହର୍ମିସଙ୍କ ଆଗମନର କାରଣ ପଚାରିବାରୁ ସେ କହିଲେ, ‘‘ଦେବରାଜ ଜିଅସ୍‌ଙ୍କ ଆଦେଶରେ ମୁଁ ଆସିଅଛି । ସେ କହିଛନ୍ତି–ତୁମ ପାଖରେ ଜଣେ ଗ୍ରୀକ୍‌ବୀର ଅଛନ୍ତି । ସେ ଟ୍ରୟଯୁଦ୍ଧରୁ ଘରକୁ ଫେରିଲା ବାଟରେ ଏଠାରେ ରହିଅଛନ୍ତି । ସେ ଓ ତାଙ୍କର ଲୋକେ ସୂର୍ଯ୍ୟଦେବତାଙ୍କୁ ଅପମାନ କରିଥିବା ଦୋଷରୁ ସେ ବହୁତ କଷ୍ଟ ଭୋଗିଲାଣି । ବର୍ତ୍ତମାନ ତାଙ୍କୁ ସ୍ୱଦେଶକୁ ପଠାଇ ଦିଅ । ଦେବତାଙ୍କର ଇଚ୍ଛା, ସେ ସ୍ୱଦେଶକୁ ଯାଆନ୍ତୁ; ନିଜର ସ୍ତ୍ରୀ ଓ ପୁତ୍ର ସହିତ ସୁଖରେ ରହନ୍ତୁ ।’’

 

ଓଡ଼ିସିଅସ ଚାଲିଯିବେ, ଏହା ଭାବି କାଲିପ୍‌ସୋ ଅତ୍ୟନ୍ତ ଦୁଃଖିତ ହେଲେ, କିନ୍ତୁ ଦେବତାଙ୍କୁ ଆଦେଶ ଲଙ୍ଘନ କରି ହେବ ନାହିଁ । ସେ ଓଡ଼ିସିଅସଙ୍କ ସନ୍ଧାନରେ ବାହାରି ଦେଖିଲେ, ସେ ନୀଳ ଜଳରାଶିକୁ ଚାହିଁ ରହିଛନ୍ତି; ତାଙ୍କୁ ଚକ୍ଷୁଦ୍ୱୟ ଲୋତକରେ ପୂର୍ଣ୍ଣ । କାଲିପ୍‌ସୋ ତାଙ୍କ ପଛରେ ଛିଡ଼ା ହୋଇ କହିଲେ, ‘‘ହେ ବୀର ଓଡ଼ିସିଅସ, ତୁମର କଷ୍ଟ ଭୁଲିଯାଅ । ତୁମକୁ ସ୍ୱଗୃହକୁ ପଠାଇବାର ବ୍ୟବସ୍ଥା ମୁଁ କରିଦେଉଛି । ତୁମେ ଗୋଟିଏ ନୌକା ପ୍ରସ୍ତୁତ କର । ପଥରେ ତୁମର ଯାହା ଖାଦ୍ୟପେୟ ଦରକାର, ମୁଁ ଯୋଗାଇଦେବି । ମୋର ଆଦେଶରେ ଅନୁକୂଳ ବାୟୁ ତୁମର ସ୍ୱଦେଶରେ ନୌକାକୁ ପହଞ୍ଚାଇ ଦେବ । ଦେବତାମାନଙ୍କର ଏହି ଅଭିଳାଷ ମୁଁ ପୂରଣ କରିବି ।’’

 

ଓଡ଼ିସିଅସ କାଲିପ୍‌ସୋଙ୍କୁ ଅଶେଷ ଧନ୍ୟବାଦ ଦେଲେ । ତତ୍ପରଦିନ କାଲିପ୍‌ସୋ ସବୁପ୍ରକାର ହତିଆର ଯୋଗାଇ ଦେଇ ଓଡ଼ିସିଅସଙ୍କୁ ନୌକା ନିର୍ମାଣ କରିବାକୁ କହିଲେ । ସେ କାଠ ହାଣି ଦିନରାତି ଲାଗି ପାଞ୍ଚଦିନ ମଧ୍ୟରେ ଗୋଟିଏ ନୌକା ତିଆରି କଲେ । କାଲିପ୍‌ସୋ ବିବିଧ ଖାଦ୍ୟଦ୍ରବ୍ୟ ଓ ମଦ୍ୟ ଆଣି ନୌକାରେ ରଖିଦେଲେ । ଶେଷରେ ଓଡ଼ିସିଅସ ଓ କାଲିପ୍‌ସୋ ପରସ୍ପରକୁ ଚୁମ୍ୱନ କରି ବିଦାୟ ନେଲେ ।

 

ଓଡ଼ିସିଅସ ଏକାକୀ ନୌକାରେ ବସି ଏହାକୁ ସମୁଦ୍ରବକ୍ଷରେ ଚଳାଇଲେ ।

 

ଚାରି

 

ଅନୁକୂଳ ବାୟୁଯୋଗେ ଓଡ଼ିସିଅସଙ୍କ ନୌକାଟି ଇଥାକା ଅଭିମୁଖରେ ଚାଲିଲା । ସତର ଦିନ ପରେ ଦିନେ ତାଙ୍କର ନୌକା ବାଲୁକାଶଯ୍ୟାରେ ଲାଗିଲା । ଓଡ଼ିସିଅସ ଏତେ ଦିନପରେ ଶୁଷ୍କ ସ୍ଥଳଭାଗରେ ପହଞ୍ଚିଲେ । ନିତାନ୍ତ କ୍ଲାନ୍ତ ଓ ଅବସନ୍ନ ହୋଇଥିବାରୁ ସେ ସମୁଦ୍ରକୂଳର ବାଲୁକା ଉପରେ ଶୋଇ ପଡ଼ିଲେ ।

 

ପରଦିନ ସକାଳେ ତାଙ୍କର ନିଦ୍ରାଭଙ୍ଗ ହେଲା; କିନ୍ତୁ ଚତୁର୍ଦ୍ଦିଗ କୁହୁଡ଼ିରେ ଆଚ୍ଛନ୍ନ ହୋଇଥିବାରୁ ସେ ଏହି ସ୍ଥାନଟିକୁ ଚିହ୍ନିପାରିଲେ ନାହିଁ । ସେ କେଉଁ ଏକ ଅଜ୍ଞାତ ଦ୍ୱୀପରେ ପହଞ୍ଚିଅଛନ୍ତି ବୋଲି ମନେ କଲେ । ଦୁଃଖରେ ସେ କୂଳରେ ଏଣେତେଣେ ବୁଲିବାକୁ ଲାଗିଲେ । ଏହି ସମୟରେ ସେ ରାଜପୁତ୍ର ପରି ଜଣେ ସୁନ୍ଦର ତେଜସ୍ୱୀ ଯୁବକଙ୍କୁ ଦେଖିପାରିଲେ । ତାଙ୍କ ହାତରେ ଗୋଟିଏ ବର୍ଚ୍ଛା ଥିଲା । ଓଡ଼ିସିଅସ ତାଙ୍କୁ ପଚାରିଲେ, ‘‘ଏ ଦେଶର ନାମ କଅଣ ?’’ ଯୁବକ ଉତ୍ତର କଲେ, ‘‘ବୋଧହୁଏ, ତୁମେ ଜଣେ ବିଦେଶୀ । କୌଣସି ଦୂରଦେଶରୁ ଆସିଛ । ଏହି ରାଜ୍ୟର ନାମ ହେଉଛି ଇଥାକା ।’’

 

ସ୍ୱଦେଶରେ ପହଞ୍ଚିଥିବାରୁ ଓଡ଼ିସିଅସଙ୍କ ମନରେ ଯେ କି ଆନନ୍ଦ ହେଲା, ତାହା କୁହାଯାଇ ନ ପାରେ । କିନ୍ତୁ ସେ ଯୁବକଙ୍କୁ ନିଜର ପ୍ରକୃତ ପରିଚୟ ଦେଲେ ନାହିଁ । ଦୀର୍ଘକାଳ ପରେ ଇଥାକାର କି ପରିବର୍ତ୍ତନ ଘଟିଛି, ତାହା ତାଙ୍କୁ ଜଣା ନଥିଲା । ବିଶେଷତଃ ଯୁବକମାନଙ୍କର ତାଙ୍କ ପ୍ରତି କି ପ୍ରକାର ମନୋଭାବ ତାହା ସେ ଆଦୌ ଜାଣି ନଥିଲେ । ତେଣୁ ସେ ଯୁବକଙ୍କୁ କହିଲେ, ‘‘ମୁଁ କ୍ରୀଟର ଜଣେ ଅଧିବାସୀ । ମୁଁ ଫନିସିଆର ଗୋଟିଏ ଜାହାଜରେ ବସି ଆସୁଥିଲି । ଜାହାଜର ଲୋକ ମୋତେ ପାଇଲସରେ ଛାଡ଼ିଦେବେ ବୋଲି କଥା ହୋଇଥିଲା । କିନ୍ତୁ ପବନର ଗତିଯୋଗେ ଜାହାଜଟି ଗନ୍ତବ୍ୟ ପଥରୁ ବିତାଡ଼ିତ ହୋଇ ଏହି ସମୁଦ୍ରକୂଳରେ ଲାଗିଲା । ଜାହାଜର ସମସ୍ତ ଲୋକେ ରାତିରେ ଏହିଠାରେ ଶୋଇଥିଲେ । କିନ୍ତୁ ମୁଁ ସକାଳକୁ ଦେଖିଲି, ସେମାନେ ମୋତେ ଏକାକୀ ଛାଡ଼ିଦେଇ ଜାହାଜରେ ଚାଲି ଯାଇଅଛନ୍ତି ।’’

 

ଯୁବକଟି ଏହା ଶୁଣି ଖୁବ୍‌ ହସିଲେ ଓ ନିଜ ରୂପ ଧାରଣ କଲେ । ଓଡ଼ିସିଅସ ଦେଖିଲେ, ତାଙ୍କ ଆଗରେ ଏଥେନି ଦେବୀ ଛିଡ଼ା ହୋଇ ମୃଦୁ ହାସ୍ୟ ପ୍ରକାଶ କରୁଅଛନ୍ତି; ଯୁବକ ଉଭେଇ ଯାଇଅଛନ୍ତି । ଏଥେନି ଦେବୀ କହିଲେ, ‘‘କଥା କହିବାରେ ତୁମର ଖୁବ୍‌ ବାହାଦୂର ଅଛି । ମୁଁ ପରା ତୁମକୁ ଟ୍ରୟରେ ଏତେ ସାହାଯ୍ୟ କରିଥିଲି । ତଥାପି ତୁମେ ମୋତେ ଚିହ୍ନି ପାରିଲ ନାହିଁ । ଏବେ ମୁଁ ତୁମକୁ ଗୋଟାଏ ବିଷୟରେ ସାବଧାନ କରି ଦେବାକୁ ଆସିଛି । ଏଠାରେ ତୁମେ କାହାରିକୁ ପ୍ରକୃତ ପରିଚୟ ଦେବ ନାହିଁ । ତୁମର ଅନେକ ଭୀଷଣ ଶତ୍ରୁ ଅଛନ୍ତି । ସେଥିପାଇଁ ଖୁବ୍‌ ସାଧବାନ ରହିବ-।’’

 

ଓଡ଼ିସିଅସ କହିଲେ, ‘‘ଦେବି ! ତୁମେ ମୋତେ ଟ୍ରୟରେ ସାହାଯ୍ୟ କରିଅଛି ସତ । କିନ୍ତୁ ସମୁଦ୍ରରେ ଯେ ମୁଁ କେତେ ବିପଦରେ ପଡ଼ିଛି, ତାହା କହି ହେବ ନାହିଁ । ସେତେବେଳେ ମୋତେ ଟିକିଏ ହେଲେ ସାହାଯ୍ୟ କଲନାହିଁ କାହିଁକି ? ଏବେ ମୋତେ ଉପହାସ କରୁଛ ସିନା ! ଏଇଟି କଣ ପ୍ରକୃତରେ ମୋ’ରି ଦେଶ, ଇଥାକା ?’’

 

ଏଥେନି ଦେବୀ କହିଲେ, ‘‘ମୁଁ ତୁମକୁ ସମୁଦ୍ରରେ ସାହାଯ୍ୟ କରିବାର ଉପାୟ ନ ଥିଲା । ସମୁଦ୍ରର ଦେବତା ପୋସିଡ଼ନ ମୋର ଭାଇ । ସେ ତୁମ ଉପରେ ଅସନ୍ତୁଷ୍ଟ ଥିଲେ । ମୁଁ ତୁମୁକୁ ସାହାଯ୍ୟ କରି ତାଙ୍କୁ ଅପମାନିତ କରିଥାନ୍ତି ? ତୁମେ ଯେଉଁ ସାଇକ୍ଳୋପଙ୍କୁ ଅନ୍ଧ କରି ପକାଇ ଆସିଲ, ସେ ହେଉଛନ୍ତି ସମୁଦ୍ର ଦେବତାରଙ୍କର ପୁଅ । ଏବେ ସେ ଦୁଃଖ କଷ୍ଟ କଥା ଭୁଲିଯାଅ । ତୁମେ ନିଜ ରାଜ୍ୟରେ ପହଞ୍ଚିଛି, ଏଥିରେ ସନ୍ଦେହ ନାହିଁ । ମୁଁ ତୁମର ଶତ୍ରୁମାନଙ୍କୁ ବିନାଶ କରିବାର ଉପାୟ କହିଦେଉଛି ।

 

‘‘ପ୍ରଥମେ ମୁଁ ତୁମର ରୂପ ବଦଳାଇ ତୁମକୁ ଜଣେ ବୃଦ୍ଧ ଭିକାରୀ କରି ଦେଉଛି ।’’ ମନ୍ତ୍ରବଳରେ ଓଡ଼ିସିଅସ ଜଣେ ବୃଦ୍ଧ ଭିକାରୀ ହୋଇଗଲେ । ତାଙ୍କର ଚେହେରା ବଦଳିଗଲା । ମୁଣ୍ଡର ବାଳ ଧଳା ହୋଇଗଲା, ଦେହର ଚମ ଓହଳି ପଡ଼ିଲା । ପରିଧାନ ଭିତରେ କେବଳ ଛିଣ୍ଡା କନା । ଏଣିକି ତାଙ୍କୁ କେହି ଚିହ୍ନିବାର ଉପାୟ ରହିଲା ନାହିଁ । ଏଥେନି ଦେବୀ କହିଲେ, ‘‘ତୁମେ ଏହି ଭିକ୍ଷୁକ ବେଶରେ ଇଉମେଅସର ଘରକୁ ଯିବ । ତୁମେ ତାକୁ ଜାଣ । ତା ଘର ଚିହ୍ନି ପାରିବ । ସେ ଘୁଷୁରି ପାଳେ । ତୁମେ ତାରି ଘରେ ରହିଥିବ । ତୁମ ପୁଅ ଟେଲିମେକସ୍‌ ବର୍ତ୍ତମାନ ସ୍ପାର୍ଟାରେ ଅଛି । ହେଲେନ ଓ ମେନେଲସଙ୍କୁ ଦେଖିବାକୁ ସେ ଯାଇଛି । ମୁଁ ତାକୁ ତୁମ ଘରକୁ ନେଇ ଆସିବି-। ତୁମେ ଇଉମେଅସଠାରୁ ଏଠାରେ ସମ୍ବାଦ ପାଇପାରିବ । ତୁମେ ଟ୍ରୟରେ ଥିବା ସମୟରେ ଏଠାରେ ଅନେକ କଥା ଘଟିଯାଇଛି । ସେସବୁ ଶୁଣିଲେ ବୁଝି ପାରିବି, ମୁଁ କାହିଁକି ଏତେ ସାବଧାନ ହେବାକୁ କହୁଛି ।’’

 

ଏଥେନି ଦେବୀ ଚାଲିଗଲେ । ଓଡ଼ିସିଅସ ପାହାଡ଼ିଆ ବାଟରେ ଚାଲି ଚାଲି ଇଉମେଅସଙ୍କ ଘରକୁ ଗଲେ । ଓଡ଼ିସିଅସ ସେଠାରେ ପହଞ୍ଚିଲା ବେଳକୁ ଇଉମେଅସ୍‌ ଦ୍ୱାର ମୁହଁରେ ଏକୁଟିଆ ବସିଥିଲେ । ସେ ଓଡ଼ିସିଅସଙ୍କୁ ଚିହ୍ନି ପାରିଲେ ନାହିଁ । କିନ୍ତୁ ସ୍ୱଭାବସୁଲଭ ଦୟାଳୁତା ଗୁଣରେ ସେ ବୃଦ୍ଧ ଭିକ୍ଷୁକକୁ ଘର ଭିତରକୁ ଡାକି ନେଇ ଖାଇବା ପିଇବାକୁ ଦେଲେ । ଖିଆପିଆ ପରେ ଦୁହେଁଯାକ ଗଳ୍ପ କଲେ । ତାଙ୍କଠାରୁ ଓଡ଼ିସିଅସ ପେନିଲୋପ ଓ ଟେଲି ମେକସଙ୍କର ସମ୍ପାଦ ପାଇଲେ । ଇଉମେଅସ କହିଲେ–

 

‘‘ଓଡ଼ିସିଅସ ଟ୍ରୟ ଯୁଦ୍ଧକୁ ଗଲାବେଳେ ତାଙ୍କର ସ୍ତ୍ରୀ ପେନିଲୋପ ଓ ଟେଲିମେକସ୍‌ବୋଲି ଗୋଟିଏ ଶିଶୁ ପୁତ୍ରକୁ ଛାଡ଼ି ଯାଇଥିଲେ । ଏବେ ସେଇ ଟେଲିମେକସ କୋଡ଼ିଏ ବର୍ଷର ଗୋଟିଏ ଯୁବକ ହେଲାଣି । ସେ ଆମ ଦେଶର ଜଣେ ପ୍ରସିଦ୍ଧ ବୀର ହେବ । ପେନିଲୋକ ଅନେକ ଦିନଯାଏ ସ୍ୱାମୀଙ୍କୁ ଝୁରି ଝୁରି ଦୁଃଖରେ ରହିଥିଲେ । ଯୁଦ୍ଧ ଶେଷ ହେବାପରେ ମଧ୍ୟ ଓଡ଼ିସିଅସ ନ ଆସିବାରୁ ସମସ୍ତେ ଭାବିଲେ ଯେ, ଯୁଦ୍ଧରେ ତାଙ୍କର ମୃତ୍ୟୁ ହୋଇଥିବ । ଇଥାକାର ରାଜା ଲେର୍ଟିସ ପୁଅ ଓଡ଼ିସିଅସଙ୍କ କଥା ଭାଳି ଭାଳି ଘୋର ଦୁଃଖରେ ଅଛନ୍ତି । ସେ ଅତି ବୃଦ୍ଧ ହୋଇଗଲେଣି । ଆଉ ରାଜ୍ୟ ଶାସନ କରୁନାହାନ୍ତି । ଦେଶ ଅରାଜକ ହୋଇ ପଡ଼ୁଛି । ଇଥାକାର ଯେଉଁ ବୀରମାନେ ଯୁଦ୍ଧ କରିବାକୁ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଘରେ ଛୋଟ ଛୋଟ ପୁଅ ଛାଡ଼ି ଯାଇଥିଲେ । ଏବେ ସେଇ ପୁଅମାନେ ଯୁବକ ହେଲେଣି; କିନ୍ତୁ ଉପଯୁକ୍ତ ଶିକ୍ଷାଦୀକ୍ଷା ଅଭାବରୁ ସେମାନେ ନିତାନ୍ତ ଉଚ୍ଛୃଙ୍ଖଳ ହୋଇ ପଡ଼ିଛନ୍ତି; ଯାହା ଇଚ୍ଛା ତାହା କରୁଛନ୍ତି । ଏବେ ବାରଜଣ ଯୁବକ ପେନିଲୋପଙ୍କୁ ବିଭା ହେବାପାଇଁ ବାହାରିଛନ୍ତି । ସେ ବାର ଜଣଙ୍କର ପ୍ରାୟ ଶହେ ଜଣ ପର୍ଯ୍ୟନ୍ତ ସାଥି ଅଛନ୍ତି । ସମସ୍ତେ ଦିନଯାକ ଲେର୍ଟିସଙ୍କ ନଅରରେ ଖାଇ ପିଇ ମଉଜ କରୁଛନ୍ତି । ପେନିଲୋପ ସେମାନଙ୍କୁ ଭୟ କରୁଛନ୍ତି । ଅନ୍ୟ କେହି ସେମାନଙ୍କ ଶାସନ କରିବାକୁ ସାହସୀ ହେଉ ନାହାନ୍ତି । ସେ ବାରଜଣ ଜିଦ୍‌ଧରି ପେନିଲୋପଙ୍କୁ କହୁଛନ୍ତି—ତୁମେ ଆମ ଭିତରୁ ଜଣକୁ ବିଭା ହୁଅ । ସେ ହେବ ଇଥାକାର ରାଜା । ଟେଲିମେକସଙ୍କର ରାଜ୍ୟ ଉପରେ ଅଧିକାର ଥିଲେହେଁ ସେମାନେ ତାଙ୍କୁ ଖାତିର ନ କରି ଅପମାନ ଦେଉଅଛନ୍ତି ।

 

ପେନିଲୋପ ଗୋଟାଏ କୌଶଳ କରି ସେହି ଯୁବକମାନଙ୍କ ଭୁଲାଇ ରଖିଛନ୍ତି । ସେ ସେମାନଙ୍କୁ କହିଛନ୍ତି–ମୁଁ ଖଣ୍ଡିଏ ଲୁଗା ବୁଲୁଛି । ଲୁଗାବୁଣା ସରିଗଲେ ତୁମମାନଙ୍କ ଭିତରୁ ମୁଁ ଜଣକୁ ବିଭା ହେବି । ଏଣେ ସେ ଦିନଯାକ ଯେତକ ବୁଣୁଛନ୍ତି, ରାତିରେ ସେତକ ଫିଟାଇ ଦେଉଛନ୍ତି । ରକ୍ଷା ହୋଇଛି, ସେମାନେ ରାତିରେ ନଅରରେ ରହନ୍ତି ନାହିଁ । କିନ୍ତୁ ଏବେ ସେମାନେ ଅପେକ୍ଷା କରି କରି ଅଧୀର ହୋଇ ପଡ଼ିଲେଣି । ସେମାନେ ଆଉ ଅପେକ୍ଷା କରିବା ମୋତେ ସମ୍ଭବ ଦିଶୁନାହିଁ । ନିକଟରେ ସେମାନେ ପେନିଲୋପଙ୍କୁ ବାଧ୍ୟକରି ଜଣକ ସଙ୍ଗେ ବିବାହ କରିଦେବେ ।’’

 

ଏହି ସମ୍ବାଦ ପାଇ ଓଡ଼ିସିଅସ ଏତେ ବିଚଳିତ ହୋଇ ପଡ଼ିଲେ ଯେ ନିଜକୁ ସମ୍ଭାଳି ନ ପାରି ଭୋ ଭୋ କାନ୍ଦି ଉଠିଲେ । ଇଉମେଅସ ପଚାରିଲେ, ‘‘ପେନିଲୋପଙ୍କ ବିଦପରେ ତୁମେ ଏପରି ଅଥୟ ହୋଇ ପଡ଼ୁଛ କାହିଁକି ? ତୁମେ କିଏ ? ଓଡ଼ିସିଅସଙ୍କର କିଛି ଖବର ପାଇଛ କି ?’’ ଓଡ଼ିସିଅସ ଉତ୍ତର କଲେ, ‘‘ଇଥାକାର ରାଜା ଓଡ଼ିସିଅସ ନିଶ୍ଚୟ ଘରକୁ ଫେରି ଆସିବେ ।’’ ନିଜର ପରିଚୟ ଦେଇ ସେ କହିଲେ, ‘‘ମୋର ଘର ହେୁଛି କ୍ରୀଟରେ । ମୁଁ ମଧ୍ୟ ଯୁଦ୍ଧ କରିବାକୁ ଟ୍ରୟ ଯାଇଥିଲି । ବାଟରେ ଆମ ଜାହାଜ ବୁଡ଼ିଯିବାରୁ ମୁଁ ଗୋଟିଏ ରାଜ୍ୟରେ ପହଞ୍ଚିଲି । ସେହିଠାରେ ମୁଁ ଶୁଣିବାକୁ ପାଇଲି ଯେ, ଓଡ଼ିସିଅସ ଜୀବନରେ ଅଛନ୍ତି ଓ ଶୀଘ୍ର ସେ ଇଥାକାକୁ ଆସିବେ ।’’

 

ଇଉମେଅସ ଏ କଥାକୁ ଅବଶ୍ୟ ବିଶ୍ୱାସ କରି ନଥିଲେ; କିନ୍ତୁ ମୋ ଭିକ୍ଷୁକକୁ ଉତ୍ତମ ଭୋଜନ ଦେଇ ଗଳ୍ପ କରିବାକୁ ଲାଗିଲେ । ଓଡ଼ିସିଅସ ଟ୍ରୟଯୁଦ୍ଧର ବର୍ଣ୍ଣନା କରିଗଲେ । ରାତି ବେଶି ହୋଇଯିବାରୁ ଦୁହେଁ ଶୋଇବାକୁ ଗଲେ ।

 

ଏଥିମଧ୍ୟରେ ଏଥେନି ଦେବୀ ସ୍ପାର୍ଟାକୁ ଯାଇ ମେନେଲସଙ୍କ ଘରେ ପହଞ୍ଚିଲେ । ସେତେବେଳକୁ ଟେଲିମେକସ ଶୋଇ ନଥିଲେ ଏଥେନି କହିଲେ, ‘‘ଟେଲିମେକସ, ତୁମର ମାଆ ପେନିଲୋପ ଘୋର ବିପଦରେ ପଡ଼ିଅଛନ୍ତି । ତୁମେ କାଳବିଳମ୍ବ ନ କରି ଇଥାକାକୁ ଚାଲିଯାଅ । ଇଥାକାରେ ପହଞ୍ଚି ତୁମେ ଜାହାଜର ନାବିକମାନଙ୍କୁ ସହରକୁ ପଠାଇଦେବ, କିନ୍ତୁ ନିଜେ ପାହାଡ଼ବାଟେ ଚାଲିଚାଲି ଇଉମେଅସଙ୍କ ଘରକୁ ଯିବ ।’’

 

ପରଦିନ ସକାଳେ ଟେଲଇମେକସ ମେନେଲସ ଓ ହେଲେନଙ୍କଠାରୁ ବିଦାୟ ମାଗି ସେମାନଙ୍କୁ ଏଥେନିଙ୍କ ବିଷୟ କହିଲେ । ସେ ମେନେଲସଙ୍କ ଘରୁ ଠିକ୍‌ ବାହାରିଲାବେଳେ ଗୋଟିଏ ଇଗଲ୍‌ ପକ୍ଷୀ ଆକାଶରୁ ଉଡ଼ିଆସି ଚରୁଥିବା ହଂସମାନଙ୍କ ଭିତରୁ ଗୋଟିଏ ଝାମ୍ପି ନେଇଗଲା । ଏହା ଦେଖି ହେଲେନ କହିଲେ, ‘‘ଦେଖିଲ, ଇଗଲ କିପରି ଝାମ୍ପ ମାରି ହଂସଟିକୁ ନେଇଗଲା । ଠିକ୍‌ସେହିପରି ଦିନେ ଓଡ଼ିସିଅସ ଘରକୁ ଆସି ତାଙ୍କ ଶତ୍ରୁମାନଙ୍କୁ ବିନାଶ କରିବେ । ମୋର ମନେ ହୁଏ, ସେ ଇଥାକାକୁ ଆସି ସାରିଲେଣି । ଶତ୍ରୁମାନଙ୍କୁ ଧ୍ୱଂସ କରିବାର ଉପାୟ ଚିନ୍ତା କରୁଛନ୍ତି ।’’

 

ଟେଲିମେକସ ଏହା ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲେ ଓ ହେଲେନଙ୍କୁ ଧନ୍ୟବାଦ ଦେଲେ । ତତ୍ପରେ ସେ ଜାହାଜରେ ବସି ଇଥାକା ଅଭିମୁଖରେ ଚାଲିଲେ ।

 

ଇଥାକାରେ ପହଞ୍ଚି ସେ ଜାହାଜର ନାବିକମାନଙ୍କୁ ସହରକୁ ପଠାଇ ଦେଲେ ଓ ନିଜେ ଚାଲି ଚାଲି ଇଉମେଅସଙ୍କ ଘରେ ପହଞ୍ଚିଲେ ।

 

ଇଉମେଅସ ଓ ଛଦ୍ମବେଶୀ ଓଡ଼ିସିଅସ ଖାଦ୍ୟ ପ୍ରସ୍ତୁତ କରିବାକୁ ଯାଉଛନ୍ତି, ଏହି ସମୟରେ ଜଣେ ଯୁବକ ଘରଆଡ଼କୁ ଆସୁଥିବାର ଦେଖାଗଲା । ନିକଟକୁ ଆସିବାରୁ ଇଉମେଅସ ତାଙ୍କୁ ଟେଲିମେକସ ବୋଲି ଚିହ୍ନିପାରିଲେ ଓ ନିଜେ ଦଉଡ଼ି ଯାଇ ତାଙ୍କୁ ଅଭ୍ୟର୍ଥନା କରି ଆଣିଲେ । ଟେଲିମେକସ ଘର ଭିତରକୁ ପଶିବାକ୍ଷଣି ଓଡ଼ିସିଅସ ଛିଡ଼ା ହୋଇଗଲେ, କିନ୍ତୁ ଟେଲିମେକସ ତାଙ୍କୁ ବସିବାକୁ ଅନୁରୋଧ କଲେ । ସମସ୍ତଙ୍କର ଭୋଜନ ଶେଷରେ ଟେଲିମେକସ ଇଉମେଅସଙ୍କୁ କହିଲେ, ‘‘ମୋ ପାଇଁ ତୁମକୁ ଗୋଟିଏ କାମ କରିବାକୁ ହେବ । ତୁମେ ଆମ ଘରକୁ ଯାଇ ମାଆଙ୍କୁ କହିଦେବ ଯେ, ମୁଁ ନିରାପଦରେ ସ୍ପାର୍ଟାରୁ ଫେରି ଆସିଅଛି।’’

 

ଇଉମେଅସ ତତ୍‌କ୍ଷଣାତ୍‌ ସହରକୁ ଯିବାପାଇଁ ବାହାରିଲେ । ସେ ଚାଲିଯିବା ପରେ ତାଙ୍କ କୁକୁରଗୁଡ଼ିକ ଭୁକିବାକୁ ଲାଗିଲେ । ସେମାନେ ଭୟଗ୍ରସ୍ତ ହୋଇଥିଲାପରି ଜଣାଗଲା । ଟେଲିମେକସ ସେମାନଙ୍କ ଭୟର କାରଣ ଅନୁମାନ କରିପାରିଲେ ନାହିଁ । କିନ୍ତୁ ଓଡ଼ିସିଅସ ଦେଖିଲେ, ତାଙ୍କ ଆଗରେ ଏଥେନି ଦେବୀ ଉଭା ହୋଇଅଛନ୍ତି । ଟେଲିମେକସ ଦେବୀଙ୍କୁ ଦେଖିପାରୁ ନଥିଲେ । ଦେବୀ ଓଡ଼ିସିଅସଙ୍କୁ କହିଲେ, ‘‘ଏବେ ଟେଲିମେକସ ଆଗରେ ତୁମର ପ୍ରକୃତ ପରିଚୟ ଦେବା ଉଚିତ ।’’ ଏହା କହି ସେ ତାଙ୍କୁ ମନ୍ତ୍ରବଳରେ ପୁଣି ଓଡ଼ିସିଅସଙ୍କ ରୂପ ଫେରାଇଦେଲେ । ଭିକ୍ଷୁକ ପରିବବର୍ତ୍ତେ ସେ ରାଜପୋଷାକ ପରିହିତ ଓଡ଼ିସିଅସ ହୋଇଗଲେ ।

 

ଟେଲିମେକସ ଏଥେନି ଦେବୀଙ୍କୁ ଦେଖିପାରି ନଥିଲେ କିମ୍ବା ତାଙ୍କ କଥା ଶୁଣିପାରି ନଥିଲେ । ହଠାତ୍‌ ଭିକ୍ଷୁକର ଏ ପ୍ରକାର ପରିବର୍ତ୍ତନ ଦେଖି ସେ ମନେ କଲେ—ଏ ନିଶ୍ଚୟ କୌଣସି ଦେବତା ହୋଇଥିବେ । କିନ୍ତୁ ଓଡ଼ିସିଅସ କହିଲେ, ‘‘ମୋର ଏ ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହେବାର କାରଣ ନାହିଁ । ମୁଁ ହେୁଛି ଓଡ଼ିସିଅସ, ଇଥାକାର ରାଜା; ଆଉ ଟେଲିମେକସ, ତୁମେ ମୋର ପୁଅ ।’’

 

ଦୁହେଁ ପରସ୍ପରକୁ ଆଲିଙ୍ଗନ କରି ଆନନ୍ଦରେ ଅଭିଭୂତ ହୋଇ ପଡ଼ିଲେ ।

 

ଓଡ଼ିସିଅସ ଟେଲିମେକସଙ୍କଠାରୁ ଯୁବକମାନଙ୍କ କାର୍ଯ୍ୟକଳାପ ବିଷୟରେ ବିଶଦ ବିବରଣ ସଂଗ୍ରହ କଲେ । ସେଥିରୁ ଜଣାଗଲା ଯେ ସେମାନଙ୍କ ସଂଖ୍ୟା ଏକଶହ ଆଠ । ସେମାନେ ସମସ୍ତେ ବଳବାନ୍‌ ଓ ସର୍ବଦା ନିଜ ନିଜର ତରବାରୀ ପାଖରେ ରଖିଥାନ୍ତି । କିନ୍ତୁ ସେମାନେ ସାଞ୍ଜୁ ବା ହେଲ୍‌ମେଟ ବ୍ୟବହାର କରନ୍ତି ନାହିଁ । ଓଡ଼ିସିଅସ ଟେଲିମେକସଙ୍କୁ ପରାମର୍ଶ ଦେଇ କହିଲେ, ‘‘ତୁମେ କାଲି ସକାଳୁ ଘରକୁ ଚାଲିଯାଅ । ମୁଁ ପରେ ଭିକ୍ଷୁକ ବେଶରେ ଯିବି । ଯୁବକମାନେ ମୋତେ ଅପମାନ ଦେଲେ ମଧ୍ୟ ତୁମେ ସେମାନଙ୍କୁ କିଛି କହିବ ନାହିଁ । କିନ୍ତୁ ସୁବିଧା ଦେଖି ଆମ ହଲ୍‌ରେ ଥିବା ସବୁ ଅସ୍ତ୍ରଶସ୍ତ୍ର ନେଇଯାଇ ଗନ୍ତା ଘରେ ଲୁଚାଇ ଦେବ । ତୁମ ନିଜ ପାଇଁ ଓ ମୋ ପାଇଁ ଦୁଇଟି ତରବାରୀ, ଦୁଇଟି ବର୍ଚ୍ଛା ଓ ଦୁଇଟି ଢାଲ ରଖିଥିବ, ଦରକାର ବେଳେ ଆମେ ସେଗୁଡ଼ିକ ବ୍ୟବହାର କରିବା । ମୁଁ ଭିକ୍ଷୁକ ବେଶରେ ଥିଲାବେଳେ ମୁଁ ତୁମର ପିତା ଓଡ଼ିସିଅସ ବୋଲି କେହି ଯେପରି ଜାଣି ନ ପାରନ୍ତି, ସେଥିପ୍ରତି ସାବଧାନ ରହିବ । ଏଥେନି ଦେବୀଙ୍କ କୃପାରୁ ଆମର ଶତ୍ରୁମାନେ ବିନଷ୍ଟ ହେବେ ।’’

 

ପିତା ପୁତ୍ରଙ୍କ ମଧ୍ୟରେ ଏହିପରି ବିଚାର ହେଲା ଓ ଇଉମେଅସ ଘରକୁ ଫେରିବା ପୂର୍ବରୁ ଏଥେନି ଓଡ଼ିସିଅସଙ୍କୁ ପୁଣି ଭିକ୍ଷୁକରେ ପରିବର୍ତ୍ତନ କରି ଚାଲିଗଲେ ।

 

ପାଞ୍ଚ

 

ପିତାପୁତ୍ରଙ୍କ ପରାମର୍ଶ ଅନୁସାରେ ଟେଲିମେକସ ପରଦିନ ସକାଳୁ ନଗରକୁ ଯାଇ ମାଆଙ୍କୁ ମେନେଲସ ଓ ହେଲେନଙ୍କ ସମ୍ବାଦ ଦେଲେ । କିନ୍ତୁ ପେନିଲୋପଙ୍କର ମନ ଶାନ୍ତ ହେଲାନାହିଁ । ସେ ଭାବୁଥିଲେ, ଏହି ହେଲେନ ସକାଶେ ତାଙ୍କର ଏଭଳି ବିପତ୍ତି ଘଟିଅଛି ।

 

କିଛି ସମୟ ପରେ ଭିକ୍ଷୁକବେଶୀ ଓଡ଼ିସିଅସ ଓ ଇଉମେଅସ ସହର ଭିତରକୁ ଗଲେ । ସେ ଦୁହେଁ ରାଜପ୍ରସାଦର ଅଗଣାରେ ପ୍ରବେଶ କଲାମାତ୍ରେ ଗୋଟିଏ ବୁଢ଼ା କୁକୁର ଲାଙ୍ଗୁଡ଼ ହଲାଇ ଦେହରେ ଘଷି ହୋଇ ସେ ଦୁହିଙ୍କୁ ସ୍ୱାଗତ ଜଣାଇଲା । ଓଡ଼ିସିଅସ ଏହି କୁକୁରକୁ ଚିହ୍ନି ପାରିଲେ । ତାହାର ନାମ ଆର୍ଗସ । ସେ ଓଡ଼ିସିଅସଙ୍କର ଅତି ପ୍ରିୟ ଥିଲା । କୋଡ଼ିଏ ବର୍ଷ ପୂର୍ବେ ଓଡ଼ିସିଅସ ଟ୍ରୟକୁ ଯିବାବେଳେ ସେ ଖୁବ୍‌ ଛୋଟ ଓ କୌତୁକପ୍ରିୟ ଥିଲା । ଏବେ ସେ ଖୁବ୍‌ ଦୁର୍ବଳ ହୋଇ ଯାଇଛି; ଦଉଡ଼ିବାକୁ ତା ଦେହରେ ବଳ ନାହିଁ । ତଥାପି ଏତେବର୍ଷ ପରେ ସେ ତାର ପୁରାତନ ପ୍ରଭୁ ଛଦ୍ମବେଶୀ ଓଡ଼ିସିଅସଙ୍କୁ ଚିହ୍ନି ପାରିଥିଲା । ସେ ତାର ସମସ୍ତ ଶକ୍ତି ପ୍ରୟୋଗ କରି ଓଡ଼ିସିଅସଙ୍କ ପାଖକୁ ଦଉଡ଼ିଗଲା ଓ ଲାଙ୍ଗୁଡ଼ ହଲାଇ ତାଙ୍କର ପାଦକୁ ଚାଟି ଆନନ୍ଦରେ ତଳେ ପଡ଼ିଗଲା । କିନ୍ତୁ ସେ ଆଉ ଉଠିଲା ନାହିଁ । ତାର ପ୍ରାଣବାୟୁ ବାହାରି ଗଲା । ଓଡ଼ିସିଅସ ତାର ଦେହକୁ ଥରେ ଆଉଁଷି ଦେଇ ତାଙ୍କ ଆଖିର ଲୋତକ ଧାରା କାଳେ କିଏ ଦେଖି ପକାଇବ ବୋଲି ମୁହଁ ବୁଲାଇଦେଲେ ।

 

କୁକୁରଟାଏ ତାର ପ୍ରଭୁଙ୍କୁ ଚିହ୍ନି ପାରିଲା, କିନ୍ତୁ ପେନିଲୋପ ନିଜର ସ୍ୱାମୀଙ୍କୁ ଚିହ୍ନି ପାରିଲେ ନାହିଁ । ଇଉମେଅସ ରାଜପ୍ରସାଦ ଭିତରକୁ ଗଲେ; କିନ୍ତୁ ଓଡ଼ିସିଅସ ହଲ୍‌ର ବାହାରେ ଗୋଟିଏ ବେଞ୍ଚ ଉପରେ ବସି ରହିଲେ । ଟେଲିମେକସ୍‌ ତାଙ୍କୁ ଦେଖି ପାରିଲେ, କିନ୍ତୁ ନ ଚିହ୍ନିବାର ଛଳନା କରି ଇଉମେଅସଙ୍କ ହାତରେ ଭିକ୍ଷୁକ ପାଇଁ କିଛି ଖାଦ୍ୟ ପଠାଇ ଦେଲେ । ଓଡ଼ିସିଅସ ଖାଉଥାନ୍ତି ଓ ତାହା ସଙ୍ଗେ ହଲ୍‌ ଭିତରେ ଟେବୁଲ ଚାରିପାଖେ ବସି ଖାଉଥିବା ଯୁବକମାନଙ୍କର ଗତିବିଧି ଲକ୍ଷ୍ୟ କରୁଥାନ୍ତି । ନିଜେ ଖାଇ ସାରି ସେ ଯୁବକମାନଙ୍କ ଭିତରେ କେହି ଦୟାଶୀଳ ଅଛନ୍ତି କି ନା ଜାଣିବା ପାଇଁ ହଲ୍‌ ଭିତରକୁ ଯାଇ ଭିକ୍ଷା ମାଗିଲେ । କେତେଜଣ ଯୁବକ ତାଙ୍କୁ ଅଇଁଠା ରୁଟି ଓ ତରକାରୀରୁ ହାଡ଼ କେତେଖଣ୍ଡ ଦେଲେ । ଆଣ୍ଟିନୋସ ବୋଲି ଜଣେ ଲୋକ ଗୋଡ଼ ପାଖରୁ ଟୁଲଟାଏ ଟେକି ଆଣି ତାଙ୍କ ପିଠି ଉପରକୁ ଫିଙ୍ଗି ଦେଲା ।

 

ଓଡ଼ିସିଅସ ଏହି ଲୋକଟାକୁ ଅଭିଶାପ ଦେଇ କହିଲେ, ‘‘ତୁମେ ବିବାହ କରିବା ପୂର୍ବରୁ ଯେପରି ଜୀବନରେ ନଥାଅ ।’’ ଅନ୍ୟ ଯୁବକମାନେ ଆଣ୍ଟିନୋସକୁ ତାହାର ନିର୍ଦ୍ଦୟ ବ୍ୟବହାର ନିମନ୍ତେ ଗାଳି ଦେଲେ ।

 

ପେନିଲୋପ ଏହି ଘଟନାରେ ଦୁଃଖିତ ହୋଇ ଇଉମେଅସଙ୍କୁ କହିଲେ, ‘‘ଯାଅ, ସେ ବୃଦ୍ଧ ଭିଖାରୀଟିକୁ ମୋ ପାଖକୁ ନେଇ ଆସ ।’’ କିନ୍ତୁ ଓଡ଼ିସିଅସ ସଙ୍ଗେ ସଙ୍ଗେ ପେନିଲୋପଙ୍କ ପାଖକୁ ନ ଯାଇ କହି ପଠାଇଲେ, ‘‘ଏ ଯୁବକମାନେ ମୋ ପ୍ରତି ଦୁର୍ବ୍ୟବହାର କରୁଛନ୍ତି । ସନ୍ଧ୍ୟାବେଳକୁ ସେମାନେ ଚାଲିଗଲେ ମୁଁ ପେନିଲୋପଙ୍କ ସହିତ ସାକ୍ଷାତ କରିବି ।’’

 

ସନ୍ଧ୍ୟା ହେବାରୁ ଯୁବକମାନେ ନିଜ ନିଜ ଘରକୁ ଚାଲିଗଲେ । ଟେଲିମେକସ ଓ ଓଡ଼ିସିଅସ ହଲ୍‌ରୁ ସବୁ ଢାଲ ବର୍ଚ୍ଛା ପ୍ରଭୃତି ନେଇ ଗୋଟିଏ ଘରେ ଚାବିଦେଇ ରଖିଦେଲେ । ତତ୍‌ପରେ ଟେଲିମେକସ ନିଜର ଶୋଇବା ଘରକୁ ଗଲେ ଏବଂ ଓଡ଼ିସିଅସ ହଲ୍‌ରେ ବସି ପେନିଲୋପଙ୍କୁ ଅପେକ୍ଷା କରି ରହିଲେ । କିଛି ସମୟ ପରେ ପେନିଲୋପ ଆସି ଭିକ୍ଷୁକକୁ ପଚାରିଲେ—ତୁମେ କିଏ ? ମୋର ସ୍ୱାମୀ ଓଡ଼ିସିଅସଙ୍କର କିଛି ସମ୍ବାଦ ଜାଣ କି ?

 

ଓଡ଼ିସିଅସ ଉତ୍ତର କଲେ, ‘‘ମୁଁ କ୍ରୀଟ୍‌ର ଜଣେ ରାଜପୁତ୍ର । ମୁଁ ଟ୍ରୟକୁ ଯୁଦ୍ଧ କରିବାପାଇଁ ଯାଇ ନଥିଲି, କିନ୍ତୁ ଓଡ଼ିସିଅସ ଟ୍ରୟକୁ ଯିବାବେଳେ କ୍ରୀଟବାଟେ ଯାଇଥିଲେ । ସେହିଠାରେ ମୁଁ ତାଙ୍କୁ ଦେଖିଥିଲି ।’’

 

ପେନିଲୋପ ଏହା ଶୁଣି ସ୍ୱାମୀଙ୍କ କଥା ମନେ ପକାଇ କାନ୍ଦି ପକାଇଲେ । ସେ ଭିକ୍ଷୁକର କଥାକୁ ବିଶ୍ୱାସ କରି ପାରି ନଥିଲେ । ଏଥି ପୂର୍ବରୁ ଅନେକ ଲୋକ ତାଙ୍କୁ ଓଡ଼ିସିଅସଙ୍କ ବିଷୟରେ ନାନା କଥା କହିଥିଲେ । ତେଣୁ ଭିକ୍ଷୁକର କଥାର ସତ୍ୟତା ପରୀକ୍ଷା କରିବା ପାଇଁ ସେ ପଚାରିଥିଲେ, ‘‘ତୁମେ ଯଦି ତାଙ୍କୁ ଦେଖିଥିଲ, କହ ଦେଖି, ସେତେବେଳେ ସେ କିଭଳି ପୋଷାକ ପିନ୍ଧିଥିଲେ ।’’

 

ଭିକ୍ଷୁକ ଉତ୍ତର କଲା, ‘‘ସେତେବେଳେ ସେ ଗୋଟିଏ ଲାଲ ରଙ୍ଗର କୋଟ ପିନ୍ଧିଥିଲେ । କୋଟ୍‌ରେ ଶିକାରୀ କୁକୁର ଆକୃତିର ଗୋଟିଏ ବ୍ରୁଚ୍‌ ଥିଲା ।’’

 

ଏହା ଶୁଣି ପେନିଲୋପ କାନ୍ଦ ପକାଇ କହିଲେ, ‘‘ତୁମେ ଯାହା କହୁଛ, ସେକଥା ଠିକ୍‌। ସେହି ଲାଲ ପୋଷାକ ମୁଁ ତାଙ୍କୁ ନିଜେ ପିନ୍ଧାଇ ଦେଇ ସେଥିରେ ବ୍ରୁଚ୍‌ଟି ଲଗାଇ ଦେଇଥିଲି ।’’ ଏବେ ଭିକ୍ଷୁକର କଥାରେ ତାଙ୍କର ବିଶ୍ୱାସ ହେଲା । ଭିକ୍ଷୁକ କହିଲା, ‘‘ମୁଁ ଶୁଣୁଛି, ଓଡ଼ିସିଅସ ଏବେ ମଧ୍ୟ ବଞ୍ଚି ରହିଅଛନ୍ତି; କିନ୍ତୁ ତାଙ୍କର ସମସ୍ତ ଅନୁଚର ପ୍ରାଣ ହରାଇ ଅଛନ୍ତି । ସେ ଯେ ନିକଟରେ ଇଥାକାକୁ ଆସିବେ ଏଥିରେ ମୋର ସନ୍ଦେହ ନାହିଁ ।’’

 

ପେନିଲୋପ ନିଜର ଦାସୀ ଇଉରିକ୍ଳିଆକୁ କହିଲେ, ‘‘ଯାଆ, ଗରମ ପାଣି ଆଣି ଏହାଙ୍କର ପାଦ ଧୋଇ ଦେ ।’’ ଦାସୀ ତାଙ୍କ ପାଦ ଧୋଇଲାବେଳେ କାଳେ ତାଙ୍କ ମୁହଁକୁ ଦେଖି ଚିହ୍ନି ପାରିବ ବୋଲି ସେ ମୁହଁ ବୁଲାଇ ଦେଲେ । ତଥାପି ବୃଦ୍ଧା ମନେକଲା ଯେ, ଏହି ଭିକ୍ଷୁକର ଚେହେରା ସହିତ ଓଡ଼ିସିଅସଙ୍କ ଚେହେରାର ସାଦୃଶ୍ୟ ଅଛି । ପାଦ ଧୋଉଥିବା ବେଳେ ସେ ତାଙ୍କ ପାଦରେ ଗୋଟିଏ ଘାଆର ଚିହ୍ନ ଦେଖିପାରିଲା । ଥରେ ଶିକାର କଲାବେଳେ ଓଡ଼ିସିଅସଙ୍କ ପାଦରେ ଆଘାତ ଲାଗି କ୍ଷତ ହୋଇଥିଲା । ଘାଆଟି ଶୁଖିଯାଇ କେବଳ ଚିହ୍ନ ରହିଯାଇଥିଲା । ସେହି ଚିହ୍ନକୁ ଦେଖି ଦାସୀ ନିଶ୍ଚିତରୂପେ ଜାଣି ପାରିଲା ଯେ, ଏହି ଭିକ୍ଷୁକ ହେଉଛନ୍ତି ସ୍ୱୟଂ ଓଡ଼ିସିଅସ । ସେ ଚୁପ୍‌ଚୁପ୍ କରି ତାଙ୍କ ନାମ ଧରି ଡାକି କିଛି କହିବାକୁ ଯାଉଥିଲା, କିନ୍ତୁ ଓଡ଼ିସିଅସ ତାକୁ ଚୁପ୍‌ ରହିବାକୁ ଇସାରା ଦେଲେ । ଦାସୀ ଚାଲିଗଲା ।

 

ପେନିଲୋପ ଭିକ୍ଷୁକକୁ କହିଲେ, ‘‘ଏବେ ମୁଁ ଦେଖୁଛି, ମୋତେ, ହି ବାରଜଣ ଯୁବକଙ୍କ ଭିତରୁ ଜଣକୁ ବିବାହ କରିବାକୁ ହେବ । ତେବେ ମୁଁ ଗୋଟିଏ କଥା ସ୍ଥିର କରିଛି । ମୋର ସ୍ୱାମୀ ଓଡ଼ିସିଅସଙ୍କର ପ୍ରକାଣ୍ଡ ଧନୁଟି ଘରେ ଅଛି । ତାହାଛଡ଼ା ତାଙ୍କର ବାରଟି କୁର୍‌ହାଡ଼ି ଅଛି । ପ୍ରତି କୁର୍‌ହାଡ଼ିର ମଝିରେ ଗୋଟାଏ ଲେଖାଏଁ ଛିଦ୍ର ଅଛି । ଟ୍ରୟକୁ ଯିବା ପୂର୍ବରୁ ମୋର ସ୍ୱାମୀ କୁର୍‌ହାଡ଼ିଗୁଡ଼ିକୁ ଗୋଟାଏ ଧାଡ଼ିରେ ସଜାଇ ଧନୁରେ ଗୋଟିଏ ଶର ବସାଇ ଏପରି ମାରୁଥିଲେ ଯେ, ଶରଟି ବାରଟିଯାକ କୁର୍‍ହାଡ଼ିର ଛିଦ୍ରଭେଦ କରି ଯାଉଥିଲା । ଧନୁଟି ପୁଣି ଏତେ ଟାଣ ଯେ, ସେହିପରି ବଳିଷ୍ଠ ଲୋକ ନ ହେଲେ ତାକୁ ବଙ୍କା କରି ଗୁଣ ଚଢ଼ାଇ ପାରିବ ନାହିଁ । ମୁଁ ସେ ଯୁବକମାନଙ୍କୁ କହିବି, ସେମାନଙ୍କ ଭିତରୁ ଯିଏ କୁର୍‌ହାଡ଼ିର ଛିଦ୍ର ବାଟେ ଶର ମାରି ପାରିବ, ତାକୁ ହିଁ ମୁଁ ବିଭା ହେବି ।’’

 

ଭିକ୍ଷୁକ ସବୁ ଶୁଣି ସାରି କହିଲା, ‘‘ମୋର ବିଶ୍ୱାସ, ଏ ଯୁବକମାନଙ୍କ ଭିତରୁ କେହି ଓଡ଼ିସିଅସଙ୍କ ଧନୁରେ ଗୁଣ ଚଢ଼ାଇବା ପୂର୍ବରୁ ଓଡ଼ିସିଅସ ନିଜେ ନିଜେ ଏଠାକୁ ଆସି ସାରିଥିବେ ।’’

 

ଓଡ଼ିସିଅସ ଟିକିଏ ହସି ଦେଇ ପେନିଲୋପଙ୍କଠାରୁ ବିଦାୟ ନେଲେ । ପେନିଲୋପ ନିଜର ଶୋଇବା ଘରକୁ ଗଲେ । ଓଡ଼ିସିଅସ ସେହି ହଲ୍‌ରେ ଶୋଇ ପଡ଼ିଲେ ।

 

ଛଅ

 

ତତ୍ପରଦିନ ସକାଳେ ଅନ୍ୟାନ୍ୟ ଦିନ ପର ଯୁବକମାନେ ନଅରକୁ ଆସିଲେ; ସେମାନଙ୍କ ସହିତ ସେମାନଙ୍କ ବନ୍ଧୁମାନେ ମଧ୍ୟ ଥିଲେ । ସମସ୍ତେ ହଲ୍‌ରେ ଏକତ୍ର ହେବାପରେ ପେନିଲୋପ ଓଡ଼ିସିଅସଙ୍କର ଧନୁଟି ଧରି ଆସିଲେ । କେତେଜଣ ଭୃତ୍ୟ କୁର୍‌ହାଡ଼ି ବାକ୍‌ସଟି ଆଣି ହଲ୍‌ରେ ରଖିଦେଲେ ।

 

ପେନିଲୋପ ବାରଜଣଯାକ ଯୁବକଙ୍କୁ ଅନାଇ କହିଲେ, ‘‘ତୁମେମାନେ ସମସ୍ତେ ମୋତେ ବିବାହ କରିବାକୁ ଇଚ୍ଛା କରୁଛ । ମୋର ବିବାହ କରିବା ଇଚ୍ଛା ନୁହେ । କିନ୍ତୁ ଯଦି ମୋତେ ବାଧ୍ୟ ହୋଇ ବିବାହ କରିବାକୁ ହୁଏ ତେବେ ତୁମମାନଙ୍କ ଭିତରୁ କାହାକୁ ବିବାହ କରିବି ? ଏହି ପ୍ରଶ୍ନର ସମାଧାନ ପାଇଁ ମୁଁ ଏ ଧନୁ ଓ ବାରଟି କୁର୍‌ହାଡ଼ି ଆଣିଛି । ମୋର ସ୍ୱାମୀ ଓଡ଼ିସିଅସ ଏହି ଧନୁରେ ଗୋଟିଏ ଶର ମାରି ବାରଟି କୁର୍‌ହାଡ଼ିରେ ଥିବା ରନ୍ଧ୍ରଗୁଡ଼ିକୁ ଏକ ସଙ୍ଗରେ ଭେଦ କରି ପାରୁଥିଲେ । ଏବେ ଯେଉଁ ଯୁବକ ସେହି କୃତିତ୍ୱ ଦେଖାଇପାରିବ ମୁଁ ତାକୁ ହିଁ ବିଭା ହେବି ।’’

 

ଟେଲିମେକସ କହିଲେ, ‘‘ତୁମେମାନେ ମୋର ମାଆଙ୍କୁ ବିବାହ କରିବାକୁ ଚାହୁଁଛ । ସେଥିପାଇଁ ମାଆ ଗୋଟିଏ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ମୁଁ ଯଦି ଶରଦ୍ୱାରା କୁର୍‌ହାଡ଼ିଗୁଡ଼ିକର ରନ୍ଧ୍ର ଭେଦ କରିପାରେ ତେବେ ତାଙ୍କୁ ନେଇ ବିଭା କରିବାର ଅଧିକାର ଅନ୍ୟ କାହାରି ରହିବ ନାହିଁ । ମୋତେ ପ୍ରଥମେ ସୁଯୋଗ ଦେବା ଉଚିତ ।’’

 

ଯୁବକମାନେ ଏଥିରେ ସ୍ୱୀକୃତ ହେଲେ । ଧନୁରେ ଗୁଣ ଚଢ଼ାଇବା ପାଇଁ ଟେଲିମେକସ ତିନି ଥର ଚେଷ୍ଟା କଲେ । କିନ୍ତୁ ଓଡ଼ିସିଅସ ତାଙ୍କୁ ଇସାରା ଦେଇ ଆଉ ଚେଷ୍ଟା ନ କରିବାକୁ ଜଣାଇଦେଲେ । ଟେଲିମେକସ ଧନୁଟି ତଳେ ଥୋଇଦେଲେ ।

 

ଏହାପରେ ଯୁବକମାନେ ଜଣକ ପରେ ଜଣେ ଉଦ୍ୟମ କଲେ । ଶର ମାରିବା ଦୂରର କଥା, କେହି ଜଣେ ହେଲେ ଧନୁରେ ଗୁଣ ଚଢ଼ାଇ ପାରିଲେ ନାହିଁ । ଏହାପରେ ଓଡ଼ିସିଅସ ଇଉମେଅସଙ୍କ ସହିତ ଟିକିଏ ଦୂରକୁ ଯାଇ ତାଙ୍କୁ ପଚାରିଲେ, ‘‘ଯଦି ଓଡ଼ିସିଅସ ଫେରି ଆସନ୍ତି ଓ ଏହି ଯୁବକମାନଙ୍କ ସହିତ ତାଙ୍କର ଯୁଦ୍ଧ ହୁଏ, ତୁମେ କାହା ପକ୍ଷରେ ରହିବ ?’’

 

ଇଉମେଅସ ଉତ୍ତର କଲେ, ‘‘ମୁଁ ରାଜା ଲେର୍ଟିସଙ୍କର ଚିର ଅନୁଗତ । ତାଙ୍କ ପୁଅ ଓଡ଼ିସିଅସଙ୍କ ପକ୍ଷରେ ନ ରହି ଆଉ କାହା ପକ୍ଷରେ ରହିବି କିପରି ? ସେ ଆଜି ଆସି ପହଞ୍ଚିଯାଆନ୍ତେ କି ?’’

 

ଭିକ୍ଷୁକ ନିଜ ଗୋଡ଼ର କ୍ଷତ ଚିହ୍ନଟି ଦେଖାଇ ଦେଇ ଇଉମେଅସଙ୍କୁ କହିଲେ, ‘‘ଓଡ଼ିସିଅସ ତ ଆସି ସାରିଛନ୍ତି । ଏଇ ଦେଖ, ମୁଁ ହେଉଛି ସେହି ଓଡ଼ିସିଅସ ।’’

 

ଇଉମେଅସ ଆନନ୍ଦରେ ଅଧୀର ହୋଇ ତାଙ୍କର ହସ୍ତ ଚୁମ୍ବନ କଲେ । ଓଡ଼ିସିଅସ ତାଙ୍କୁ କହିଲେ, ‘‘ମୁଁ ପୁଣି ହଲ୍‍ ଭିତରକୁ ଯାଇ ଧନୁରେ ଶର ମାରିବାକୁ ଅନୁରୋଧ କରିବି । ଯିଏ ଯାହା କହନ୍ତୁ ନା କାହିଁକି, ତୁମେ ଧନୁଟି ଆଣି ମୋ ହାତରେ ଦେବ । ତାହାପରେ ସ୍ତ୍ରୀଲୋକମାନଙ୍କୁ ବାହାର କରିଦେଇ ହଲ୍‍ର ଦ୍ୱାର ତାଲାଦ୍ୱାରା ବନ୍ଦ କରିଦେବ ।’’

 

ଓଡ଼ିସିଅସ ଇଉମେଅସଙ୍କ ସହିତ ହଲ୍‌ଭିତରକୁ ପ୍ରବେଶ କଲେ ।

 

ସେତେବେଳକୁ ଆଣ୍ଟିନୋସ ପ୍ରସ୍ତାବ କଲେ ଯେ, ଆଜି କେହି ଧନୁରେ ଗୁଣ ଦେଇପାରିଲେ ନାହିଁ । ଆଉ ଦିନେ ଏହି ପରୀକ୍ଷା କରାଯାଉ । ଏହା କହି ସେ ଅନ୍ୟ ଯୁବକ ମାନଙ୍କ ସହିତ ବସି ମଦ ପିଇବାକୁ ଆରମ୍ଭ କଲେ । ଏତିକିବେଳେ ଓଡ଼ିସିଅସ କହିଲେ, ‘‘ମୁଁ ଥରେ ଚେଷ୍ଟାକରି ଦେଖିବାକୁ ଅନୁମତି ମିଳୁ ।’’ ଏହା ଶୁଣି ଯୁବକମାନେ ହସି ଉଠିଲେ । କେହି କେହି କହିଲେ, ‘‘ଭିକ୍ଷୁକର ସାହସ ତ କମ୍‌ ନୁହେଁ ।’’ ଆଉ କେହି କହିଲେ, ‘‘ବୁଢ଼ାର ମଥା ବିଗିଡ଼ି ଯାଇଛି-।’’

 

କିନ୍ତୁ ପେନିଲୋପ କହିଲେ, ‘‘ଭିକ୍ଷୁକ ହେଲେ ସୁଦ୍ଧା ସେ ତାର କୃତିତ୍ୱ ଦେଖାଇବାରେ ଆପତ୍ତି କାହିଁକି ? ଯଦି ସେ ଶର ମାରିପାରେ, ତେବେ କଅଣ ମୁଁ ଭିକ୍ଷୁକକୁ ବିଭା ହେବି ? ତାହା ହୋଇ ନପାରେ । ତେବେ ମୁଁ ତାକୁ ନୂତନ ପୋଷାକ, ତରବାରୀ ବର୍ଚ୍ଛା ପୁରସ୍କାର ଦେଇ ବିଦାୟ କରିଦେବି ।’’

 

ଟେଲିମେକସ କହିଲେ, ‘‘ଏ ଧନୁଟି ମୋର ପିତାଙ୍କର । ତେଣୁ ପୁତ୍ର ହିସାବରେ ମୋର ଏହା ଉପରେ ଅଧିକାର ଅଛି । ଭିକ୍ଷୁକ କୃତକାର୍ଯ୍ୟ ହେଲେ ମୁଁ ତାକୁ ଏହି ଧନୁଟି ପୁରସ୍କାର ଦେବି-।’’ ତତ୍ପରେ ଟେଲିମେକସ ମାଆଙ୍କୁ ଦାସୀମାନଙ୍କ ସହିତ ଉପର ମହଲକୁ ପଠାଇ ଦେଲେ-

 

ଟେଲିମେକସ ଧନୁଟିକୁ ଆଣି ଛଦ୍ମବେଶୀ ପିତାଙ୍କ ହାତକୁ ବଢ଼ାଇଦେଲେ । ଇଉମେଅସ ଏଥିମଧ୍ୟରେ ହଲ୍‌ର ଦ୍ୱାରରେ ତାଲା ବନ୍ଦ କରିଦେଲେ । ଯୁବକମାନେ ବସି ମଦ ପିଉଥାନ୍ତି ଓ ଭିକ୍ଷୁକକୁ ନାନାପ୍ରକାର ଉପହାସ କରୁଥାନ୍ତି । ହଠାତ୍‌ ସେହି ଭିକ୍ଷୁକ ଧନୁରେ ଗୁଣ ଚଢ଼ାଇ ସେଥିରେ ଗୋଟିଏ ଶର ମାରିଲା । ଶରଟି କୁର୍‌ହାଡ଼ିଗୁଡ଼ିକର ଛିଦ୍ରବାଟେ ବାହାରିଗଲା । ସେ ଟେଲିମେକସଙ୍କୁ ସଙ୍କେତ ଦେବାମାତ୍ରେ ସେ ଗୋଟିଏ ହାତରେ ତରବାରୀ ଓ ଅନ୍ୟ ହାତରେ ବର୍ଚ୍ଛା ଧରି ତାଙ୍କ ପାଖରେ ଛିଡ଼ା ହୋଇଗଲେ ।

ଓଡ଼ିସିଅସଦ୍ୱାର ପାଖରେ ଛିଡ଼ା ହୋଇ କହିଲେ, ‘‘ମୁଁ ବର୍ତ୍ତମାନ ଗୋଟିଏ ନୂଆ ଲକ୍ଷ୍ୟଭେଦ ଦେଖାଇବି ।’’ ଏହା କହି ସେ ଆଣ୍ଟିନୋସଙ୍କୁ ଲକ୍ଷ୍ୟ କରି ଗୋଟିଏ ଶର ମାରିଲେ । ଶରଟି ତାଙ୍କର ଗଳଦେଶକୁ ଭେଦ କରିଗଲା । ସେ ମଦ ପାତ୍ରଟି ହାତରେ ଧରି ତଳକୁ ପଡ଼ିଗଲେ-। ତାଙ୍କର ପ୍ରାଣବାୟୁ ବାହାରିଗଲା । ଅନ୍ୟ ଯୁବକମାନେ କ୍ରୁଦ୍ଧ ହୋଇ ଅସ୍ତ୍ରଶସ୍ତ୍ର ଖୋଜିଲେ-। କିନ୍ତୁ ହଲ୍‌ରେ ସେମାନଙ୍କୁ କୌଣସି ଅସ୍ତ୍ରଶସ୍ତ୍ର ମିଳିଲା ନାହିଁ ।

ସେମାନେ ଚିତ୍କାର କଲେ, ‘‘ରେ ଭିକ୍ଷୁକ, ତୋର ମରଣ ନିଶ୍ଚିତ । ତୁ ଏଡ଼େ ଅସାବଧାନ ଯେ ଆମ ଭିତରୁ ଜଣେ ତୋର ଶରରେ ମଲା ।’’

ଓଡ଼ିସିଅସ କ୍ରୋଧାନ୍ଧ ହୋଇ କହିଲେ, ‘‘ଆରେ କୁତ୍ତା ! ତୁମେମାନେ ଜାଣ ନା ମୁଁ କିଏ-! ତୁମେମାନେ ମୋର ସମ୍ପତ୍ତି ଧ୍ୱଂସ କରିଛ, ମୋର ସ୍ତ୍ରୀକୁ ଅପମାନ ଦେଇଛ । ତୁମେମାନେ ଭାବିଥିଲ, ମୁଁ ଟ୍ରୟରୁ ଆଉ ଫେରିବି ନାହିଁ । ଆଜି ତୁମମାନଙ୍କର ମରଣ ଉପସ୍ଥିତ । ଓଡ଼ିସିଅସ ପ୍ରତିଶୋଧ ନ ନେଇ ତୁମକୁ ଛାଡ଼ିଦେବ ନାହିଁ ।’’

ଇଉରିମେକସ ବୋଲି ଜଣେ ଯୁବକ ଅନ୍ୟମାନଙ୍କୁ ଡାକି କହିଲା, ‘‘ଟେବୁଲକୁ ଟେକି ଧରି ଲୋକଟାର ଶରରୁ ଆତ୍ମରକ୍ଷା କର ଓ ନିଜ ନିଜର ତରବାରୀ ବାହାର କରି ତାକୁ ଆକ୍ରମଣ କର ।’’ ଏହା କହି ସେ ନିଜେ ତରବାରୀ ବାହାର କରି ଓଡ଼ିସିଅସଙ୍କ ଆଡ଼କୁ ଧାଇଁ ଆସିଲା । କିନ୍ତୁ ଓଡ଼ିସିଅସଙ୍କର ଗୋଟିଏ ଶର ତାର ବକ୍ଷଦେଶ ଭେଦ କରିବାରୁ ସେ ମରି ପଡ଼ିଲା । ଆଉ ଜଣେ ଯୁବକ ଓଡ଼ିସିଅସଙ୍କୁ ଆକ୍ରମଣ କରିବାକୁ ଆସୁଥିଲା; କିନ୍ତୁ ସେ ମଧ୍ୟ ଟେଲିକେମସଙ୍କ ବର୍ଚ୍ଛାର ଆଘାତରେ ପ୍ରାଣ ହରାଇଲା ! ଏହି ସମୟରେ ଟେଲିମେକସଙ୍କର ଜଣେ ବିଶ୍ୱାସଘାତକ ଭୃତ୍ୟ ଅସ୍ତ୍ରାଗାରକୁ ଚାଲିଯାଇ ସେଠାରୁ ଯୁବକମାନଙ୍କ ପାଇଁ ହେଲ୍‌ମେଟ, ଢାଲ, ବର୍ଚ୍ଛା । ପ୍ରଭୃତି ଫିଙ୍ଗିଦେଲା । ଏହା ଦେଖି ଓଡ଼ିସିଅସ ହତାଶ ହୋଇ ପଡ଼ିଥିଲେ । କିନ୍ତୁ ଏହି ସମୟରେ ଏଥେନି ଦେବୀ ଆସି ଓଡ଼ିସିଅସଙ୍କ ସାହସ ଦେଲେ ।

ଅବଶିଷ୍ଟ ଯୁବକମାନେ ଓଡ଼ିସିଅସଙ୍କୁ ସବୁ ଦିଗରୁ ଏକ ସମୟରେ ଆକ୍ରମଣ କଲେ, କିନ୍ତୁ ଏଥେନିଙ୍କ ପ୍ରଭାବରୁ ସେମାନଙ୍କର ଅସ୍ତ୍ରଶସ୍ତ୍ର ଲକ୍ଷ୍ୟଭ୍ରଷ୍ଟ ହେବାକୁ ଲାଗିଲା । ଓଡ଼ିସିଅସ, ତାଙ୍କ ପୁତ୍ର ଟେଲିମେକସ୍‌ ଓ ବିଶ୍ୱସ୍ତ ବନ୍ଧୁ ଇଉମେଅସ, ଏହି ତିନିଜଣ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସମସ୍ତଙ୍କୁ ନିହତ କଲେ ।

ଓଡ଼ିସିଅସଙ୍କ ଆଦେଶରେ ଚାକରମାନେ ମୃତ ଦେହଗୁଡ଼ିକ ବାହାରେ ଫିଙ୍ଗିଦେଲେ ଓ ଦାସୀମାନେ ହଲ୍‌କୁ ପରିଷ୍କାର କଲେ । ଏହାପରେ ଯେଉଁ ଚାକରଟି ବିଶ୍ୱାସଘାତକତା କରି ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା, ତାହାକୁ ଧରି ଆଣି ସେ ବଧ କଲେ । ତତ୍ପରେ ନିଜ ଶରୀରକୁ ପରିଷ୍କୃତ କରି ଦାସୀ ଇଉରିକ୍ଳିଆଦ୍ୱାରା ହଲ୍‌କୁ ଆସିବା ପାଇଁ ପେନିଲୋପଙ୍କୁ ସମ୍ବାଦ ଦେଲେ ।

ବୃଦ୍ଧା ଦାସୀ ଆନନ୍ଦରେ ଦଉଡ଼ିଯାଇ ପେନିଲୋପଙ୍କୁ ଉଠାଇ କହିଲା, ‘‘ସାଆନ୍ତାଣି ! ଯାହାଙ୍କୁ ଦେଖିବ ବୋଲି ଏତେ ବର୍ଷ ହେଲା ଚାହିଁ ରହିଥିଲ, ତାଙ୍କୁ ଦେଖିବ ଆସ । ଓଡ଼ିସିଅସ ଫେରି ଆସିଛନ୍ତି । ଯେଉଁ ଯୁବକମାନେ ତୁମକୁ ଏତେ ବ୍ୟତିବ୍ୟସ୍ତ କରୁଥିଲେ, ସେମାନେ ସମସ୍ତେ ମରି ପଡ଼ିଛନ୍ତି ।’’

ପେନିଲୋପ ଏତେ ବଡ଼ ସତ୍ୟକଥାକୁ ବିଶ୍ୱାସ କରିପାରିଲେ ନାହିଁ । ସେ କହିଲେ, ‘‘ତୋର ମୁଣ୍ଡ ବିଗିଡ଼ି ଯାଇଛି । ତା ନ ହେଲେ ଏତେ ରାତିରେ ମୋତେ ଉଠାଇ ଏପରି କଥା କହି ନ ଥାନ୍ତୁ ।’’ କିନ୍ତୁ ଦାସୀ କହିଲା, ‘‘ମୋର ମୁଣ୍ଡ ଠିକ୍‌ ଅଛି । ମୁଁ ଯାହା କହୁଛି, ତାହା ଅକ୍ଷରେ ଅକ୍ଷରେ ସତ୍ୟ । ଓଡ଼ିସିଅସ ହଲ୍‌ରେ ବସି ତୁମକୁ ଅପେକ୍ଷା କରି ରହିଛନ୍ତି । ଯେଉଁ ଭିକ୍ଷୁକକୁ ସମସ୍ତେ ଅପମାନ ଦେଇ ମାରି ଗୋଡ଼ାଉଥିଲେ, ସେଇ ହେଉଛନ୍ତି ଓଡ଼ିସିଅସ । ଟେଲିମେକସ ଆମ ଆଗରୁ ତାଙ୍କୁ ଚିହ୍ନି ସାରିଥିଲେ । ଏବେ ତୁମେ ଯାଇ ନିଜ ଆଖିରେ ଦେଖିଆସ ।’’

ତଥାପି ପେନିଲୋପଙ୍କର ସନ୍ଦେହ ଦୂର ହେଲା ନାହିଁ । ସେ ଭାବିଥିଲେ, ଭିକ୍ଷୁକଟି କୌଣସି ଦେବତା; ଛଦ୍ମବେଶ ଧରି ଆସିଅଛନ୍ତି । ଅଥବା କୌଣସି ଦୁଷ୍ଟ ଲୋକ ମନ୍ଦ ଅଭିପ୍ରାୟ ରଖି ଓଡ଼ିସିଅସ ବୋଲି ପରିଚୟ ଦେଉଅଛି । କେଉଁ ଦୂର ବିଦେଶରେ ହୁଏତ ଓଡ଼ିସିଅସଙ୍କର ମୃତ୍ୟୁ ଘଟିଥିବ ।’’

ଇଉରିକ୍ଳିଆ କହିଲେ, ‘‘ତୁମେ ଜାଣିଥିବ, ଥରେ ଶିକାର କରିବାକୁ ଯାଇ ଓଡ଼ିସିଅସଙ୍କ ଗୋଡ଼ରେ ଆଘାତ ହୋଇଥିଲା । ସେ ଘାଆର ଚିହ୍ନ ରହିଯାଇଥିଲା । ମୁଁ ସେ ଚିହ୍ନ ଦେଖି ତାଙ୍କୁ ଚିହ୍ନିପାରିଛି ।’’ ତଥାପି ପେନିଲୋପଙ୍କର ସନ୍ଦେହ ରହିଲା ।

ଯାହାହେଉ, ସେ ହଲ୍‌କୁ ଆସି ଓଡ଼ିସିଅସଙ୍କ ଆଗରେ ବସିଲେ । ଓଡ଼ିସିଅସଙ୍କ ଦେହରେ ଭିକ୍ଷୁକର ଛିଣ୍ଡା କନ୍ଥା ରହିଥିଲା ଓ ସେ କ୍ଳାନ୍ତ ଦେଖାଯାଉଥିଲେ । ପେନିଲୋପ ତାଙ୍କୁ ଚିହ୍ନିପାରିଲେ ନାହିଁ । ସେ ଚୁପ୍‌କରି ବସି ରହିଲେ । ଟେଲିମେକ୍‌ସ ମାଆଙ୍କର ଏ ପ୍ରକାର ଆଚରଣରେ ବିରକ୍ତ ହୋଇ କହିଲେ, ‘‘ମାଆ, ଦୀର୍ଘ କୋଡ଼ିଏ ବର୍ଷ ପରେ ବାପା କେତେ ଦୁଃଖ କଷ୍ଟ ସହି, ସାଙ୍ଗସାଥୀଙ୍କୁ ହରାଇ ଫେରି ଆସିଛନ୍ତି । କିନ୍ତୁ ତୁମେ ତାଙ୍କୁ ଆଦରରେ ଅଭ୍ୟର୍ଥନା କରୁନାହଁ । ତୁମେ କଅଣ ପାଷାଣୀ ହେଲ !’’

ପେନିଲୋପ ଉତ୍ତର କଲେ, ‘‘ବତ୍ସ ! ମୁଁ ଏତେ ବ୍ୟାକୁଳ ହୋଇପଡ଼ିଛି ଯେ କିଛି ସ୍ଥିର କରିପାରୁନାହିଁ । ଯଦି ଏହି ଭିକ୍ଷୁକ ପ୍ରକୃତରେ ଓଡ଼ିସିଅସ ହୋଇଥାନ୍ତି, ତେବେ ଯାହା କେବଳ ଆମେ ଦୁହେଁ ଜାଣୁ, ଅନ୍ୟ କେହି ଜାଣନ୍ତି ନାହିଁ, ତାହା ଜାଣିଥିବେ । ସେହିପରି କଥା ପଚାରି ମୁଁ ତାଙ୍କୁ ପରୀକ୍ଷା କରିବି ।’’

ଏଥିମଧ୍ୟରେ ଦାସୀ ଓଡ଼ିସିଅସଙ୍କୁ ନେଇ ସୁଗନ୍ଧ ତୈଳ ଲଗାଇ ସ୍ନାନ କରାଗଲା ଓ ଉତ୍ତମ ପୋଷାକ ପିନ୍ଧିବାକୁ ଦେଲା । ଏହା ଫଳରେ ଓଡ଼ିସିଅସଙ୍କର ଚେହେରାରେ ପରିବର୍ତ୍ତନ ଦେଖାଗଲା । ସେ ନିଜର ଆସନରେ ବସି ପେନିଲୋପଙ୍କୁ କହିଲେ, ‘‘ମୁଁ ଗୋଟାଏ ବିଚିତ୍ର କଥା ଦେଖୁଛି । ଏତେ ବର୍ଷ ଭିତରେ ତୁମର ରୂପ ଟିକିଏ ହେଲେ ମଳିନ ହୋଇନାହିଁ । କିନ୍ତୁ ତୁମର ଫୁଲପରି କୋମଳ ହୃଦୟଟି ପଥର ହୋଇଯାଇଛି । ସ୍ୱାମୀ ବହୁବର୍ଷ ଧରି ଦୁଃଖ-ବିପଦ ଭୋଗ କରି ଫେରି ଆସିଲେ ତୁମ ଛଡ଼ା କେଉଁ ସ୍ତ୍ରୀ ତାହାପ୍ରତି ଏପରି ଉଦାସୀନତା ଦେଖାଇପାରନ୍ତା-?’’ ତତ୍ପରେ ସେ ବୃଦ୍ଧା ଦାସୀକୁ କହିଲେ, ‘‘ଯାଆ, ମୋର ଶୋଇବାପାଇଁ ଏହିଠାରେ ବ୍ୟବସ୍ଥା କରିଦେ-।’’

ପେନିଲୋପ ଏହିଠାରେ ତାଙ୍କୁ ପରୀକ୍ଷା କରିବାକୁ ସ୍ଥିର କଲେ । ସେ ଇଉରିକ୍ଳିଆକୁ କହିଲେ, ‘‘ମୋର ବିବାହ ସମୟରେ ଓଡ଼ିସିଅସ ଆମ ଦୁହିଁଙ୍କ ବ୍ୟବହାର ପାଇଁ ଗୋଟିଏ ଶୋଇବା ଘର ତିଆରି କରାଇଥିଲେ । ସେ ଘରର ବାହାରେ ତାଙ୍କର ଶୋଇବାର ବନ୍ଦୋବସ୍ତ କର । ସେ ଶୋଇବାଘର ଭିତରେ ଯେଉଁ ଖଟ ଅଛି, ତାକୁ ଆଣି ବାହାରେ ପକାଇଦେ ।’’

ଓଡ଼ିସିଅସ କହିଲେ, ‘‘ସେ ଘରୁ ଖଟଟାକୁ କିପରି ବାହାରକୁ ଆଣିବ ? ମୁଁ ନିଜହାତରେ ଗୋଟାଏ ଗଛର ଉପର ଅଂଶ କାଟି ତାକୁ ଖଟର ଗୋଡ଼ କରିଥିଲି । ଗଛକୁ ମୂଳରୁ ନ କାଟିଲେ ସେହି ଖଟକୁ ଘୁଞ୍ଚାଇ ପାରିବେ ନାହିଁ ।

ଖଟର ଏହି ବିଶେଷତ୍ୱ ଓଡ଼ିସିଅସ ପ୍ରକାଶ କରିବାରୁ ସେ ପ୍ରକୃତରେ ଓଡ଼ିସିଅସ ବୋଲି ପେନିଲୋପଙ୍କର ଦୃଢ଼ ବିଶ୍ୱାସ ଜନ୍ମିଲା । ସେ ଉଠିଯାଇ ଓଡ଼ିସିଅସଙ୍କୁ ଆଲିଙ୍ଗନପୂର୍ବକ ଚୁମ୍ବନ ଦେବାକୁ ଲାଗିଲେ । କିଛି ସମୟପରେ ସେ କହିଲେ–‘‘ସ୍ୱାମୀ, ମୋ ଉପରେ ବିରକ୍ତ ହୁଅ ନାହିଁ । ମୁଁ ବରାବର ଭୟ କରିଆସିଛି ଯେ, କେହି ଲୋକ ନିଜକୁ ଓଡ଼ିସିଅସ ବୋଲି କହି ମୋତେ ପ୍ରତାରଣା କରିପାରେ । ତୁମେ ଖଟର ଯେଉଁ ରହସ୍ୟ ପ୍ରକାଶ କଲ, ତାହାଦ୍ୱାରା ମୋର ସବୁ ସନ୍ଦେହ ଦୂର ହୋଇଯାଇଅଛି ।’’

ଦୀର୍ଘ ବିଚ୍ଛେଦ ପରେ ପତିପତ୍ନୀଙ୍କର ମିଳନ ହେଲା । ଓଡ଼ିସିଅସ ପେନିଲୋପଙ୍କ ଆଗରେ ନିଜର ବିଚିତ୍ର ଅନୁଭବ ବର୍ଣ୍ଣନା କଲେ । ପେନିଲୋପ ବିସ୍ମୟରେ ଅଭିଭୂତ ହୋଇଗଲେ-। ଦୁହିଁଙ୍କର ପୁନର୍ମିଳନ ଘଟାଇଥିବାରୁ ସେମାନେ ନତଜାନୁ ହୋଇ ଈଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କଲେ ।

Image